କନକ ବ୍ୟୁରୋ: ସାଧାରଣତଃ ଘରେ କିମ୍ବା ରେଷ୍ଟୁରାଣ୍ଟରେ ବ୍ୟବହାର ହେବା ପରେ ଖରାପ ହୋଇଯାଇଥିବା ଖାଇବା ତେଲକୁ ଫୋପାଡ଼ି ଦିଆଯାଏ। କିନ୍ତୁ ଏବେ ଏହି ବର୍ଜ୍ୟ ତେଲରେ ବିମାନ ଉଡ଼ିବ। ଦେଶର ସର୍ବବୃହତ ତୈଳ ବିଶୋଧନ ଏବଂ ବିପଣନ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOC)କୁ ବ୍ୟବହୃତ ତେଲରୁ ବିମାନ ଇନ୍ଧନ ତିଆରି କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଅନୁମତି ମିଳିଛି । ଭାରତର ପ୍ରଥମ କମ୍ପାନି ଭାବରେ IOC ଏଭଳି ଇନ୍ଧନ ଉତ୍ପାଦନ କରିବ ।
ହରିୟାଣାର ପାନିପଥରେ ଥିବା ଇଣ୍ଡିଆନ୍ ଅଏଲର ରିଫାଇନାରିକୁ ସଷ୍ଟେନେବଲ୍ ଆଭିଏସନ୍ ଫୁଏଲ୍ (SAF) ତିଆରି ପାଇଁ ଇଣ୍ଟରନ୍ୟାସନାଲ୍ ସଷ୍ଟେନେବିଲିଟି ଆଣ୍ଡ କାର୍ବନ ସାର୍ଟିଫିକେସନ୍ (ISCC) ବା CORSIA ପକ୍ଷରୁ ଏହି ମାନ୍ୟତା ଦିଆଯାଇଛି । IOCର କମ୍ପାନି ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ପାନିପଥ ରିଫାଇନାରୀରେ ବ୍ୟବହୃତ ଖାଇବା ତେଲରୁ ବିମାନ ଇନ୍ଧନ ଉତ୍ପାଦନ ଆରମ୍ଭ ହୋଇଯିବ ।
ଖାଇବା ତେଲରୁ କେତେ ଇନ୍ଧନ ଉତ୍ପାଦନ ହେବ ?
ଇଣ୍ଡିଆନ୍ ଅଏଲର ଅନୁମାନ କରୁଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ରିଫାଇନାରୀରେ ବ୍ୟବହୃତ ତେଲରୁ ବାର୍ଷିକ ୩୫ ହଜାର ଟନ୍ ବିମାନ ଇନ୍ଧନ ଉତ୍ପାଦନ କରିବାର କ୍ଷମତା ବିକଶିତ କରାଯିବ । ଏହି ଇନ୍ଧନ ଉତ୍ପାଦନ ପାଇଁ ବଡ଼ ବଡ଼ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ହଳଦୀରାମ ଭଳି ପ୍ରମୁଖ ଫୁଡ୍ ଚେନ୍ରୁ ଖରାପ ତେଲ ସଂଗ୍ରହ କରାଯିବ । ଯେଉଁ ତେଲ ଛାଣିବା କିମ୍ବା ରାନ୍ଧିବା ପରେ ପୁନର୍ବାର ବ୍ୟବହାର ଯୋଗ୍ୟ ନୁହେଁ ତାହାକୁ ସଂଗ୍ରହ କରିବ IOC । ଇଣ୍ଡିଆନ ଅଏଲ୍ କର୍ପୋରେସନ ଅନୁଯାୟୀ, ଦେଶରେ ବ୍ୟବହୃତ ତେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ, କିନ୍ତୁ ପ୍ରକୃତ ଆହ୍ୱାନ ହେଉଛି ଏହାକୁ ଛୋଟ ଛୋଟ ସହରରୁ ସଂଗ୍ରହ କରିବା । ଏଥିପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ବିକଶିତ କରାଯାଉଛି ।
ସଷ୍ଟେନେବଲ୍ ଫୁଏଲ୍ କ'ଣ ?
ସଷ୍ଟେନେବଲ୍ ଆଭିଏସନ୍ ଫୁଏଲ୍ (SAF) ହେଉଛି ଏକ ପ୍ରକାରର ବୈକଳ୍ପିକ ଜୈବ ଇନ୍ଧନ, ଯାହା ପାରମ୍ପରିକ ଜେଟ୍ ଇନ୍ଧନ ତୁଳନାରେ କାର୍ବନ ନିର୍ଗମନକୁ ଯଥେଷ୍ଟ କମ୍ କରିଥାଏ । ଏହାର ଉତ୍ପାଦନ ପେଟ୍ରୋଲିୟମ ଉତ୍ସରୁ ନୁହେଁ, ବରଂ ବ୍ୟବହୃତ ଖାଇବା ତେଲ, କୃଷି ଅବଶେଷ ଏବଂ ଅନ୍ୟାନ୍ୟ ଜୈବ-ବର୍ଜ୍ୟବସ୍ତୁରୁ କରାଯାଏ । ଏହି ପଦ୍ଧତିକୁ ଆପଣାଇବା ଦ୍ୱାରା ବିମାନ ଚଳାଚଳ ଶିଳ୍ପର କାର୍ବନ ଫୁଟପ୍ରିଣ୍ଟ କମ୍ କରିବାରେ ସହାୟକ ହେବ । ପାରମ୍ପରିକ ବିମାନ ଇନ୍ଧନରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ସଷ୍ଟେନେବଲ୍ ଫୁଏଲ୍ ମିଶ୍ରଣ କରାଯାଇପାରିବ ।
ସରକାରୀ ନୀତି ଏବଂ ଭବିଷ୍ୟତ
ଭାରତ ସରକାର ବିମାନ ଚଳାଚଳ କ୍ଷେତ୍ରକୁ ଅଧିକ ସ୍ଥାୟୀ ଏବଂ ପରିବେଶ ଅନୁକୂଳ କରିବା ପାଇଁ ୨୦୨୭ ସୁଦ୍ଧା ଅନ୍ତର୍ଜାତୀୟ ବିମାନ ଉଡ଼ାଣରେ ବ୍ୟବହୃତ ଇନ୍ଧନରେ ୧ ପ୍ରତିଶତ ସଷ୍ଟେନେବଲ୍ ଫୁଏଲ୍ ମିଶ୍ରଣ ବାଧ୍ୟତାମୂଳକ କରିଛନ୍ତି । ୟୁରୋପୀୟ ଦେଶମାନେ ପୂର୍ବରୁ ହିଁ ସଷ୍ଟେନେବଲ୍ ଏୟାର ଫୁଏଲକୁ ବାଧ୍ୟତାମୂଳକ କରିସାରିଛନ୍ତି । ଏଭଳି ପରିସ୍ଥିତିରେ, ଯେତେବେଳେ ୟୁରୋପୀୟ ଏୟାରଲାଇନ୍ସ ଭାରତକୁ ଉଡ଼ାଣ କରିବ, ସେମାନେ ଇଣ୍ଡିଆନ୍ ଅଏଲର ଏହି ସଷ୍ଟେନେବଲ୍ ଫୁଏଲର ସମ୍ଭାବ୍ୟ ପ୍ରଥମ ଗ୍ରାହକ ହୋଇପାରନ୍ତି । ଏହି ପଦକ୍ଷେପ ଭାରତର ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ ସବୁଜ ଭବିଷ୍ୟତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇପାରେ ।