କନକ ବ୍ୟୁରୋ: ଅମୁକ ଯୋଜନା ହୋଇଛି, ସମୁକ ପ୍ରକଳ୍ପ ହେଉଛି। ବିଜେପି ସରକାରରେ ବଦଳିଯିବ ଓଡ଼ିଶା ବିକାଶର ପରିଭାଷା । କିଛି ଏଭଳି ସ୍ବପ୍ନ ଦେଖାଉଛନ୍ତି ସରକାର । ହେଲେ ଯେଉଁ ବିଭାଗ ହାତରେ ବିକାଶର ଦାୟିତ୍ବ ରହିଛି ସେଠାରେ ଫାଙ୍କା ପଡିଛି ପଦବୀ । ତେଣୁ ସରକାର ଦେଖାଉଥିବା ସ୍ବପ୍ନ କେବେ ଓ କେମିତି ପୂରା ହେବ । ସେଭଳି ପ୍ରଶ୍ନ ଏବେ ଓଡ଼ିଶାବାସୀଙ୍କ ମନରେ ଉଙ୍କି ମାରୁଛି ।
ଏହା ବି ପଢ଼ନ୍ତୁ: ବିଧାତାର ଅଜବ ଖେଳ ; ହାର୍ଟ ଆଟାକରେ ଚାଲିଗଲା କୁନିଝିଅର ଜୀବନ , ୪ ମାସ ଆଗରୁ ଯାଇଥିଲା ଭାଇ
୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଛନ୍ତି ସରକାର । ଏଥିପାଇଁ ଅନେକ ଯୋଜନା ଓ ସଂଖ୍ୟାଧିକ ପ୍ରକଳ୍ପର ଘୋଷଣା କରି ସୁନେଲୀ ସ୍ବପ୍ନ ଦେଖାଉଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ଏହି ଟଙ୍କା ଖର୍ଚ୍ଚ କରିବା ପାଇଁ ଯେଉଁ ମାନବ ସମ୍ବଳର ଆବଶ୍ୟକତା ରହିଛି ତାହା ସରକାରଙ୍କ ପାଖରେ ନାହିଁ । ଯାହାର ଫଳ ସ୍ବରୂପ ଗତ ବର୍ଷର ଟଙ୍କା ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇ ପାରିନି । ତେଣୁ ସ୍ବପ୍ନ ପୂରା କରିବ କିଏ? କିଏ ନେବ ଦାୟିତ୍ବ? ବିଧାନସଭାରୁ ଆସିଥିବା ଉତ୍ତରକୁ ଦେଖିବା ପରେ ଏଭଳି ପ୍ରଶ୍ନ ମନରେ ଉଙ୍କି ମାରିଛି । ରାଜ୍ୟର ବିଭିନ୍ନ ବିଭାଗରେ ପ୍ରାୟ ୯୪ ହଜାର ୪୮୫ ପଦ ଫାଙ୍କା ପଡିଛି । ଯାହା ଶିକ୍ଷା, ସ୍ବାସ୍ଥ୍ୟ ଓ ଆଇନଶୃଙ୍ଖଳା କ୍ଷେତ୍ରର ବିକଳ ଚିତ୍ରକୁ ପଦାରେ ପକାଇଛି । ୨୦ ହଜାରରୁ ଅଧିକ ଫାଙ୍କା ପଦ ଥାଇ ଯେନେତେନେ ପ୍ରକାର ଚାଲିଛି ଗଣଶିକ୍ଷା ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବରେ ଥିବା ଗୃହ ବିଭାଗରେ ୧୬ ହଜାର ୩୨ଟି ଓ ମୁକେଶ ମହାଲିଙ୍ଗଙ୍କ ସ୍ବାସ୍ଥ୍ୟ ବିଭାଗରେ ୧୦ ହଜାର ୪୫୬ଟି ପଦ ଫାଙ୍କା ପଡିଛି । ତୃଣମୂଳସ୍ତରରେ ବିକାଶର କଥା ବୁଝୁଥିବା ପଞ୍ଚାୟତିରାଜ ବିଭାଗରେ ୫ ହଜାରରୁ ଅଧିକ ପଦ ଫାଙ୍କା ।
ବିଭାଗୀୟସ୍ତରରେ ଫାଙ୍କା ପଡିଥିବା ପଦବୀ ତାଲିକା ସଂଖ୍ୟା ଯେତିକି ଚିନ୍ତାଜନକ ତାହା ଠାରୁ ଅଧିକ ଉଦବେଗଜନକ ହେଉଛି ମୁଖିଆ ସଙ୍କଟ । ବଡ଼ ବଡ଼ ଦାୟିତ୍ବରେ ରହୁଥିବା ଆଇଏଏସ, ଆଇପିଏସ ଓ ଓଏଏସ ସ୍ତରରେ ଫାଙ୍କା ପଦବୀ ସଂଖ୍ୟା ପ୍ରାଶାସନିକ ବ୍ୟବସ୍ଥାକୁ ଏକପ୍ରକାର ସ୍ଥାଣୁ କରିଦେଉଛି ।
- ପଦ ଖାଲି ପଦବୀ ସଂଖ୍ୟା
- ଆଇଏଏସ୍ ୪୨
- ଆଇପିଏସ୍ ୬୭
- ଆଇଏଫ୍ଏସ୍ ୬୬
- ଓଏଏସ୍ ୩୩୦
- ଓପିଏସ୍ ୧୪୬
ଫାଙ୍କା ପଡିଥିବା ପଦବୀ ପୂରା ନକରି ସଚିବସ୍ତରରେ ଏକାଧିକ ଅଫିସରଙ୍କ ଉପରେ ଅତିରିକ୍ତ ଦାୟିତ୍ବର ବୋଝ ଲଦୁଛନ୍ତି ସରକାର । ଯାହା ବିକାଶ ପ୍ରକ୍ରିୟାକୁ ମନ୍ଥର କରୁଛି । ଲୋକଙ୍କ ସରକାରରେ ଲୋକଙ୍କ କାମ ପାଇଁ ଫାଙ୍କା ପଡ଼ିଥିବା ପଦବୀ କେବେ ପୂରଣ ହେବ ? ତାକୁ ଅପେକ୍ଷା ।
Follow Us