କନକବ୍ୟୁରୋ : ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ବନାଞ୍ଚଳ ଯୋରନ୍ଦା ଫରେଷ୍ଟ ସେକ୍ସନ୍ ଅଧୀନ ନୂଆକାଟେଣୀ ଠାରେ ଜଙ୍ଗଲ ଜମିକୁ ହଡ଼ପ କରିଛନ୍ତି ମାଫିଆ। କାଟି ନେଉଛନ୍ତି ବହୁ ମୂଲ୍ୟବାନ ଗଛ ସବୁ l ଅଭିଯୋଗ କଲେ ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ୧୩ଟି  ଗାଁ  ଲୋକେ ମେଳି ହୋଇ ପ୍ରତିବାଦ ପାଇଁ ଅଣ୍ଟା ଭିଡ଼ିଲେଣି। 

Advertisment

ଷଡ଼ଙ୍ଗୀ ରେଞ୍ଜ ବାଇଁଶିଆଁ ଓ ରାଇତଲା ପଞ୍ଚାୟତ ଅଧୀନରେ ଥିବା ମାଫିଆ ଜଙ୍ଗଲରୁ ଗଛ କାଟିବାକୁ ପ୍ରୟାସ ।  ପୁରୁଷାନୁକ୍ରମେ ସୁରକ୍ଷା ଦେଇଆସୁଥିବା ସବୁଜିମା ଜଙ୍ଗଲ ଶ୍ରୀହୀନ ହେବାକୁ ବସିଛି। ଏହା ହେବାକୁ ଦିଆଯିବ ନାହିଁ। ଜଙ୍ଗଲ ଦସ୍ୟୁଙ୍କ ବିରୋଧରେ ସ୍ୱର ଶାଣିତ କରିଛି ବନ ସୁରକ୍ଷା ସମିତି ।  ମହାସମାବେଶ କରି ପ୍ରଶାସନକୁ ସତର୍କ କରାଇଛନ୍ତି ୧୩ଟି ଗାଁର ଅଧିବାସୀ। ଜଙ୍ଗଲ ପଦା କରିବାକୁ ଯୋଜନା କରୁଥିବା ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ନଚେତ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ୫ଶହରୁ ଅଧିକ ଲୋକ । 

୧୯୮୦ ମସିହାରୁ ଶାଳ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛନ୍ତି ଗଁଦିଆ ବ୍ଲକ୍ ବାଇଁଶିଆ ଓ ରାଇତଳା ପଞ୍ଚାୟତବାସୀ। ପ୍ରାୟ ୭୦୦ ଏକର ଜଙ୍ଗଲ ଜମିରେ ବିଭିନ୍ନ ପ୍ରକାର ବୃକ୍ଷଲତା ଭରି ରହିଛି। ବନବିଭାଗ ପକ୍ଷରୁ  ସୀମା ଚିହ୍ନଟ କରାଯାଇଛି। ୨୦୨୩-୨୪ରେ ବନବିଭାଗ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ବନୀକରଣ କରିଛି। ତା' ମଧ୍ୟରେ ଗୋଟିଏ ସଭାଗୃହ ଓ ଫରେଷ୍ଟ ବିଟ୍ ରହିଛି। ଜଣେ ବନରକ୍ଷକ ନିଯୁକ୍ତ ହୋଇଛନ୍ତି ।

ହେଲେ ଏବେ ଏହି ଜଙ୍ଗଲକୁ କବ୍‌ଜା କରିବା ପାଇଁ ଉଦ୍ୟମ କରୁଛନ୍ତି ଜଣେ ବ୍ୟକ୍ତି। ଗତ ୧ ତାରିଖରେ ବ୍ୟକ୍ତି ଜଣକ ୪୦ରୁ ୫୦ ଲୋକ ଲଗାଇ ୧୦ ଏକର ଜଙ୍ଗଲକୁ ସଫା କରିଦେଇଛନ୍ତି। ଶାଳ ସହ ବିଭିନ୍ନ ପ୍ରକାର ଗଛ କାଟି ପକାଇଛନ୍ତି। ୪ଦିନ ପରେ ଗ୍ରାମବାସୀ  ଏହା ଜାଣି ବନଖଣ୍ଡ ଅଧିକାରୀ ଓ ସ୍ଥାନୀୟ ଫରେଷ୍ଟରଙ୍କୁ ଅବଗତ କରାଇଛନ୍ତି । ରାସାୟନିକ ଔଷଧ ପ୍ରୟୋଗ କରି ପୁରୁଣା ଶାଳଗଛ ଗୁଡ଼ିକୁ ମାରିବା ପାଇଁ ପ୍ରୟାସ! କରୁଥିବା ଅଭିଯୋଗ କରିଛନ୍ତି ।  ମରିବୁ ପଛେ, ଜଙ୍ଗଲ ଜମି ମାଫିଆ ହାତକୁ ଟେକି ଦେବୁନି। ଡିଏଫ୍ଓ ଏବଂ ଜିଲ୍ଲା ପ୍ରଶାସନ ସମସ୍ୟାର ସମାଧାନ ନକଲେ ପିସିସିଏଫ୍, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ମନ ସ୍ଥିର କରିଛି ବନ ସୁରକ୍ଷା ସମିତି।