କନକ ବ୍ୟୁରୋ : ରୋଷ କରିଛି ପ୍ରକୃତି , ଦେବଭୂମିରୁ ନେଇ ଭୂସ୍ବର୍ଗ ପର୍ଯ୍ୟନ୍ତ ଚାରିଆଡ଼େ ହାହାକାର । ମା’ ବୈଷ୍ଣୋ ଦେବୀଙ୍କ ପାଖକୁ ତୀର୍ଥଯାତ୍ରା ପାଇଁ ଯାଇଥିବା ଶ୍ରଦ୍ଧାଳୁ ଏବେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାରଣ ତୀର୍ଥଯାତ୍ରା ଏବେ ପାଲଟି ଯାଇଛି ମହାଯାତ୍ରା । ଭୂସ୍ଖଳନ ହେବା ଫଳରେ ଚାଲିଗଲାଣି ୩୧ ଜଣଙ୍କ ଜୀବନ । ଜମ୍ମୁ-କାଶ୍ମୀରର ତ୍ରିକୁଟା ପାହାଡ଼ରେ ଅବସ୍ଥିତ ମା’ ବୈଷ୍ଣୋ ଦେବୀଙ୍କ ମନ୍ଦିର ମାର୍ଗରେ ପ୍ରକୃତି ଦେଖାଇଛି ରୌଦ୍ର ରୂପ । ପ୍ରବଳ ବର୍ଷାରେ ମନ୍ଦିର ମାର୍ଗରେ ଭୂସ୍ଖଳନ ହୋଇଛି । ଅର୍ଦ୍ଧକୁମାରୀ ଗୁମ୍ପା ମନ୍ଦିରର ୨୭୧ ଟି ସିଡ଼ି ଉପରେ ହଠାତ ଜୋରଦାର ଶବ୍ଦ ହେଲା ଏବଂ ପାହାଡ଼ରୁ ମାଟି ଅତଡ଼ା ଏବଂ ବଡ଼ ବଡ଼ ପଥର ଖଣ୍ଡ ଆସିଲା । ମାଟି ଅତଡ଼ାର ଆକ୍ରୋଶରେ ୫ ଜଣଙ୍କ ଜୀବନ ଯିବା ସହ ୧୪ ଜଣ ଆହତ ହୋଇଥିଲେ । ତେବେ ବର୍ତ୍ତମାନର ସୂଚନା ଅନୁସାରେ ମୃତକଙ୍କ ସଂଖ୍ୟା ୩୧ ରେ ପହଞ୍ଚିଲାଣି । ଘଟଣା ପରେ ବୈଷ୍ଣୋ ଦେବୀ ଯାତ୍ରାକୁ ତୁରନ୍ତ ବନ୍ଦ କରାଯାଇଥିଲା । ଅନ୍ୟପଟେ ଉତ୍ତର ରେଳବାଇ ମଙ୍ଗଳବାର ଦିନ କାଟରା , ଉଦ୍ଧମପୁର ଏବଂ ଜମ୍ମୁ ରେଳ ଷ୍ଟେସନରୁ ଯିବା,ଆସିବା କରୁଥିବା ୧୮ ଟି ଟ୍ରେନକୁ ବାତିଲ୍ କରିଦେଇଛି । 

Advertisment
Mata-Vaishno-Devi-
Mata-Vaishno-Devi- Photograph: (google)

ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରକୁ ଆସିଥା’ନ୍ତି । କିନ୍ତୁ ମଙ୍ଗଳବାର ଦିନ ଯାତ୍ରାରେ ଅମଙ୍ଗଳ ହୋଇଗଲା । ପଥର ଖସିବା କାରଣରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଧାଁଧପଡ଼ ଆରମ୍ଭ ହୋଇଗଲା । ପଞ୍ଜାବ ମୋହାଲିର କିରଣ ମଧ୍ୟ ସେହି ଲୋକଙ୍କ ମଧ୍ୟରେ ସାମିଲ ଥିଲେ ଯେଉଁମାନେ ପଥର, ଗଛ ଏବଂ ପାହାଡ଼ ଖଣ୍ଡର ବର୍ଷା ମଧ୍ୟରେ ଘେରି ହୋଇଯାଇଥିଲେ । କିରଣ କାଟରାର ଏକ ଡାକ୍ତରଖାନାରେ ସାମ୍ବାଦିକଙ୍କୁ କହିଥିଲେ ଯେ ‘ମୁଁ ଦର୍ଶନ କରିବା ପରେ ପାହାଡ଼ରୁ ତଳକୁ ଆସୁଥିଲି । ସେତିକିବେଳେ ଲୋକମାନେ ଚିତ୍କାର କରିବା ଆରମ୍ଭ କରିଦେଲେ । ମୁଁ ପଥର ଖସୁଥିବାର ଦେଖିଲି ଏବଂ ସୁରକ୍ଷିତ ସ୍ଥାନ ଆଡ଼କୁ ଦୌଡ଼ିଲି କିନ୍ତୁ ଦୁର୍ଭାଗ୍ୟବଶତଃ ଆହତ ହୋଇଗଲି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଏବଂ ଘଟଣା ଦେଖି ଅବାକ୍ ହୋଇଯାଇଥିବା ଅନ୍ୟ ଏକ ଝିଅ କହିଥିଲେ ଯେ ‘ଆମେ ପାଞ୍ଚ ଜଣ ଗ୍ରୁପରେ ଯାଇଥିଲୁ ଯେଉଁଥିରୁ ତିନି ଜଣ ଆହତ ହୋଇଛନ୍ତି । ଅଧିକାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଦୁର୍ଘଟଣାରେ ଆହତ ହୋଇଥିବା ଶ୍ରଦ୍ଧାଳୁ ମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି ।

Landslide
Landslide Photograph: (Google)

ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଲଗାତାର ପରିସ୍ଥିତି ଉପରେ ନଜର ରଖିଛନ୍ତି । ପାଣିପାଗ ବିଭାଗ ଅନୁସାରେ ନିକଟରେ ହୋଇଥିବା ପ୍ରବଳ ବର୍ଷା କାରଣରୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ପୂର୍ବରୁ ହିଁ ରହିଥିଲା । ପ୍ରଶାସନ ପୂର୍ବରୁ ହିଁ ତୀର୍ଥଯାତ୍ରୀମାନଙ୍କୁ ସତର୍କ ରହିବା ପାଇଁ ଏବଂ ପାଣିପାଗର ସୂଚନା ନେଇ ଯାତ୍ରା କରିବା ପାଇଁ ପରାମର୍ଶ ଦେଇଥିଲା । ଅନ୍ୟପଟେ ମଙ୍ଗଳବାର ଦିନ ହିଁ ଜମ୍ମୁ-କାଶ୍ମୀରର ଡୋଡା ଜିଲ୍ଲାରେ ପ୍ରବଳ ବର୍ଷାରେ ଚାରି ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ଗତ ୨୪ ଘଣ୍ଟା ଧରି ଲଗାତାର ହେଉଥିବା ବର୍ଷା କାରଣରୁ ଜମ୍ମୁ ସମ୍ଭାଗରେ ବନ୍ୟା ପରିସ୍ଥିତି ଆହୁରି ବିଗିଡ଼ି ଯାଇଛି । ଅଧିକାରୀମାନେ କହିଛନ୍ତି ଯେ ଡୋଡା ଜିଲ୍ଲାରେ ଲଗାତାର ବର୍ଷା କାରଣରୁ ହଠାତ୍ ଆସିଥିବା ବନ୍ୟାରେ ଦୁଇ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।