କନକ ବ୍ୟୁରୋ :  ବାହାରକୁ ଚକାଚକ୍‌ । ଭିତର ଅବସ୍ଥା ନକହିଲେ ଭଲ । ପ୍ରଶାସନିକ ଭବନ ଓ ଅନ୍ୟ କିଛି ସ୍ଥାନକୁ ଛାଡ଼ି ଦେଲେ ଉତ୍କଳ ବିଶ୍ବବିଦ୍ୟାଳୟର ଏକ ବଡ଼ ଅଞ୍ଚଳ ବଣ ଜଙ୍ଗଲରେ ପରିଣତ ହେଲାଣି । କର୍ମଚାରୀଙ୍କ କ୍ବାଟର୍ସ ମରାମତି ଅଭାବରୁ ଯେମିତି ଭୂତକୋଠି ପାଲଟି ଗଲାଣି । ଜରାଜୀର୍ଣ୍ଣ କୋଠାରେ ଭାଗ୍ୟକୁ ଆଦରି ରହୁଛନ୍ତି ଶତାଧିକ ପରିବାର । 

Advertisment

ଘରେ ପଶୁଛନ୍ତି ବିଷାକ୍ତ ସାପ। ଅସରପା, ବେଙ୍ଗ, ମଶା ମାଛି ଯାହାକୁ ଯେତେ । ଯିବାଆସିବା ରାସ୍ତା ଠାରୁ ଆରମ୍ଭ କରି କ୍ବାଟର ଚାରିପାଖ ବଣ ଜଙ୍ଗଲରେ ଭର୍ତ୍ତି । ବର୍ଷା ହେଲେ ଘରେ ପାଣି ପଶୁଛି । ଛାତରୁ ପଲସ୍ତରା ଖସୁଛି । କାନ୍ଥ ଗଳି ପଡ଼ୁଛି । ଏହାରି ଭିତରେ ଅତି ବିପଦପୂର୍ଣ୍ଣ ଭାବେ ରହୁଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ  କର୍ମଚାରୀଙ୍କ ପରିବାର । କ୍ବାଟର ମରାମତି ପାଇଁ ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେଉନାହିଁ ।

୪୦୦ ଏକର ଜମିରେ ଛିଡ଼ା ହୋଇଛି ଉତ୍କଳ ବିଶ୍ବବିଦ୍ୟାଳୟ । ୩ ହଜାରୁ ଅଧିକ ଛାତ୍ରଛାତ୍ରୀ ଏଠି ପାଠ ପଢ଼ୁଛନ୍ତି । ଶହ ଶହ ସଂଖ୍ୟାରେ ଅଧିକାରୀ, କର୍ମଚାରୀ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ । ହେଲେ କ୍ୟାମ୍ପସର ରକ୍ଷଣାବେକ୍ଷଣ ହୋଇପାରୁନାହିଁ । ଫଳରେ ବଣ ଜଙ୍ଗଲରେ ପରିଣତ ହୋଇଛି କ୍ୟାମ୍ପସ । କେଉଁଠି କ୍ବାଟର୍ସ ଜବରଦଖଲ ହୋଇଛି ତ ଆଉ କେଉଁଠି ବସ୍ତି ଗଢ଼ି ଉଠିଛି । ଆଉ କିଛି ଜରାଜୀର୍ଣ୍ଣ ଅବସ୍ଥାରେ । 

 ଉତ୍କଳ ବିଶ୍ବବିଦ୍ୟାଳୟର ଜରାଜୀର୍ଣ୍ଣ କୋଠା ସମ୍ପର୍କରେ ଆମେ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ପ୍ରତିକ୍ରିୟା ଦେଇନଥିଲେ। ଏଠି ପ୍ରଶ୍ନ ଉଠୁଛି 

  • ପ୍ରତିବର୍ଷ କ୍ବାଟର୍ସ ମରାମତି ନାଁରେ ଆସୁଥିବା ଅର୍ଥ କ’ଣ ହେଉଛି? 
  • ବାରମ୍ବାର ଅଭିଯୋଗ ପରେ ବି କାହିଁକି ମରାମତି କରାଯାଉନି?
  • କ୍ବାଟର୍ସ ଗୁଡ଼ିକୁ କାହିଁକି ବିପଦସଙ୍କୁଳ ଘୋଷଣା କରାଯାଉନାହିଁ?