କନକ ବ୍ୟୁରୋ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ପୁଣି ଜଳ ପ୍ରଳୟ । ଗଙ୍ଗୋତ୍ରୀ ଧାମ ଓ ମୁଖୱା ନିକଟରେ ବାଦଲ ଫଟା ବର୍ଷା ହେବା ଦ୍ବାରା ଆସିଲା ଜଳ ପ୍ରଳୟ । ବାଦଲ ଫାଟିବା କାରଣରୁ ମଙ୍ଗଳବାର ପାହାଡ଼ ଉପରୁ ଦ୍ରୁତ ଗତିରେ ପାଣି ମାଡ଼ି ଆସିଛି । ଫଳରେ ଅନେକ ଘର ଭାସିଚାଲିଯାଇଛି । ଘଟଣାସ୍ଥଳରେ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାସହ ଜିଲ୍ଲା ପ୍ରଶାସନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛି । ଏହି ଅଞ୍ଚଳରେ ଲଗାତାର ବାଦଲ ଫଟା ବର୍ଷା ହେଉଥିବାରୁ ଲୋକଙ୍କୁ ଆଲର୍ଟ ରହିବାକୁ ସତର୍କ କରାଯାଉଛି ।
/filters:format(webp)/kanak/media/media_files/2025/08/05/cloudburst-2025-08-05-16-13-06.jpg)
ଉତ୍ତରକାଶୀ ଜିଲ୍ଲାପାଳ ପ୍ରଶାନ୍ତ ଆର୍ଯ୍ୟ କହିଛନ୍ତି ଯେ ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଜଣଙ୍କ ଜୀବନ ଚାଲିଗଲାଣି ଏବଂ ୫୦ ଜଣ ଲୋକ ନିଖୋଜ ଅଛନ୍ତି । ନାଳ ପାଣି ସହ ସାରା ଅଞ୍ଚଳରେ କାଦୁଅ ଭର୍ତ୍ତି ହୋଇରହିଛି । ମାଟିକାଦୁଅ ତଳେ ଅନେକ ଜୀବନ ଦବିଥିବାର ଆଶଙ୍କା କରାଯାଉଛି । ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବା ବେଳେ ପୁଣି ବାଦଲ ଫାଟିବାର ସମ୍ଭାବନା ରହିଛି । ତେବେ ଏହି ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ କଥାବାର୍ତ୍ତା କରିଛନ୍ତି । କେନ୍ଦ୍ର ସରକାର ଉତ୍ତରାଖଣ୍ଡକୁ ସହାୟତା କରିବା ପାଇଁ ପ୍ରସ୍ତୁତ ରହିଛି । ପ୍ରଶାସନ ଲୋକଙ୍କୁ ନଦୀ ପାଖକୁ ଯିବାକୁ ବାରଣ କରିଛି ।