କନକବ୍ୟୁରୋ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଆଜି ଅଳକାନନ୍ଦା ନଦୀକୁ ବସ ଖସି ପଡ଼ିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ୯ ଜଣ ନିଖୋଜ ଅଛନ୍ତି । ପୁଲିସ ଓ ଏସ୍ଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ବସ୍ଟି ବଦ୍ରିନାଥ ଯାଉଥିବା ବେଳେ ଡ୍ରାଇଭର ବସ୍ ଉପରୁ ନିୟନ୍ତ୍ରଣ ହରାଇଦେଇଥିଲେ ଏବଂ ବସ୍ଟି ନଦୀକୁ ଖସି ପଡ଼ିଥିଲା ।
ଦୁର୍ଘଟଣା ସଂକ୍ରାନ୍ତରେ ଖବର ପାଇ ପ୍ରଥମେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ଅଧିକାଂଶ ଲୋକ ବସ୍ଟି ନଦୀକୁ ଖସିବା ପୂର୍ବରୁ ଡେଇଁ ପଡ଼ିବାରୁ ବଞ୍ଚି ଯାଇଛନ୍ତି । ପୁଲିସ, ପ୍ରଶାସନ ଓ ବିପର୍ଯ୍ୟୟ ମୁକାବିଲା ବାହିନୀର ବରିଷ୍ଠ ଅଧିକାରୀମାନେ ଉଦ୍ଧାର ଅପରେସନ୍ର ତଦାରଖ କରୁଛନ୍ତି । ୩୧ ସିଟ୍ ଥିବା ବସ୍ରେ ଡ୍ରାଇଭରଙ୍କ ସମେତ ମୋଟ୍ ୨୦ ଜଣ ଥିଲେ । ରାଜସ୍ଥାନ ଏବଂ ଗୁଜରାଟର କିଛି ପରିବାର ଏହି ବସ୍ରେ ଚାରିଧାମ ଯାତ୍ରା ପାଇଁ ଯାଉଥିଲେ ।