କନକ ବ୍ୟୁରୋ: ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ଉଗ୍ର ହେବାରେ ଲାଗିଛି । ପାକିସ୍ତାନର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିସାରିଲାଣି ଭାରତ । ଏଭଳି ସ୍ଥିତିରେ ଆମେରିକା ଉପରାଷ୍ଟ୍ରପତିଙ୍କ ବୟାନ ପାକିସ୍ତାନକୁ ବଡ ଝଟକା ଦେଇଛି ।

Advertisment

ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଏହି ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନା ସହ ଆମେରିକାର କିଛି ସମ୍ପର୍କ ନାହିଁ । ଏହାକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଆମେରିକାର କିଛି ଭୂମିକା ରହିବ ନାହିଁ । ଦୁଇ ଦେଶ ମଧ୍ୟରେ ଉତ୍ତେଜନା କିପରି କମିବ ସେଥିପାଇଁ ପରୋକ୍ଷରେ ପ୍ରୟାସ କରିପାରୁ ହେଲେ ପ୍ରତ୍ୟକ୍ଷ ଭାବେ କୌଣସି ହସ୍ତକ୍ଷେପ କରିବୁ ନାହିଁ । 

ଭେନ୍ସ ଆହୁରି ମଧ୍ୟ କହିଛନ୍ତି, ଆମେ ଭାରତକୁ ଅସ୍ତ୍ର ଛାଡିବାକୁ କହିପାରିବୁ ନାହିଁ କି ପାକିସ୍ତାନକୁ ବି କହିପାରିବୁ ନାହିଁ । ଏହାକୁ ଆମେରିକା କୂଟନୀତି ସ୍ତରରେ ସମାଧାନ କରିବାକୁ ଚେଷ୍ଟା କରିପାରେ । ହେଲେ ଏ ଯୁଦ୍ଧ ଯେପରି ଉଗ୍ର ହୋଇ ପରମାଣୁ ଅସ୍ତ୍ର ଆଡକୁ ନବଢୁ ଏହା ଆମର ବିଶ୍ବାସ । ବର୍ତ୍ତମାନର ସ୍ଥିତିକୁ ଦେଖି ଏହା ପରମାଣୁ ଆକ୍ରମଣର ରୂପ ନେବ ନାହିଁ ବୋଲି ଆମେ ଭାବୁଛୁ । 
 ଏହା ପୂର୍ବରୁ ଭାରତ- ପାକ୍ ବିବାଦକୁ  ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ମନ୍ତବ୍ୟ ଦେଇଥିଲେ । କହିଥିଲେ, ଯଦି ଏଭଳି ସ୍ଥିତିରେ ଆମର ସହଯୋଗ ଦରକାର ପଡେ ତାହେଲେ ନିଶ୍ଚୟ କରିବୁ । ଉଭୟ ଭାରତ ଓ ପାକିସ୍ତାନ ସହ ଆମେରିକାର ଭଲ ସମ୍ପର୍କ ରହିଛି । ଆମେରିକା ଚାହୁଛି ଯେ ଦୁଇ ଦେଶ ମଧ୍ୟରେ ଖୁବ୍ ଶୀଘ୍ର କିଛି ସମାଧାନର ସୂତ୍ର ବାହାରୁ ।