କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ଜମ୍ମୁ-କାଶ୍ମୀରରେ ପରିସ୍ଥିତି ବିଗିଡ଼ିଛି । ବୁଧବାର ଦିନ କାଟରାରେ ଥିବା ମାତା ବୈଷ୍ଣୋ ଦେବୀ ଯାତ୍ରା ମାର୍ଗରେ ଏକ ବଡ଼ ଧରଣର ଭୂସ୍ଖଳନ ହେବାରୁ ଅତି କମରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୩ ଜଣ ଆହତ ହୋଇଛନ୍ତି । ଅନେକ ସ୍ଥାନରେ ଭୂସ୍ଖଳନ ପରେ ମାଟି ଅତଡ଼ା ଖସିବା ଏବଂ ପଥର ଖସିବା କାରଣରୁ ଜମ୍ମୁ-କାଟରା ରାଜପଥ ବନ୍ଦ ହୋଇଯାଇଛି । ପ୍ରବଳ ବର୍ଷା ହେତୁ ଉତ୍ତର ରେଳବାଇ ବୁଧବାର ଦିନ ୨୨ଟି ଟ୍ରେନ୍ ବାତିଲ କରିଛି ଏବଂ ୨୭ଟି ଟ୍ରେନକୁ ସର୍ଟ-ଟର୍ମିନେଟ୍ କରାଯାଇଛି । ଏଥିରେ ବୈଷ୍ଣୋ ଦେବୀ ବେସ୍ କ୍ୟାମ୍ପରୁ ଚାଲୁଥିବା ୯ଟି ଟ୍ରେନ୍ ମଧ୍ୟ ସାମିଲ ଅଛି ।
/filters:format(webp)/kanak/media/media_files/2025/08/27/mata-vaishno-devi-2025-08-27-09-58-34.jpg)
ଗତକାଲି ତ୍ରିକୂଟ ପାହାଡ଼ରେ ଥିବା ମନ୍ଦିରର ରାସ୍ତାର ଏକ ବଡ଼ ଅଂଶ ମାଟି ଅତଡ଼ାରେ ପରିଣତ ହୋଇଥିଲା । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଆଶଙ୍କା କରାଯାଉଛି ଯେ ମାଟି ଅତଡ଼ା ତଳେ ଆହୁରି ଅନେକ ଲୋକ ଫସି ରହିଥାଇ ପାରନ୍ତି । ଲଗାଣ ବର୍ଷା ଯୋଗୁଁ ଜମ୍ମୁ-କାଶ୍ମୀରରେ ବନ୍ୟା ଏବଂ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇଛି । ଜମ୍ମୁରେ ପୋଲ ଭାଙ୍ଗିଯାଇଛି, ବିଦ୍ୟୁତ୍ ଲାଇନ ଏବଂ ମୋବାଇଲ୍ ଟାୱାରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ମଙ୍ଗଳବାର ଦିନ ସକାଳ ୧୧.୩୦ରୁ ସନ୍ଧ୍ୟା ୫.୩୦ ମଧ୍ୟରେ ଜମ୍ମୁରେ ୬ ଘଣ୍ଟାରେ ୨୨ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ଯଦିଓ ଅଧା ରାତି ପରେ ବର୍ଷା କମିଯାଇଥିଲା, ଯାହା ଜିଲ୍ଲାକୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ବର୍ଷା ଯୋଗୁଁ ହୋଇଥିବା ବନ୍ୟା ଏବଂ ଜଳବନ୍ଦୀରୁ ୩,୫୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲା ପ୍ରଶାସନ, ଜେକେ ପୁଲିସ, ଏନଡିଆରଏଫ୍, ଏସଡିଆରଏଫ୍, ଭାରତୀୟ ସେନା ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ମିଳିତ ଦଳ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ପ୍ରଭାବିତ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ ଏବଂ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଉଛି ।
/filters:format(webp)/kanak/media/media_files/2025/08/27/vaishno_devi_landslide_death_lis-2025-08-27-09-59-31.jpg)
ବୈଷ୍ଣୋ ଦେବୀ ଧାମର ରାସ୍ତାରେ ଭୂସ୍ଖଳନ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୯ ଜଣଙ୍କର ପରିଚୟ ମିଳିପାରି ନାହିଁ ।
ଅନେକ ଅଞ୍ଚଳରେ ଟେଲିକମ୍ ବ୍ଲାକଆଉଟ୍ ହୋଇଛି ଯେଉଁ କାରଣରୁ ଲକ୍ଷ ଲକ୍ଷ ଲୋକ ସମ୍ପର୍କରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ପ୍ରଶାସନର ଧ୍ୟାନ ଅଧିକ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ଉପରେ ରହିଛି । ବର୍ତ୍ତମାନ ଜମ୍ମୁ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଝଡ଼ ଏବଂ ବର୍ଷା ହେଉଛି । ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକ ହେଉଛି - ଜମ୍ମୁ ସହର, ଆରଏସପୁରା, ସାମ୍ବା, ଅଖନୁର, ନଗରୋଟା, କୋଟ ଭଲୱାଲ, ବିଶ୍ନାହ, ବିଜୟପୁର, ପୁରମଣ୍ଡଳ, କାଠୁଆ ଏବଂ ଉଦ୍ଧମପୁର । ସେହିପରି ରିୟାସି, ରାମବାଣ, ଡୋଡା, ବିଲାୱାର, କାଟରା, ରାମନଗର, ହିରାନଗର, ଗୁଲ ଏବଂ ବନିହାଲରେ ସାମାନ୍ୟ ବର୍ଷା ହେଉଛି । ପ୍ରବଳ ବର୍ଷା ହେତୁ ଉତ୍ତର ରେଳବାଇ ବୁଧବାର ଦିନ ୨୨ଟି ଟ୍ରେନ୍ ବାତିଲ କରିଛି ଏବଂ ୨୭ଟି ଟ୍ରେନକୁ ସର୍ଟ-ଟର୍ମିନେଟ୍ କରାଯାଇଛି । କାଟରା, ଜମ୍ମୁ ଏବଂ ଉଦ୍ଧମପୁରରୁ ଚାଲୁଥିବା ଅନେକ ସର୍ଭିସ ପ୍ରଭାବିତ ହୋଇଛି, ଯେଉଁଥିରେ ବୈଷ୍ଣୋ ଦେବୀ ବେସ୍ କ୍ୟାମ୍ପରୁ ଚାଲୁଥିବା ୯ଟି ଟ୍ରେନ୍ ମଧ୍ୟ ସାମିଲ ଅଛି । ଚକ୍କି ନଦୀରେ ବନ୍ୟା ଆସିବା କାରଣରୁ ପଠାନକୋଟ-କାନ୍ଦରୋରୀ (ହିମାଚଳ ପ୍ରଦେଶ) ମଧ୍ୟରେ ରେଳ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି । ଯଦିଓ କାଟରା-ଶ୍ରୀନଗର ମାର୍ଗ ପ୍ରଭାବିତ ହୋଇନାହିଁ ।