କନକ ବ୍ୟୁରୋ: ଗୋଟେ ପଟେ ସ୍କୁଲମାନଙ୍କରେ ଖାଲି ପଡ଼ିଛି ହଜାର ହଜାର ଶିକ୍ଷକ ପଦ । ଅନ୍ୟପଟେ ରାଜରାସ୍ତାରେ ନିଯୁକ୍ତି ଆଶାୟୀ। ପ୍ରଭାବିତ ହେଉଛି ପାଠପଢା। ଏ ସ୍ଥିତି ମାସେ କି ଦୁଇ ମାସର ନୁହେଁ। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଛି। ହେଲେ ପୂରଣ ହେଇପାରୁନି ଖାଲି ଥିବା ପଦ । ଏନେଇ ବାରମ୍ବାର ସରକାରଙ୍କୁ ଜଣାଇବା ପରେ ବି ମିଳୁନି ସୁଫଳ । ଫଳରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ନିଯୁକ୍ତି ଆଶାୟୀ ।
ଏହା ବି ପଢ଼ନ୍ତୁ; କଲେଜ ନାଁରେ ଛାତ୍ରଛାତ୍ରୀଙ୍କୁ ଲୁଟ୍; ଲକ୍ଷାଧିକ ଟଙ୍କା ହଡ଼ପ !
ନ୍ୟାୟ ପାଇଁ ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ । ପାଠ ପଢିଲେ, ପରୀକ୍ଷା ଦେଲେ । ସ୍ୱପ୍ନ ଥିଲା... ଶିକ୍ଷକ ହୋଇ ଦେଶର ଭବିଷ୍ୟତ ଗଢିବେ । ହେଲେ ଏବେ ନିଜ ଭବିଷ୍ୟତ ପାଇଁ ସଂଘର୍ଷ କରିବାକୁ ପଡୁଛି । ଏମାନେ ହେଉଛନ୍ତି କନିଷ୍ଠ ଶିକ୍ଷକ ଆଶାୟୀ। ନିଯୁକ୍ତି ପାଇଁ ୨୦୨୩ରୁ ପରୀକ୍ଷା ଦେଇଛନ୍ତି ସତ । ହେଲେ ଏବେ ଯାଏଁ ସେମାନଙ୍କ ମେରିଟ ଲିଷ୍ଟ ବହାରିନି । ଅନ୍ୟପଟେ ନିଯୁକ୍ତି ପ୍ରକ୍ରିୟା କିନ୍ତୁ ଶେଷ ହୋଇଛି । କେଉଁ ଆଧାରରେ କିଭଳି ହେଲା ନିଯୁକ୍ତି ? ତାକୁ ନେଇ ଉଠିଛି ପ୍ରଶ୍ନ । ନିଜେ ପରୀକ୍ଷାରେ କେତେ ମାର୍କ ରଖିଛନ୍ତି ତାହା ମଧ୍ୟ ଜଣାଯାଉନି ? ଯାହାକୁ ବିରୋଧ କରିଛନ୍ତି କନିଷ୍ଠ ଶିକ୍ଷକ ନିଯୁକ୍ତି ଆଶାୟୀ । ଏନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଲୋୟର ପିଏମଜିରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି ।
୨୦୨୩ ମସିହାରେ କନିଷ୍ଠ ଶିକ୍ଷକ ପଦବି ପାଇଁ ପରୀକ୍ଷା ଦେଇଥିଲେ ଆଶାୟୀ। ୩ବର୍ଷ ବିତିଗଲାଣି। ହେଲେ ଏବେ ଯାଏଁ ପ୍ରାୟ ୭ହଜାର ପରୀକ୍ଷାର୍ଥୀଙ୍କ ମେରିଟ ଲିଷ୍ଟ ପ୍ରକାଶ ପାଇନଥିବା ଅଭିଯୋଗ ହୋଇଛି। ଏନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କନିଷ୍ଠ ଶିକ୍ଷକ ଆଶାୟୀ ଚଳିତବର୍ଷ ଜାନୁୟାରୀରେ ହାଇକୋର୍ଟଙ୍କ ପକ୍ଷରୁ ବଳକା ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ସରକାର ଏହାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଆଶାୟୀମାନେ । ଏନେଇ ବିଭାଗୀୟ ମନ୍ତ୍ରୀ କିମ୍ବା କୌଣସି ଅଧିକାରୀ ଆଲୋଚନା ବି କରୁନାହାନ୍ତି । ଫଳରେ ବାଧ୍ୟ ହୋଇ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ଆଶାୟୀ । ନିଯୁକ୍ତି ପାଇଁ କେତେବେଳେ ଆନ୍ଦୋଳନ ତ ପୁଣି କେତେବେଳେ ଆତ୍ମାହୁତି । ଶିକ୍ଷା ବ୍ୟବସ୍ଥାର ଏଭଳି ବିଚିତ୍ର ଚିତ୍ରକୁ ନିନ୍ଦା କରିଛନ୍ତି ଶିକ୍ଷାବିତ । ସମସ୍ୟାର ସମାଧାନ ନହେବା ଯାଏଁ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି କନିଷ୍ଠ ଶିକ୍ଷକ ଆଶାୟୀ ।
Follow Us