କନକ ବ୍ୟୁରୋ: ଭାରତୀୟ ଯୁବ ଦଳ ଷଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଜିତିବା ପରଠାରୁ ଚର୍ଚ୍ଚା ଓ ଆଲୋଚନା ପରିସରରେ ରହିଛନ୍ତି ୧୪ ବର୍ଷୀୟ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ। ଫାଇନାଲ୍‌ରେ ମାତ୍ର ୮୦ ବଲ୍‌ରୁ ୧୭୫ ରନ୍‌ର ଧୂଆଁଧାର ଶତକ ହାସଲ କରିବା ପରେ ବୈଭବ ମଧ୍ୟ ନୂଆ ଦୁନିଆରେ ରହିଛନ୍ତି। ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ବୈଭବ କହିଛନ୍ତି ‘ଏବେ ବହୁତ ଦୂର ଯିବାର ଅଛି’। ବିହାରର ସମସ୍ତିପୁରରୁ ଆସିଥିବା ଏହି ବିସ୍ମୟ ବାଳକ ବିଶ୍ବକପ୍‌ ଟ୍ରଫି ସହ ନିଜର ଏକ ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌‌ରେ ଅପଲୋଡ୍‌ କରି ଲେଖିଛନ୍ତି ‘ମୁଁ ବାସ୍ତବରେ ବହୁତ ଖୁସି, ବିଶ୍ବକପ୍‌ ବିଜୟରେ ମୁଁ ଯୋଗଦାନ ରଖିପାରିଥିବାରୁ ଏହା ମୋ ହୃଦୟରେ ଅନେକ ବର୍ଷ ଯାଏ ସ୍ବତନ୍ତ୍ର ସ୍ଥାନ ଦଖଲ କରି ରହିବ’।

Advertisment

ଆହୁରି ପଢ଼ନ୍ତୁ... ଡେଭିସ୍‌ କପ୍‌: ଭାରତ-ନେଦରଲାଣ୍ଡ୍‌ସ ୧-୧, ଡି ସୁରେଶ ରଖିଲେ ସମ୍ମାନ

ବୈଭବଙ୍କୁ ୨୦୦୮ ଜୁନିଅର୍‌ ବିଶ୍ବକପ୍‌ ବିଜେତା ଅଧିନାୟକ ବିରାଟ କୋହଲି ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତୀୟ ବରିଷ୍ଠ ଦଳ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ଘୋଷଣା କରିଛନ୍ତି ‘ଏକ ଉଜ୍ବଳ ଭବିଷ୍ୟତ ଆସି ଉପନୀତ’। ସୂର୍ଯ୍ୟବଂଶୀଙ୍କ ପାଇଁ ଗୋଟିଏ ବାର୍ତ୍ତା ସ୍ପଷ୍ଟ ଯେ ‘ଏହା ଆରମ୍ଭ ମାତ୍ର’। ଗୋଟିଏ ଦିନ ପୂର୍ବରୁ ପୂର୍ବତନ କ୍ରିକେଟର୍‌ କ୍ରିଷ୍ଣାମାଚାରି ଶ୍ରୀକାନ୍ତ ଦାବି କରିଥିଲେ ବୈଭବଙ୍କୁ ବରି‌‌ଷ୍ଠ ଦଳରେ ନିଆଯାଉ। କିନ୍ତୁ ଆଇସିସିର ୨୦୨୦ରେ ସଂଶୋଧିତ ନିୟମ ଅନୁସାରେ ୧୫ ବର୍ଷ ପୂର୍ଣ୍ଣ ନ ହେଲେ ବରିଷ୍ଠ ଦଳରେ ତାଙ୍କୁ ସୁଯୋଗ ଦିଆଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି।