କନକ ବ୍ୟୁରୋ: ପୁରା ଦେଶରେ ଆଇପିଏଲ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚର୍ଚ୍ଚା । କାରଣ ଏତେ କମ୍ ବୟସରେ ଦେଶର ଲୋକପ୍ରିୟ ଖେଳ ଆଇପିଏଲ ସେ ଖେଳିବାକୁ ଯାଉଛନ୍ତି । କିନ୍ତୁ ଏ ସଫଳତା ପଛରେ ଯେ କେତେ ସଂଘର୍ଷ ଲୁଚିରହିଛି ତାହା ଜାଣିଲେ ବାକ୍ରୁଦ୍ଧ ହେବେ ଆପଣ । କାରଣ ଏହି ଖେଳ ଲାଗି ଜମିବାଡ଼ି ସବୁ ବିକ୍ରି କରିଥିଲେ । ଆଉ ସେହି ଖେଳ ହିଁ ଏବେ ତାଙ୍କୁ ପରିଚୟ ଦେଇଛି । ବୟସ ମାତ୍ର ୧୩ । କିନ୍ତୁ କରିସ୍ମା ତାଙ୍କର ବେଶ ନିଆରା । କିଏ ଜାଣିଥିଲା ଏତେ କମ ବୟସରେ ଇତିହାସ ରଚିବେ ବୋଲି । ତାଙ୍କ ପାଇଁ ଖାଲି ଜିଲ୍ଳା ନୁହେଁ ସାରା ଭାରତ ବର୍ଷ ଗର୍ବିତ । ସର୍ବକନିଷ୍ଠ କ୍ରିକେଟ୍ଇଅର ଭାବେ ଆଇପିଏଲରେ ଏକ କୋଟି ୧୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି ୧୩ ବର୍ଷ ବୟସର ବୈଭବ । ବିହାରରେ ଜନ୍ମ ଗ୍ରହଣ କରିଥିବା ବୈଭବ ପରିବାରଠୁ ଆରମ୍ଭ କରି ଜିଲ୍ଲା ଏବଂ ସାରା ଦେଶକୁ ଗୌରବାନ୍ଵିତ କରିଛନ୍ତି । ଏହାରି ଭିତରେ ବୈଭବଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ ।
ଏହାପରେ ବୈଭବ ହେବାକୁ ଯାଉଛନ୍ତି ଆଇପିଏଲ ଖେଳିବାରେ ସର୍ବକନିଷ୍ଠ ଖେଳାଳି । କଥାରେ ଅଛି ବାପ ଥିଲା ପୁଅ ସଭାରେ ହାରେନି । ଠିକ୍ ସେମିତି ବୈଭବଙ୍କ ସଫଳତା ପଛରେ କେଉଁଠି ନା କେଉଁଠି ବାପାଙ୍କର ହାତ ରହିଛି । ପୁଅକୁ କ୍ରିକେଟର କରିବାରେ ବାପାଙ୍କୁ କିଛି କମ କଷ୍ଟ କରିବାକୁ ପଡିନି । ଖୋଦ୍ ବୈଭବଙ୍କ ବାପା କୁହନ୍ତିପୁଅ ପାଇଁ ବିଲବାଡି ବିକ୍ରି କରିଦେଇଛି । ବୈଭବ ୮ ବର୍ଷ ବୟସରେ ଅଣ୍ଡର-୧୬ ଡିଷ୍ଟ୍ରିକ୍ଟ ଟ୍ରାଏଲରେ ଖୁବଭଲ ପ୍ରଦର୍ଶନ କରିଥିଲା । ପରେ ପରେ ଟ୍ରେନିଂ ଦେବାକୁ ମୁଁ ସାଙ୍ଗରେ ଯାଏ । ହେଲେ ଏବେ ବି ଆର୍ଥିକ ଅବସ୍ଥା ଆମର ସୁଧୁରିନି ବୋଲି ତାଙ୍କ ବାପା କହିଛନ୍ତି । ଏବେ କିନ୍ତୁ ପୁଅ ଆଇପିଏଲରେ ନିଲାମୀ ହେବାପରେ ଗର୍ବ ଅନୁଭବ ହେଉଛି । ଆଜି ପୁଅ ପାଇଁ ସାରା ବିହାର ଗର୍ବିତ । ଏପରି କୋହ ଭରା କଣ୍ଠ ରେ କହିଛନ୍ତି ବୈଭବ ସୂର୍ଯ୍ୟବଂଶୀଙ୍କ ବାପା ସଞ୍ଜୀବ ସୂର୍ଯ୍ୟବଂଶୀ ।
ଯେତେବେଳେ ବୈଭବଙ୍କୁ ୧୦ ବର୍ଷ ବୟସ ହୋଇଥିଲା ବାପା ପୁଅର ସ୍ୱପ୍ନ ପୁରା କରିବାକୁ ତାଙ୍କ ଚାଷ ଜମି ବିକ୍ରି କରିଦେଥିଲେ । ହେଲେ ବୈଭବଙ୍କ ବାପାଙ୍କୁ ଏହା ଧାରଣା ନଥିବ ଯେ ତାଙ୍କ ପୁଅ ତିନି ବର୍ଷ ମଧ୍ୟରେ ଇତିହାସ ରଚିଦେଇଛନ୍ତି । ସାଉଦି ଆରବ ଜେଦ୍ଧାରେ ଆଇପିଏଲ ମେଗା ନିଲାମୀର ଅନ୍ତିମ ଦିନରେ ୧୩ ବର୍ଷ ୮ମାସ ବୟସର ବୈଭବଙ୍କୁ ଆରଆର ପ୍ରାଞ୍ଜାଇଜ କିଣିଛି । ଯାହାଦ୍ୱାରା ବୈଭବ ସବୁଠାରୁ କମ ବୟସର ଖେଳାଳି ହୋଇଯାଇଛନ୍ତି । ଯାହା ଆଇପିଏଲର ପ୍ରଥମ ଘଟଣା । ଏବେ ବୈଭବଙ୍କର ବୟସକୁ ନେଇ ଉଠିଛି ବିବାଦ । କିଏ କିଏ କହୁଛନ୍ତି ତାଙ୍କୁ ୧୩ ବର୍ଷ ନୁହେଁ ୧୫ ବର୍ଷ ।
ଏହାକୁ ଖଣ୍ଡନ କରି ବୈଭବଙ୍କ ବାପା କହିଛନ୍ତି ଆମେ କିଛି ବୟସ ନେଇ ଜାଲିଆତ କରିନାହୁଁ । ବୈଭବ ଯେତେବେଳେ ସାଢେ ୮ ବର୍ଷର ହୋଇଥିଲାସେତେବେଳେ ଈଉଉଓର ବୋନ୍ ଟେଷ୍ଟ ପରୀକ୍ଷା ପାଇଁ ପହଞ୍ଚିଥିଲା । ଭାରତ ପାଇଁ ଅଣ୍ଡର-୧୯ ଖେଳି ସାରିଛି। ଆମେ କାହାକୁ ଭୟ କରୁନାହୁଁ। ଦରକାର ପଡ଼ିଲେ ସେ ପୁଣି ବୟସ ପରୀକ୍ଷା ଦେଇ ପାରିବ ।" ଏନେଇ ଦୃଢକ୍ତିର ସହ କହିଛନ୍ତି ବୈଭବଙ୍କ ବାପା । ତେବେ ସେ ଯାହା ବି ହେଉ ବୈଭବ କିନ୍ତୁ କମାଲ କରିଦେଇଛନ୍ତି । ଏତେ କମ ବୟସରେ ଆଇପଏଲ ରେ କ୍ରିକେଟ ଖେଳିବାକୁ ଯାଉଛନ୍ତି । ଯାହା ସାରା ଦେଶରେ ଚର୍ଚ୍ଚା ।