କନକ ବ୍ୟୁରୋ: କଠିନ ପରିଶ୍ରମ ଓ ଶିଖିବାର ଇଚ୍ଛା ଆଣିଦେଇଛି ଶାଳବଣୀ ଗ୍ରାମର ଜଣେ ମହିଳାଙ୍କୁ ନୂଆ ପରିଚୟ। ସ୍ୱୟଂ ସହାୟକ ଗୋଷ୍ଠୀ ନିର୍ମାଣ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ୧୦ ଜଣ ମହିଳାଙ୍କ ପାଇଁ ରୋଜଗାରର ଉତ୍ସ ପାଲଟିଛନ୍ତି।ଜଙ୍ଗଲ ଜାତ ପତ୍ରରୁ ବିଭିନ୍ନ କଳାକୃତି ପ୍ରସ୍ତୁତ କରି ଅନ୍ୟ ମହିଳାଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।
ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଶାଳବଣୀ ଗାଁର ଆରତୀ ସିଂ । ନିଜେ ସ୍ୱାବଲମ୍ବୀ ହେବା ସହ ୧୦ ଜଣ ମହିଳାଙ୍କୁ ସ୍ବାବଲମ୍ବୀ କରିଛନ୍ତି ଆରତୀ । ନଇପଠାରୁ ଜୁଣ ଓ ଖଜୁରୀ ଗଛର ପିଞ୍ଛା ସଂଗ୍ରହ କରି ସୁନ୍ଦର ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ବିଭିନ୍ନ ମେଳା ମହୋତ୍ସବରେ ଷ୍ଟଲ ଲଗାଇ ବିକ୍ରି କରି କିଛି ରୋଜଗାର କରିପାରୁଛନ୍ତି । ପ୍ରଥମେ ଆରତୀ ଘର ପାଖ ଜଙ୍ଗଲ ଓ ନଈ ପଠାରୁ ବିଭିନ୍ନ ପତ୍ର ସଂଗ୍ରହ କରି ପିଲାବେଳୁ ଶିଖିଥିବା କୌଶଳକୁ ହ୍ୟବହାର କରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କଲେ। ଯାହା ଲୋକମାନଙ୍କୁ ବେଶ ପସନ୍ଦ ଆସିଲା । ବିଶେଷକରି ଶାଳ ପତ୍ରରେ ଟୋପି, ଜୁଣ ଓ ଖଜୁରୀରେ ପ୍ରସ୍ତୁତ ଭ୍ୟାନିଟି ଓ ଛୋଟ ପିଲାମାନଙ୍କ ବିଭିନ୍ନ ଖେଳଣା ଲୋକଙ୍କୁ ବେଶ ଆକୃଷ୍ଟ କରୁଛି ।
ପ୍ରଥମେ ଆରତୀ ନିଜସ୍ବ ଉଦ୍ୟମରେ ଏହି କାମ କରୁଥିଲେ । ପରେ ୟୁଟୁବ ଦେଖି ନୂଆ ନୂଆ ଡିଜାଇନର ସାମଗ୍ରୀ ତିଆରି କଲେ । ଏହାପରେ ନିଜେ ଶିଖିଥିବା ବିଦ୍ୟାକୁ ଧୀରେ ଧୀରେ ଅନ୍ୟ ମହିଳାମାନଙ୍କୁ ଶିଖାଇଲେ । ରାତି ପାହିଲେ ମହିଳା ମାନେ ପାହାଡକୁ ଯାଇ ଶାଳପତ୍ର ସଂଗ୍ରହ କରନ୍ତି । ସେହି ପତ୍ରରୁ ପିଲାମାନଙ୍କ ଖେଳନା ସାମଗ୍ରୀ, ମାଛ, କଙ୍କଡା, ଝିଣ୍ଟିକା, ରାକ୍ଷୀ, ଡଙ୍ଗା, ମଣିଷ, ଆଦି ପ୍ରସ୍ତୁତ କରୁଥିବା ବେଳେ ଶିଆଳି ପତ୍ରରୁ ଟୋପି ଓ ଖଜୁରୀ ପିଞ୍ଛାରୁ ଭ୍ୟାନିଟି, ଘର ସଜେଇବା ପାଇଁ ଝାଲର, ଜୁଣ ଝାଡୁ ପ୍ରଭୁତି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ପ୍ରତିଦିନ ଘର କାର୍ୟ୍ୟ ସାରି ମହିଳାମାନେ ଦୈନିକ ୩ରୁ ୪ ଘଣ୍ଟା ସମୟ ଦେଇ ସାମଗ୍ରୀ ଗୁଡିକୁ ତିଆରି କରୁଛନ୍ତି । ମହିଳାମାନେ ପ୍ରସ୍ତୁତ କରୁଥିବା ଏହି ସବୁ ସାମଗ୍ରୀ ୫ ଟଙ୍କାରୁ ଆରମ୍ଭ ହୋଇ ୫୦୦ ଟଙ୍କା ପର୍ୟ୍ୟନ୍ତ ରହିଛି । ସମସ୍ତ ମହିଳାମାନେ ମାସିକ ୫ ହଜାରରୁ ୬ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି।
ହେଲେ ଦିନକୁ ଦିନ ପ୍ଲାଷ୍ଟିକ ବ୍ୟବହାର ବଢିବା ସହିତ ଅଧିକ ଷ୍ଟଲ ମିଳୁନଥିବା କାରଣରୁ ଧୀରେ ଧୀରେ ଉକ୍ତ ମହିଳାଙ୍କ ରୋଜଗାରରେ ଅଙ୍କୁଶ ଲାଗିଛି। ଯଦି ସରକାର ସିଧାସଳଖ ସାମଗ୍ରୀ ଗୁଡିକୁ ଏସଏଜି ମହିଳା ମାନଙ୍କଠାରୁ କିଣିନିଅନ୍ତେ ତେବେ ସେମାନେ ବେଶ ଦୁଇ ପଇସା ରୋଜଗାର କରି ଲାଭବାନ ହୋଇପାରନ୍ତେ ।