କନକ ବ୍ୟୁରୋ: ପାକିସ୍ତାନୀ ସ୍ପିନର ଉସମାନ ତାରିକଙ୍କ ବୋଲିଂ ଆକ୍ସନକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି । ମଙ୍ଗଳବାର ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପଦାର୍ପଣ କରି ଆମେରିକା ବିପକ୍ଷରେ ତିନିଟି ୱିକେଟ୍ ନେବା ପରେ  ତାଙ୍କୁ ନେଇ ବିଶ୍ବ କ୍ରିକେଟ୍‌ ଦୁଇ ଭାଗ ହୋଇଛି । ଅଧିକାଂଶ ତାଙ୍କ ବୋଲିଂ ଆକ୍ସନ ବେଆଇନ ବୋଲି ମତ ଦେଉଛନ୍ତି । ଭାରତୀୟ ସ୍ପିନର ଆର୍‌ ଅଶ୍ବିନ କିନ୍ତୁ ତାରିକଙ୍କୁ ସମର୍ଥନ କରିଛନ୍ତି । ଏହି ବାଦ ବିବାଦ ଭିତରେ ତାରିକ ଶସ୍ତା ଲୋକପ୍ରିୟତା ଲାଗି ଭାରତୀୟ କ୍ରିକେଟ୍‌ ଦଳ ଉପରକୁ ଶବ୍ଦ ବୋମା ଛାଡ଼ିଛନ୍ତି । ତାଙ୍କୁ ‘ଚୋକର୍‌’ ବୋଲି କହୁଥିବା ଭାରତୀୟ ପ୍ରଶଂସକଙ୍କୁ ମଧ୍ୟ ତାଚ୍ଛଲ୍ୟ କରିଛନ୍ତି ।

Advertisment

ଏହା ବି ପଢ଼ନ୍ତୁ: ଅଭିଷେକ ଶର୍ମା ଅସୁସ୍ଥ, ହସପିଟାଲ୍‌ରେ ଭର୍ତ୍ତି

କଲମ୍ବୋରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ଭାରତୀୟ ଖେଳାଳିଙ୍କୁ ଚେତାବନୀ ଦେବାକୁ ଯାଇ ସେ କହିଛନ୍ତି, ମୁଁ ଭାବୁଛି ସେମାନଙ୍କ (ଭାରତୀୟ ଖେଳାଳିଙ୍କ) ଉପରେ ଅତିରିକ୍ତ ଚାପ ରହିବ । କାରଣ ସେମାନେ ସବୁକଥା ଛାଡ଼ି କେବଳ ମୋ ବୋଲିଂ ଶୈଳୀ ବିଷୟରେ ଆଲୋଚନା କରୁଛନ୍ତି । ସେମାନେ ଏହାକୁ ବିରୋଧ କରୁଥିବା ଭଳି ମୋତେ ଲାଗୁଛି । ସେଥିପାଇଁ ହିଁ ସେମାନେ ଚାପରେ ରହିବେ । ମୋର କିନ୍ତୁ ଏକଥାକୁ ଖାତିର ନାହିଁ । ମୁଁ ମୋ ଖେଳ ଉପରେ ହିଁ ଧ୍ୟାନ କେନ୍ଦ୍ରୀଭୂତ କରୁଛି । ଗଣମାଧ୍ୟମ ଓ ବାହାର ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ମୋର ବିଶେଷ ଜ୍ଞାନ ନାହିଁ । ନିକଟ ଅତୀତରେ ପାକିସ୍ତାନକୁ ଭାରତ ନିୟମିତ ଭାବେ ହରାଇ ଆସୁଥିଲା ବେଳେ ଭାରତୀୟ ପ୍ରଶଂସକଙ୍କୁ ପୂର୍ବ ରେକର୍ଡ ଦେଖିବାକୁ ତାରିକ ପରାମର୍ଶ ଦେଇଛନ୍ତି । କିଛି ବର୍ଷ ତଳେ ଆମେ ଭାରତ ବିପକ୍ଷ ସବୁମ୍ୟାଚ୍‌ ଜିତୁଥିଲୁ । ଏକଥା ମଧ୍ୟ ସେମାନେ ମନେ ରଖିବା ଉଚିତ ବୋଲି କହିଛନ୍ତି ତାରିକ ।