କନକ ବ୍ୟୁରୋ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲଫଟା ବର୍ଷା ପରେ ଭୟଙ୍କର ବିପର୍ଯ୍ୟୟ ଦେଖାଦେଇଛି । ଧରାଲି ଗାଁରେ ଖୀର ଗଙ୍ଗାରେ ଆସିଥିବା ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେନା, ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପିର ଯବାନମାନେ ଘଟଣାସ୍ଥଳରେ ଦେବଦୂତ ସାଜି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ :
ମଙ୍ଗଳବାର ଅପରାହ୍ନରେ ଉତ୍ତରକାଶୀର ଧରାଲି ଗାଁରେ ବାଦଲଫଟା ବର୍ଷା ପରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । ବନ୍ୟା ପାଣି ସହ ବଡ଼ ବଡ଼ ପଥର ଓ ମାଟି ଅତଡ଼ା ଖସିବାରୁ ଅନେକ ଘର, ହୋଟେଲ ଏବଂ ବଜାର ଭାସିଯାଇଛି । ରାସ୍ତା ଓ ପୋଲ ଭାଙ୍ଗିଯିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ସେନା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ମନୀଷ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି ଯେ ୧୪ ରାଜସ୍ଥାନ ରାଇଫଲ୍ସର କମାଣ୍ଡିଂ ଅଫିସର ହର୍ଷବର୍ଦ୍ଧନଙ୍କ ନେତୃତ୍ୱରେ ୧୫୦ ଯବାନଙ୍କ ଏକ ଟିମ୍ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେହିପରି ଆଇଟିବିପିର ପିଆରଓ କମଳେଶ କୁମାର କମଲ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି।
କମଳେଶ କୁମାର କହିଛନ୍ତି ଯେ ଆଇଟିବିପିର ପାଞ୍ଚଟି ଟିମ୍ ପୂର୍ବରୁ ହିଁ ଧରାଲିରେ ମୁତୟନ ଥିଲେ ଏବଂ ବର୍ତ୍ତମାନ ୧୦୦ ଅତିରିକ୍ତ ଯବାନଙ୍କୁ ମଧ୍ୟ ରିଲିଫ କାର୍ଯ୍ୟରେ ନିୟୋଜିତ କରାଯାଇଛି । ସେ କହିଛନ୍ତି, "ଆମର ଯବାନମାନେ ପ୍ରତିଟି ପଦକ୍ଷେପରେ ଜୀବନ ବଞ୍ଚାଇବାକୁ ଖୋଜୁଛନ୍ତି । ମାଟି ଅତଡ଼ା ହଟାଇବା କାର୍ଯ୍ୟ ଅତ୍ୟନ୍ତ ସାବଧାନତାର ସହିତ କରାଯାଉଛି କାରଣ ପ୍ରତି ଫୁଟ୍ ତଳେ କୌଣସି ଜୀବନ ଥାଇପାରେ ।"
ଖରାପ ପାଗ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ଲଗାଣ ବର୍ଷା ଏବଂ ରାସ୍ତା ଭାଙ୍ଗିଯିବା କାରଣରୁ ରିଲିଫ ସାମଗ୍ରୀ ପହଞ୍ଚାଇବାରେ ସମସ୍ୟା ଦେଖାଦେଉଛି । ତେବେ, ବିଆରଓ, ଏନଡିଆରଏଫ୍ ଏବଂ ଏସଡିଆରଏଫ୍ର ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ସମସ୍ତ ଏଜେନ୍ସି ମିଳିମିଶି କାର୍ଯ୍ୟ କରୁଛନ୍ତି ।ହେଲିକପ୍ଟର ସେବା ପାଇଁ ମଧ୍ୟ ସମନ୍ୱୟ କରାଯାଉଛି ଯାହାଦ୍ୱାରା ଗୁରୁତର ଭାବେ ଆହତ ଲୋକଙ୍କୁ ଶୀଘ୍ର ହସ୍ପିଟାଲରେ ପହଞ୍ଚାଯାଇପାରିବ । ସେ କହିଛନ୍ତି, " ଆମେ ଅନୁମାନ କରିପାରିବୁ ନାହିଁ ଯେ କେତେ ଲୋକ ଏବେବି ମାଟି ଅତଡ଼ା ତଳେ ଦବି ରହିଛନ୍ତି, କିନ୍ତୁ ଆମର ପ୍ରୟାସ ଜାରି ରହିଛି ଯେପରି ଅଧିକରୁ ଅଧିକ ଜୀବନ ବଞ୍ଚାଯାଇପାରିବ ।"
ବର୍ତ୍ତମାନ ସୁଦ୍ଧା ଆଇଟିବିପି ଗତକାଲି ୫୬ ଜଣଙ୍କୁ ଏବଂ ଆଜି ୪୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଗୋଟିଏ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ରିଲିଫ କାର୍ଯ୍ୟରେ ଜେସିବି ଏବଂ ଅନ୍ୟାନ୍ୟ ଆଧୁନିକ ଉପକରଣର ବ୍ୟବହାର କରାଯାଉଛି । ମାଟି ଅତଡ଼ାର ମୋଟେଇ ୭ରୁ ୮ ଫୁଟ୍ ପର୍ଯ୍ୟନ୍ତ ଥିବା କୁହାଯାଉଛି, ଯାହାଦ୍ୱାରା ଉଦ୍ଧାର କାର୍ଯ୍ୟ ଆହୁରି ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପଡ଼ିଛି ।
ଏହି ଭୟଙ୍କର ବିପର୍ଯ୍ୟୟର ମୁକାବିଲା ପାଇଁ ସେନା ବାହିନୀକୁ ମୁତୟନ କରାଯାଇଛି । ସେନାର ହେଲିକପ୍ଟର ଏବଂ ଡଗ୍ ସ୍କ୍ୱାଡ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ସେନା, ଏନଡିଆରଏଫ୍ ଏବଂ ଏସଡିଆରଏଫ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୯୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି ବୋଲି ସେ କହିଛନ୍ତି । ଖରାପ ପାଗ ସତ୍ତ୍ୱେ ମଧ୍ୟ ଉଦ୍ଧାରକାରୀ ଦଳ ଲଗାତାର ଭାବେ କାର୍ଯ୍ୟ ଜାରି ରଖିଛନ୍ତି ।