କନକ ବ୍ୟୁରୋ;  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରେ ଏକ ଭୋଟର ତାଲିକାକୁ ନେଇ ଏକ ବଡ଼ ଧରଣର ରାଜନୈତିକ ବିବାଦ ସୃଷ୍ଟି ହୋଇଛି । ଏହି ତାଲିକାରେ ଜଣେ ବ୍ୟକ୍ତିଙ୍କର ୫୦ରୁ ଅଧିକ ପୁଅ ଥିବା ଦର୍ଶାଯାଇଛି । ଯାହାକୁ ନେଇ କଂଗ୍ରେସ ଦଳ ଭୋଟ୍ ଚୋରିର ଅଭିଯୋଗ ଆଣିଛି । ଅନ୍ୟପଟେ, ସାଧୁସନ୍ଥମାନେ ଏହାକୁ ସନାତନ ଧର୍ମର ଗୁରୁ-ଶିଷ୍ୟ ପରମ୍ପରାର ଅଂଶ ବୋଲି କହିବା ସହ କଂଗ୍ରେସ ଉପରେ ସନାତନ ପରମ୍ପରାକୁ ବଦନାମ କରିବାର ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି ।

Advertisment

ଏହି ବିବାଦ ସେତେବେଳେ ଆରମ୍ଭ ହେଲା, ଯେତେବେଳେ ଉତ୍ତର ପ୍ରଦେଶ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ବାରାଣାସୀର ୱାର୍ଡ ନଂ ୫୧, କାଶ୍ମୀରୀଗଞ୍ଜ ଅଞ୍ଚଳର ଏକ ଭୋଟର ତାଲିକା ପୋଷ୍ଟ କରାଯାଇଥିଲା ।   ଏହି ତାଲିକାରେ ଦର୍ଶାଯାଇଥିଲା ଯେ, ରାମକମଳ ଦାସ ନାମକ ଜଣେ ବ୍ୟକ୍ତିଙ୍କର ୫୦ରୁ ଅଧିକ ପୁଅ ଅଛନ୍ତି । ଯେଉଁମାନଙ୍କର ବୟସ ୨୮ରୁ ୭୨ ବର୍ଷ ମଧ୍ୟରେ ।   କଂଗ୍ରେସ ଏହାକୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟରେ ଏକ ବଡ଼ ଧରଣର ଠକେଇ ବୋଲି ଅଭିହିତ କରିଥିଲା ଏବଂ ଏହାର ତଦନ୍ତ ଦାବି କରିଥିଲା ।  

କଂଗ୍ରେସର ଏହି ଅଭିଯୋଗ ପରେ, ରାମ ଜାନକୀ ମଠର ସାଧୁସନ୍ଥମାନେ ଏହାର ସ୍ପଷ୍ଟୀକରଣ ଦେଇଛନ୍ତି ।  ମଠର ପରିଚାଳକ ରାମଭରତ ଶାସ୍ତ୍ରୀ କହିଛନ୍ତି ଯେ, ଏହି ଠିକଣାଟି କୌଣସି ବାସଗୃହର ନୁହେଁ, ବରଂ ଏହା ରାମ ଜାନକୀ ମଠର ଅଟେ । ଯାହାକୁ ଆଚାର୍ଯ୍ୟ ରାମକମଳ ଦାସ ସ୍ଥାପନ କରିଥିଲେ । ସେ ସ୍ପଷ୍ଟ କରିଛନ୍ତି ଯେ, ଆଶ୍ରମରେ ଗୁରୁ-ଶିଷ୍ୟ ପରମ୍ପରା ଅନୁଯାୟୀ, ଯେଉଁ ଶିଷ୍ୟମାନେ ସାଂସାରିକ ଜୀବନ ତ୍ୟାଗ କରି ସନ୍ୟାସ ଗ୍ରହଣ କରନ୍ତି, ସେମାନେ ନିଜ ଗୁରୁଙ୍କୁ ପିତା ଭାବରେ ଗ୍ରହଣ କରନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଆଇନଗତ ଅଟେ ଏବଂ ୨୦୧୬ ମସିହାରେ ଭାରତ ସରକାର ସାଧୁ-ସନ୍ୟାସୀମାନଙ୍କୁ ସେମାନଙ୍କର ସରକାରୀ ଦସ୍ତାବିଜରେ ଜୈବିକ ପିତାଙ୍କ ସ୍ଥାନରେ ଗୁରୁଙ୍କ ନାମ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି ।  

ଅଖିଳ ଭାରତୀୟ ସନ୍ଥ ସମିତିର ରାଷ୍ଟ୍ରୀୟ ମହାମନ୍ତ୍ରୀ ସ୍ୱାମୀ ଜିତେନ୍ଦ୍ରାନନ୍ଦ ସରସ୍ବତୀ କଂଗ୍ରେସର ଏହି ଅଭିଯୋଗକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି ।  ସେ କହିଛନ୍ତି ଯେ, ଏହା ସନାତନ ହିନ୍ଦୁ ପରମ୍ପରା ଏବଂ ଧାର୍ମିକ ନେତାମାନଙ୍କୁ ବଦନାମ କରିବାର ଏକ ଷଡ଼ଯନ୍ତ୍ର ।  ସେ ଚେତାବନୀ ଦେଇଛନ୍ତି ଯେ, ଯଦି ଏହିପରି ଭାବରେ ସେମାନଙ୍କ ପରମ୍ପରାକୁ ବଦନାମ କରିବାକୁ ଚେଷ୍ଟା କରାଯାଏ, ତେବେ ସନ୍ଥ ସମିତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।  ସାଧୁସନ୍ଥମାନେ ଏହି ଭୁଲ ଧାରଣାକୁ ଦୂର କରିବା ପାଇଁ 'ବୁଦ୍ଧି ଶୁଦ୍ଧି ପୂଜା' ମଧ୍ୟ କରିଛନ୍ତି ।   

ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ଏବଂ ବାରାଣାସୀରେ ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ କରିଛନ୍ତି ।  ତେବେ, ଏହି ଭୋଟର ତାଲିକା ୨୦୨୩ ମସିହା ନଗର ନିଗମ ନିର୍ବାଚନର ବୋଲି ଜଣାପଡ଼ିଛି ।  ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜନୈତିକ ଏବଂ ଧାର୍ମିକ ମହଲରେ ଚର୍ଚ୍ଚା ଜୋର ଧରିଛି ।