କନକ ବ୍ୟୁରୋ: ବଢୁଛି ବୈଭବଙ୍କ କ୍ରେଜ । ଭାରତୀୟ କ୍ରିକେଟ ଜଗତର ଉଜ୍ଜ୍ୱଳ ତାରକା ବନିଗଲେଣି ବୈଭବ । ଆଇପିଏଲରେ ଧୂଆଁଧାର ବ୍ୟାଟିଂ କରି ସମସ୍ତଙ୍କ ମନଜିଣିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ମାଟିରେ ଦମଦାର ପ୍ରଦର୍ଶନ କରିବା ସହ ଅନେକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ବୈଭବଙ୍କୁ ନେଇ ଏବେ ଏଥିପାଇଁ ଚର୍ଚ୍ଚା, ଯେତେବେଳେ ତାଙ୍କୁ ଭେଟିବାକୁ ଇଂଲଣ୍ଡରେ ପହଞ୍ଚିଥିଲେ ଦୁଇ ଜଣ ପ୍ରଶଂସିକା । ୬ ଘଣ୍ଟାର ଯାତ୍ରା କରି ଏହି ଦୁଇ ଜଣ ପ୍ରଶଂସିକା ବୈଭବଙ୍କୁ ଦେଖାକରିଛନ୍ତି । ସେମାନେ ହେଉଛନ୍ତି ଅନନ୍ୟା ଓ ରିଭା । ୧୯ ବର୍ଷରୁ କମ୍ ଭାରତୀୟ ଟିମ୍ ବେକେନହାମରେ ପହଞ୍ଚିବା କଥା ଜାଣିବା ପରେ ସେମାନେ ବୈଭବଙ୍କୁ ଭେଟିବାକୁ ସ୍ଥିର କରିଥିଲେ । ଅନନ୍ୟା ଓ ରିଭା ବୈଭବଙ୍କୁ ଭେଟିବା ସହ ଫଟୋ ମଧ୍ୟ ଉଠାଇଛନ୍ତି । ଏମାନେ ଦୁଇଜଣ ରାଜସ୍ଥାନ ରୟାଲ୍ସର ସମର୍ଥକ । ସେମାନେ ରାଜସ୍ଥାନର ଜର୍ସି ପିନ୍ଧି ବୈଭବଙ୍କ ପାଖରେ ପହଞ୍ଚିଥିଲେ । ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ ପରଠୁ ବଢି ଚାଲିଛି ବୈଭବଙ୍କ କ୍ରେଜ ।
ଇଂଲଣ୍ଡରେ ଗର୍ଜିଛି ବୈଭବଙ୍କ ବ୍ୟାଟ୍ । ଇତିହାସ ରଚିଛନ୍ତି ବୈଭବ ସୂର୍ଯ୍ୟବଂଶୀ । କୁନି ବୟସରୁ କ୍ରିକେଟରେ ଅନେକ କମାଲ କଲେଣି ବୈଭବ । ଯୁବ ଦିନିକିଆରେ ଦ୍ରୁତତମ ଶତକ ହାସଲ କରିଛନ୍ତି ବୈଭବ । ଭାରତୀୟ ୧୯ବର୍ଷରୁ କମ୍ ଦଳ ପାଇଁ ଖେଳି ଇଂଲଣ୍ଡ ବିପକ୍ଷ ଏକଦିବସୀୟ ସିରିଜରେ ଅନେକ ରେକର୍ଡ ସ୍ଥାପନ କରିଛନ୍ତି ବୈଭବ । ୫ଟି ଦିନିକିଆ ମ୍ୟାଚରୁ ମୋଟ୍ ୩୫୫ ରନ୍ କରିବା ସହ ସେ ସିରିଜର ସର୍ବାଧିକ ସ୍କୋରର ବନିଛନ୍ତି ।
୧୭ବର୍ଷୀୟ ଆୟୁଷ ମାହାତ୍ରେଙ୍କ ନୈତୃତ୍ୱରେ ଏବେ ଇଂଲଣ୍ଡ ଗସ୍ତରେ ଅଛି ଭାରତୀୟ ୧୯ବର୍ଷରୁ କମ୍ କ୍ରିକେଟ ଦଳ । ୫ଟିକିଆ ମ୍ୟାଚ୍ ବିଶିଷ୍ଟ ଯୁବ ଏକଦିବସୀୟ ସିରିଜକୁ ୩-୨ରେ ଜିତିନେଇଛି ଟିମ୍ ଇଣ୍ଡିଆ । ପୂରା ସିରିଜରେ ଦମଦାର ପ୍ରଦର୍ଶନ କରିଛନ୍ତି ୧୪ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ଚତୁର୍ଥ ଦିନିକିଆରେ ବୈଭବଙ୍କ ବ୍ୟାଟରୁ ହୋଇଥିଲା ଛକା ଚୌକାର ବର୍ଷା । ୧୦ଟି ଛକା ଓ ୧୩ଟି ଚୌକା ସହ ୭୮ଟି ବଲରୁ ୧୪୩ରନର ଶତକୀୟ ଇନିଂସ ଖେଳିଛନ୍ତି ବୈଭବ । ମାତ୍ର ୫୨ଟି ବଲରୁ ସେ ଶତକ ପୂରଣ କରିଥିଲେ । ଏହା ଯୁବ ଦିନିକିଆରେ ଯେକୌଣସି ବ୍ୟାଟରଙ୍କ ଦ୍ୱାରା ଦ୍ରୁତତମ ଶତକ । ଏହି ଇନିଂସ ସହ ପାକିସ୍ତାନର ୱାସିମ ଆକ୍ରମଙ୍କ ୬୨ ବଲରୁ ଶତକର ରେକର୍ଡକୁ ଭାଙ୍ଗିଛନ୍ତି । ଏହା ସହ ୧୯ ବର୍ଷରୁ କମ୍ ଦିନିକିଆ ମ୍ୟାଚରେ ସର୍ବାଧିକ ଛକା ମାରିଥିବା ଭାରତୀୟ ବନିଛନ୍ତି ବୈଭବ । କ୍ରମାଗତ ଭାବେ ଏହିଭଳି ପ୍ରଦର୍ଶନ ଜାରି ରହିଲେ, ହୁଏତ ସିନିୟର ଟିମ୍ ଚୟନକର୍ତ୍ତାଙ୍କ ନଜରକୁ ଆସିପାରିବେ ବୈଭବ ସୂର୍ଯ୍ୟବଂଶୀ ।