କନକ ବ୍ୟୁରୋ: ସଂସଦର ଶୀତ ଅଧିବେଶନରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଲୋକସଭାରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆଜି ବିଶେଷ ଆଲୋଚନା ହେବ । ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଉଦ୍‌ବୋଧନ ଦେବେ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏ ବାବଦ ସୂଚନା ଦେଇ କହିଛନ୍ତି ଯେ, ଏହା ଏକ ଅତ୍ୟନ୍ତ ଗୌରବମୟ ମୁହୂର୍ତ୍ତ ହେବ । ‘ବନ୍ଦେ ମାତରମ୍’ ଗୀତଟି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ତାଙ୍କ ବିଖ୍ୟାତ ଉପନ୍ୟାସ ‘ଆନନ୍ଦମଠ’ରେ ପ୍ରଥମେ ଲେଖିଥିଲେ । ଏହା ପ୍ରଥମ ଥର ପାଇଁ ୧୮୯୬ କଲିକତା କଂଗ୍ରେସ ଅଧିବେଶନରେ ଗାନ କରାଯାଇଥିଲା । ସ୍ବାଧୀନତା ସଂଗ୍ରାମରେ ଏହି ଗୀତ କୋଟି କୋଟି ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଅଗ୍ନି ଜଳାଇଥିଲା ଏବଂ ଏହାକୁ ଭାରତର ଜାତୀୟ ଗାନ ଭାବେ ଗ୍ରହଣ କରାଯାଇଥିଲା । ତେବେ ଲୋକସଭାରେ ଏହି ଆଲୋଚନା ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ ପରେ ବିଭିନ୍ନ ଦଳର ସାଂସଦମାନେ ନିଜ ମତ ରଖିବେ । ରାଜ୍ୟସଭାରେ ମଧ୍ୟ ଏହି ବିଷୟରେ ବିଶେଷ ଆଲୋଚନା ହେବ । ଉଭୟ ଗୃହରେ ଆଲୋଚନା ଶେଷରେ ଏକ ପ୍ରସ୍ତାବ ଗ୍ରହଣ କରାଯିବ ।

Advertisment

ସଂସଦରେ ନିର୍ବାଚନୀ ସଂସ୍କାର ବିତର୍କରେ ନେତୃତ୍ବ ନେବେ ରାହୁଲ

ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍‌) ଏବଂ  ନିର୍ବାଚନ ସଂସ୍କାର ପ୍ରସଙ୍ଗ ନେଇ ବି‌ରୋଧୀ ଦଳମାନେ ଦୀର୍ଘ ଦିନ ହେଲା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ କଡ଼ା ସମାଲୋଚନା କରୁଥିବା ବେଳେ ସଂସଦରେ ବିତର୍କ  ଦାବି କରିଥିଲେ । ମଙ୍ଗଳବାର ସଂସଦରେ ନିର୍ବାଚନୀ ସଂସ୍କାରକୁ ନେଇ ବିତର୍କ ହେବ ।  କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି ବିତର୍କରେ ବିରୋଧୀ ଦଳଙ୍କ ନେତୃତ୍ବ ନେବେ । କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ, ମନୀଷ ତିୱାରୀ, ବର୍ଷା ଗାଏକୱାଡ, ମହମ୍ମଦ ଜାୱେଦ, ଉଜ୍ଜ୍ବଳ ରମଣ ସିଂହ, ଈଶା ଖାନ ଚୌଧୁରୀ, ମଲ୍ଲୁ ରବି, ଇମ୍ରାନ ମାସୁଦ, ଗୋବଲ ପାଡଭୀ ଓ ଜୋତିମନି କଂଗ୍ରେସ ପକ୍ଷରୁ ବିତର୍କରେ ଅଂଶଗ୍ରହଣ ‌କରିବେ ବୋଲି ଜଣାପଡ଼ିଛି । ବିତର୍କ ପାଇଁ ୧୦ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ବୁଧବାର ଆଇନ ମନ୍ତ୍ରୀ ଅର୍ଜ୍ଜୁନ ମେଘୱାଲ ବିତର୍କର ଜବାବ ରଖିବେ । 

ଆହୁରି ପଢ଼ନ୍ତୁ : ଗୌରବ ଖାନ୍ନା ଜିତିଲେ ବିଗ୍ ବସ୍: ରନର୍ସ ଅପ୍ ଫରହାନା କହିଲେ, ମୁଁ ହୃଦୟ ଜିତିଲି

ବିତର୍କରେ ରାହୁଲ ‘ଭୋଟ ଚୋରି’ ଓ ଭାରତୀୟ ନିର୍ବାଚନ ଆୟୋଗଙ୍କ ‘ଉତ୍ତରଦାୟିତ୍ବ’ ପ୍ରସଙ୍ଗ ଉଠାଇ ପାରନ୍ତି । ରାହୁଲ ବିଭିନ୍ନ ନିର୍ବାଚନ ପ୍ରଚାର ଅଭିଯାନରେ ମଧ୍ୟ ଏହାକୁ ମୁଖ୍ୟ ପ୍ରସଙ୍ଗ କରିଆସିଛନ୍ତି । ‘ନିର୍ବାଚନ ଆୟୋଗଙ୍କ ମନମୁଖୀ କାର୍ଯ୍ୟ, ଭୋଟ ତାଲିକାରେ ବ୍ୟାପକ ହେରଫେର୍‌, ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା’ ଅଭିଯୋଗ ନେଇ ବିରୋଧୀମାନେ ଇସିଆଇଙ୍କୁ ଗତ କିଛି ମାସ ହେଲା ଟାର୍ଗେଟ୍‌ କରୁଛନ୍ତି । ମହାରାଷ୍ଟ୍ର, ହରିୟାଣା ଓ କର୍ଣ୍ଣାଟକ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇ ବିଗତ ଦିନରେ ରାହୁଲ ଗାନ୍ଧୀ ଅନେକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବହୁ ସଂଖ୍ୟକ ଭୋଟରଙ୍କୁ ତାଲିକାରୁ ହଟାଇ ଜାଲ ଭୋଟରଙ୍କୁ ସାମିଲ କରାଯାଉଛି ବୋଲି ରାହୁଲ ଅଭିଯୋଗ କରିଆସୁଛନ୍ତି। ବିତର୍କ ବେଳେ ବିରୋଧୀ ଦଳ ନେତାମାନେ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କ ଉପରେ ଚାପ ଓ ଆତ୍ମହତ୍ୟା ପ୍ରସଙ୍ଗ ମଧ୍ୟ ଉଠାଇ ପାରନ୍ତି ।

ଜାଣିରଖିବା ଉଚିତ ଯେ, ଡିସେମ୍ବର ୧ରେ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ବିରୋଧୀ ଦଳମାନେ  ଏସ୍‌ଆଇଆର୍‌ ଉପରେ ବିତର୍କ ଦାବିରେ ଦୁଇ ଦିନ ଧରି ଉଭୟ ଗୃହ ଭିତରେ ଓ ବାହାରେ ପ୍ରତିବାଦ କରିଥିଲେ ।  ଦୀର୍ଘ ଆଲୋଚନା ପରେ ବିତର୍କ ପାଇଁ ସରକାର ଓ ବିରୋଧୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିଲା ।