କନକ ବ୍ୟୁରୋ: ବୈଭବ ସୂର୍ଯ୍ୟବଂଶୀ, ଏହି ନାଁ ଏବେ ଆଇପିଏଲରେ ବେଶ୍ ଚର୍ଚ୍ଚା । କାରଣ ଏହି ୧୪ ବର୍ଷୀୟ ଯୁବ କ୍ରିକେଟର ଯେଉଁ ରେକର୍ଡ କରିଛନ୍ତି ତାହା ବଡ଼ବଡ଼ ଖେଳାଳି ବି କରିପାରିବେନି । ଆଇପିଏଲରେ ସବୁଠାରୁ କମ୍ ବୟସ୍କ ଖେଳାଳି ଭାବେ ଡେବ୍ୟୁ କରିବା ପରେ ଏବେ ବ୍ୟାଟିଂରେ ବି କମାଲ ଦେଖାଇଛନ୍ତି । ଡେବ୍ୟୁ ବୋଲରଙ୍କୁ ମାରି କ୍ୟାରିୟର ଖରାପ କରିଦେଇଥିବା ବେଳେ ବରିଷ୍ଠ ବୋଲରଙ୍କୁ ବି ଛାଡ଼ି ନଥିଲେ । ଛକା ଚୌକା ବର୍ଷା କରି ଗୋଟିଏ ମ୍ୟାଚରେ ଅନେକ ରେକର୍ଡ କରିଥିବା ବେଳେ ବହୁତ ପୁରୁଣା ରେକର୍ଡ ବି ଭାଙ୍ଗି ଦେଇଛନ୍ତି ବୈଭବ । ଏତେ କମ୍ ବୟସରେ ଏତେ ବଡ଼ କାରନାମା ଦେଖି ଏବେ ଏହି ୧୪ ବର୍ଷୀୟ କ୍ରିକେଟରଙ୍କୁ ପ୍ରଶଂସାର ସୁଅ ଛୁଟୁଛି ।
ବୈଭବ ଚଳିତ ଆଇପିଏଲରେ ରାଜସ୍ଥାନ ପକ୍ଷରୁ ଲକ୍ଷ୍ନୌ ବିରୋଧରେ ଡେବ୍ୟୁ କରିଥିଲେ । ଆଉ ନିଜ ଡେବ୍ୟୁ ମ୍ୟାଚରେ ହିଁ ସେ ପ୍ରଥମ ବଲରେ ଛକା ମାରିଥିଲେ । ଏହି ମ୍ୟାଚ୍ରେ ସେ ୨୦ ବଲରୁ ୩୪ ରନ୍ କରି ଆଉଟ୍ ହୋଇଯାଇଥିଲେ । ସେ ଆଶା କରିଥିଲେ ଏକ ବଡ଼ ଇନିଂସ ଖେଳିବେ ବୋଲି ହେଲେ ଏପରି ହୋଇ ପାରିନଥିଲା । ତେଣୁ ପାଭିଲିୟନ ଫେରିବା ବେଳେ ବୈଭବ କାନ୍ଦିକାନ୍ଦି ଫେରୁଥିବା ଦେଖିବାକୁ ମିଳିଥିଲା ।
ସେହି ମ୍ୟାଚ୍ ପରେ ଏବେ ଗୁଜରାଟ ବିପକ୍ଷରେ ତାଙ୍କ ସ୍ୱପ୍ନ ପୂରା ହୋଇଛି । ଏହି ମ୍ୟାଚ୍ରେ ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୨୦୯ର ବିଶାଳ ସ୍କୋର୍ ଛିଡ଼ା କରିଥିଲା । ଆଉ ୨୧୦ର ବିଜୟ ଲକ୍ଷ୍ୟ ପୂରା କରିବା ରାଜସ୍ଥାନ ପକ୍ଷେ ଏତେ ସହଜ ନଥିଲା । କିନ୍ତୁ ଏହି ବଡ଼ ଟାର୍ଗେଟକୁ ସହଜ କରିଦେଇଥିଲେ ଗୋଟେ ଛୋଟ ଖେଳାଳି । ବୟସ ୧୪ କିନ୍ତୁ ବ୍ୟାଟିଂ କୌଣସି ଅଭିଜ୍ଞ ଖେଳାଳିଙ୍କଠାରୁ କମ ନୁହେଁ । ଇଶାନ୍ତ ଶର୍ମା, ଓ୍ୱାସିଂଟନ ସୁନ୍ଦର, ପ୍ରସିଦ୍ଧ କ୍ରିଷ୍ଣା ଓ କରିମ ଜନ୍ନତ ସବୁ ବୋଲରଙ୍କ ଚିନ୍ତା ବଢ଼ାଇଦେଇଥିଲେ । ସେ ଇଶାନ୍ତଙ୍କୁ ଗୋଟିଏ ଓଭରରେ ୨୬ ରନ୍ ମାରିଥିବା ବେଳେ କରିମ ଜନ୍ନତଙ୍କ ଡେବ୍ୟୁ ମ୍ୟାଚ୍ର ଗୋଟିଏ ଓଭରରେ ୩୦ ରନ ମାରି ତାଙ୍କ କ୍ୟାରିୟରର ଖରାପ କରିଦେଇଛନ୍ତି ।
ବୈଭବ ଚଳିତ ସିଜିନରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୧୭ ବଲରୁ ୫୦ ରନ୍ ପୂରା କରିଥିଲେ । ଏହାପରେ ବି ତାଙ୍କ ବ୍ୟାଟ୍ ଅଟକିନଥିଲା । ଛକା ଚୌକା ବର୍ଷା କରିଚାଲିଥିଲେ । ଆଉ ଏହାପରେ ସେ ଦ୍ବିତୀୟ ଦ୍ରୁତତମ ଶତକ ବି ହାସଲ କରିଥିଲେ । ୩୫ ବଲ୍ରୁ ସେ ଶତକ ହାସଲ କରି ଏହି ରେକର୍ଡ କରିଥିଲେ । କେବଳ ଏତିକିରେ ଅଟକି ନଥିଲେ ବୈଭବଙ୍କ ମାଇଲ୍ଷ୍ଟୋନ୍ । ସେ ଆଇପିଏଲରେ ସବୁଠାରୁ କମ ବୟସର ଖେଳାଳି ଭାବେ ଶତକ ହାସଲ କରିଛନ୍ତି । ଏହାପୂର୍ବରୁ ଏହି ରେକର୍ଡ ବିଜୟ ଝୋଲଙ୍କ ନାଁରେ ରହିଥିଲା ।
ପିଲାଟି ବେଳୁ ଖେଳରେ ରୁଚି ରଖୁଥିବାରୁ ବାପା ମା’ ବେଶ ପରିଶ୍ରମ କରି ବୈଭବଙ୍କ କ୍ୟାରିୟର ଗଢ଼ିଥିଲେ । ଏମିତି କି ପୁଅକୁ କ୍ରିକେଟର କରିବା ପାଇଁ ବୈଭବଙ୍କ ବାପା ତାଙ୍କ ଜମି ବି ବିକ୍ରି କରିଦେଇଥିଲେ । ଯାହାର ମୂଲ୍ୟ ଆଜି ରଖିଛନ୍ତି ଏହି ଯୁବ କ୍ରିକେଟର । ତେବେ ବୈଭବଙ୍କ ଏହି ପ୍ରଦର୍ଶନରେ କୋଚ୍ ରାହୁଲ ଦ୍ରାବିଡ ବି ବେଶ ଉତ୍ସାହିତ ଥିଲେ । ବୈଭବ ଯେତେବେଳେ ରସିଦ ଖାନଙ୍କୁ ଛକା ମାରି ନିଜ ଶତକ ପୂରା କରିଥିଲେ ସେତେବେଳେ ଜଣାପଡ଼ିଥିଲା ଭାରତର ଭବିଷ୍ୟତ ଏବେ ସୁରକ୍ଷିତଙ୍କ ହାତରେ ରହିଛି ।