କନକ ବ୍ୟୁରୋ : ଅଯୋଦ୍ଧାରେ ରାମମନ୍ଦିର ଜମି ବଦଳରେ ପ୍ରସ୍ତାବିତ ମସଜିଦର ନିର୍ମାଣ ଯୋଜନାକୁ ବାତିଲ କରିଦେଇଛି ଅଯୋଦ୍ଧା ବିକାଶ ପ୍ରାଧୀକରଣ । ଏନେଇ ଜଣେ ସୂଚନା ଅଧିକାର କର୍ମୀ ଖୁଲାସା କରିଛନ୍ତି । ସୂଚନା ଅଧିକାର ଆଇନ ବଳରେ ପଚାରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଅଯୋଦ୍ଧା ବିକାଶ ପ୍ରାଧୀକରଣ କହିଛନ୍ତି କି, ନିର୍ମାଣ ପାଇଁ ଯେଉଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ତାକୁ ନେଇ ସରକାରଙ୍କ ବିଭିନ୍ନ ବିଭାଗ ଅନୁମତି ଦେଇନାହାନ୍ତି । ଫଳରେ ବିକାଶ ପ୍ରାଧୀକରଣକୁ ଆସିଥିବା ଲେ ଆଉଟ୍ କୁ ଖାରଜ କରିଦିଆଯାଇଛି । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ ସୁପ୍ରିମକୋର୍ଟ ୨୦୧୯ ନଭେମ୍ବର ୯ ତାରିଖରେ ରାମମନ୍ଦିର ନିର୍ମାଣକୁ ନେଇ ଦେଇଥିବା ଐତିହାସିକ ରାୟ ମୁତାବକ ଉତ୍ତରପ୍ରଦେଶ ସରକାର ଅଯୋଦ୍ଧାର ସୁନ୍ନି ସେଣ୍ଟ୍ରାଲ ୱାକଫ୍ ବୋର୍ଡକୁ ମସଜିଦ ଓ ଅନ୍ୟ ସୁବିଧାଗୁଡ଼ିକର ନିର୍ମାଣ ପାଇଁ ୫ ଏକର ଜମି ଆବଣ୍ଟିତ କରିଥିଲେ । 

Advertisment

ଏହି ଆଦେଶ କ୍ରମରେ ୨୦୨୦ ଅଗଷ୍ଟ ୩ ତାରିଖରେ ଅଯୋଦ୍ଧା ଜିଲ୍ଲା ଅଧିକାରୀ ଅନୁଜ କୁମାର ଝା ଅଯୋଦ୍ଧା ନିକଟ ଛନ୍ନିପୁର ଗାଁରେ ୫ ଏକର ଜମି ସୁନ୍ନି ସେଣ୍ଟ୍ରାଲ ୱାକଫ୍ ବୋର୍ଡକୁ ୫ ଏକର ଜମି ହସ୍ତାନ୍ତର କରିଥିଲେ । ୨୦୨୧ ଜୁନ ୨୩ ତାରିଖରେ ବୋର୍ଡ ମସଜିଦ୍ ନିର୍ମାଣ ପାଇଁ ଲେ ଆଉଟ୍ ଯୋଜନାକୁ ମଞ୍ଜୁରୀ ଦେବାକୁ ଆବେଦନ କରିଥିଲେ । ହେଲେ ୪ ବର୍ଷ ମଧ୍ୟରେ ଏହି ଯୋଜନାର ଆଗ୍ରଗତି  ଆଗକୁ ବଢ଼ିପାରିନି ।

ଲେ ଆଉଟ୍ ପାଇଁ ହୋଇଥିବା ଆବେଦନ ଉପରେ ବିଭିନ୍ନ ସରକାରୀ ବିଭାଗ ଏନଓସି ଦେଇନାହିଁ । ଏହା ଫଳରେ ଲେ ଆଉଟକୁ ଅନୁମତି ଦେବାକୁ ଅଯୋଦ୍ଧା ବିକାଶ ପ୍ରାଧୀକରଣ  ସିଧାସଳଖ ମନା କରିଦେଇଛି । ସେପଟେ ମସଜିଦ୍ ଟ୍ରଷ୍ଟର ସଚିବ ଅତହର ହୁସେନ କହିଛନ୍ତି କି, ସୁପ୍ରିମକୋର୍ଟଙ୍କ ଆଦେଶ ଓ ଉତ୍ତରପ୍ରଦେଶ ସରକାର ଜମି ଦେଲେ ହେଲେ ସରକାରୀ ବିଭାଗ କାହିଁକି ଏନଓସି ଦେଉନାହିଁ ତାହା ବଡ଼ ଆଶ୍ଚର୍ଯ୍ୟର କଥା ।