Baibhav-Suryavanshi Photograph: (kanak news)
କନକ ବ୍ୟୁରୋ :ପୁଣି କମାଲ କଲେ ବୈଭବ , ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କୁ ଚମକାଇଦେଲେ ଏହି କମ ବୟସର ଷ୍ଟାର କ୍ରିକେଟର । ଆଇପିଏଲ ପରେ ଏସିଆ କପ୍ ରାଇଜିଂ ଷ୍ଟାର୍ସ ଟୁର୍ଣ୍ଣାମେଣ୍ଟରେ ନିଜର ଶକ୍ତି ଦେଖାଇଛନ୍ତି ବୈଭବ । ଆଉ ଧୂଆଁଧାର ପାଳି ପରେ ତାଙ୍କ ପାଇଁ ଟିମ୍ ଇଣ୍ଡିଆର ରାସ୍ତା ସହଜ ହୋଇଯାଇଛି । ଏସିସି ପୁରୁଷ ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୫ରେ ବୈଭବ ସୂର୍ଯ୍ୟବଂଶୀ ପ୍ରଥମ ମ୍ୟାଚରେ ଧମାକା କରିଥିଲେ । ନଭେମ୍ବର ୧୪ (ଶୁକ୍ରବାର) ଦିନ ଦୋହାର ୱେଷ୍ଟ ଏଣ୍ଡ ପାର୍କ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ମିଳିତ ଆରବ ଏମିରେଟ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ବୈଭବ ମାତ୍ର ୩୨ ବଲରେ ଶତକ ହାସଲ କରିଥିଲେ । ଶତକ ପୂରଣ କରିବା ପରେ ମଧ୍ୟ ବୈଭବଙ୍କ ତେଜ କମିନଥିଲା । ସେ ମୋଟ ୪୨ ବଲରେ ୧୪୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ, ଯେଉଁଥିରେ ୧୫ ଛକା ଏବଂ ୧୧ ଚୌକା ସାମିଲ ଥିଲା ।
୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏହି ଇନିଂସ ସମୟରେ ମାତ୍ର ୧୭ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ । ବୈଭବ ନମନ ଧୀରଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ମାତ୍ର ୫୬ ବଲରେ ୧୬୩ ରନ୍ ଯୋଡିଥିଲେ । ନମନ ୨୨ ବଲରେ ୩୪ ରନ୍ କରିଥିଲେ । ବୈଭବ ମହମ୍ମଦ ଫରାଜୁଦ୍ଦିନଙ୍କ ବଲରେ ଅହମଦ ତାରିକ୍ ହାତରେ କ୍ୟାଚ୍ ହୋଇଥିଲେ । ବୈଭବଙ୍କ ୩୨ ବଲରେ ଶତକ ପୁରୁଷ ଟି୨୦ କ୍ରିକେଟରେ ଦ୍ରୁତତମ ଭାରତୀୟ ଶତକ ତାଲିକାରେ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛି ।
ଅଧିକ ପଢ଼ନ୍ତୁ--ଗୋବର ବିକି ମାଲାମାଲ୍ : ବିଦେଶୀ ମାର୍କେଟରେ ୪୦୦ କୋଟିର ବେପାର ଦେଉଛି ଗୋବର
ଏହା ସହିତ ବୈଭବ ସୂର୍ଯ୍ୟବଂଶୀ ପ୍ରଥମ କ୍ରିକେଟର ହୋଇଛନ୍ତି, ଯିଏ ପୁରୁଷ ଟି୨୦ କ୍ରିକେଟରେ ଦୁଇଥର ୩୫ କିମ୍ବା ତା'ଠାରୁ କମ୍ ବଲରେ ଶତକୀୟ ଇନିଂସ ଖେଳିଛନ୍ତି । ବୈଭବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମାତ୍ର ୩୫ ବଲରେ ଶତକ ହାସଲ କରିଥିଲେ । ଏହା IPLରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ରୁତତମ ଶତକ ଥିଲା । ବୈଭବ ନିକଟ ଅତୀତରେ ଅଣ୍ଡର-୧୯ କ୍ରିକେଟରେ ମଧ୍ୟ ଚମତ୍କାର ଫର୍ମରେ ରହିଥିଲେ । ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜରେ ବୈଭବ ୩ ଇନିଂସରେ ୧୩୩ ରନ୍ କରିଥିଲେ, ଯେଉଁଥିରେ ପ୍ରଥମ ମ୍ୟାଚରେ ୮୬ ବଲରେ ୧୧୩ ରନ୍ ମଧ୍ୟ ସାମିଲ ଥିଲା । ସେହିପରି ଇଂଲଣ୍ଡ ଗସ୍ତରେ ଅଣ୍ଡର-୧୯ ଦିନିକିଆ ସିରିଜରେ ସେ ୭୧.୦୦ ହାରରେ ୩୫୫ ରନ୍ କରିଥିଲେ । ବୈଭବ ୧୨ ବର୍ଷ ବୟସରେ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ ଏବଂ ୧୩ ବର୍ଷ ବୟସରେ IPL କଣ୍ଟ୍ରାକ୍ଟ ପାଇଥିଲେ । ତା’ପରେ IPLରେ ଶତକ ହାସଲ କରିଥିଲେ, ଯାହା ସହିତ ସେ ଟି୨୦ କ୍ରିକେଟରେ ସର୍ବକନିଷ୍ଠ ଶତକଧାରୀ ହୋଇଥିଲେ ।
ଅଳ୍ପ ବୟସରୁ ବଡ଼ ମଞ୍ଚରେ କ୍ରମାଗତ ଭାବେ ଚମତ୍କାର ପ୍ରଦର୍ଶନ ଏବଂ ରେକର୍ଡ଼ ଭଙ୍ଗା ଇନିଂସ ଏହା ଦର୍ଶାଉଛି ଯେ ବୈଭବ ସୂର୍ଯ୍ୟବଂଶୀ ଭବିଷ୍ୟତରେ ଭାରତୀୟ କ୍ରିକେଟର ବଡ଼ ତାରକା ହୋଇପାରନ୍ତି । ବୈଭବ ଇଣ୍ଡିଆ ଅଣ୍ଡର-୧୯ ଏବଂ ଇଣ୍ଡିଆ-ଏ ଦଳର ଅଂଶ ହୋଇସାରିଛନ୍ତି । ବର୍ତ୍ତମାନ ସିନିୟର ଦଳରେ ପ୍ରବେଶ କରିବା ଅପେକ୍ଷାରେ ଅଛନ୍ତି । ଅନ୍ତତଃ ପକ୍ଷେ ଟି୨୦ ଅନ୍ତର୍ଜାତୀୟ ପାଇଁ ବୈଭବଙ୍କୁ ଭାରତୀୟ ଚୟନକର୍ତ୍ତା ଆଗାମୀ ମାସରେ ଚୟନ କରିପାରନ୍ତି । ତାଙ୍କର ବର୍ତ୍ତମାନର ଫର୍ମକୁ ଦୃଷ୍ଟିରେ ରଖି ଏହି ଚର୍ଚ୍ଚା ତୀବ୍ର ହୋଇଛି ।
ବୈଭବ ସୂର୍ଯ୍ୟବଂଶୀ ଏପର୍ଯ୍ୟନ୍ତ ୮ଟି ପ୍ରଥମ ଶ୍ରେଣୀ, ୬ଟି ଲିଷ୍ଟ-ଏ ଏବଂ ୯ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି । ପ୍ରଥମ ଶ୍ରେଣୀ ମ୍ୟାଚରେ ବୈଭବ ୧୭.୨୫ ହାରରେ ଏବଂ ଗୋଟିଏ ଅର୍ଦ୍ଧଶତକ ସହାୟତାରେ ୨୦୭ ରନ୍ କରିଛନ୍ତି । ସେହିପରି ଲିଷ୍ଟ-ଏ ମ୍ୟାଚରେ ବୈଭବଙ୍କ ନାମରେ ୨୨.୦୦ ହାରରେ ୧୩୨ ରନ୍ ରହିଛି । ଲିଷ୍ଟ-ଏ ରେ ବୈଭବ ଗୋଟିଏ ଅର୍ଦ୍ଧଶତକ କରିଛନ୍ତି ଏବଂ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୧୦.୦୦ ରହିଛି । ସେହିପରି ଟି୨୦ କ୍ରିକେଟରେ ବୈଭବ ସୂର୍ଯ୍ୟବଂଶୀ ୪୫.୪୪ ହାରରେ ୪୦୯ ରନ୍ କରିଛନ୍ତି, ଯେଉଁଥିରେ ୨ଟି ଶତକ ଏବଂ ୧ଟି ଅର୍ଦ୍ଧଶତକ ସାମିଲ ରହିଛି । ଟି୨୦ କ୍ରିକେଟରେ ବୈଭବଙ୍କ ଷ୍ଟ୍ରାଇକ୍ ରେଟ୍ ୨୦୦ରୁ ଅଧିକ ରହିଛି, ଯାହା ତାଙ୍କର ଧୂଆଁଧାର ବ୍ୟାଟିଂର ପ୍ରମାଣ ଦେଉଛି । ବୈଭବ ଘରୋଇ କ୍ରିକେଟରେ ବିହାରର ପ୍ରତିନିଧିତ୍ୱ କରନ୍ତି ।
Follow Us