କନକ ବ୍ୟୁରୋ: ଭାରତ ଉପରେ କାହିଁ କେତେ ଦିନ ହେଲାଣି ପରମାଣୁ ପ୍ରତିବନ୍ଧର ଲଗାଇଥିବା ଆମେରିକା ଏବେ ସେହି ପ୍ରତିବନ୍ଧକ ହଟାଇଦେବାକୁ ଯାଉଛି । ପାଖାପାଖି ୨୦ ବର୍ଷ ପୂର୍ବରୁ ଲାଗିଥିବା ପ୍ରତିବନ୍ଧକ ହଟାଯିବାକୁ ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଛି । ଏମିତି ହେଲେ ଭାରତର ବଡ଼ କୂଟନୈତିକ ବିଜୟ ହେବ ବୋଲି କୁହାଯାଉଛି । ପରମାଣୁ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ମାଧ୍ୟମରେ ଅଧିକ ଶକ୍ତି ଉତ୍ପନ୍ନ କରାଯାଏ । ୨୦୦୭ ମସିହାରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବ୍ରୁଶ ଥିବା ବେଳେ ଆମେରିକା ଓ ଭାରତ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷାରିତ ହୋଇଥିଲା । ଚୁକ୍ତି ଅନୁସାରେ, ଆମେରିକାକୁ ଭାରତକୁ ଆଣବିକ ପ୍ରଯୁକ୍ତିବିଦ୍ୟା ବିକ୍ରୟ କରିବାକୁ ଅନୁମତି ଦିଆଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ, ଏହି ଚୁକ୍ତିରେ ବାଧା ଦେଖାଦେଇଥିଲା । ତେଣୁ ପୂର୍ବରୁ ଲଗାଯାଇଥିବା ଏହି ପ୍ରତିବନ୍ଧକ ହଟାଇବାକୁ ଯୋଜନା କରାଯାଉଛି ।

Advertisment

୧୯୯୮ରେ କାହିଁକି ଲଗାଯାଇଥିଲା ପ୍ରତିବନ୍ଧକ ?

୧୯୯୮ ମସିହାରେ  ଭାରତର ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପେୟୀ । ତାଙ୍କରି ସରକାର ସମୟରେ ରାଜସ୍ଥାନର ପୋଖରାନରେ ପରମାଣୁ ପରୀକ୍ଷା କରିଥିଲା ଭାରତ । ଏହି ପରୀକ୍ଷାକୁ ଅପରେସନ୍‌ ଶକ୍ତି ଭାବରେ ସମସ୍ତେ ଜାଣନ୍ତି । ଭାରତ ପରମାଣୁ ପରୀକ୍ଷା କରିବା ପରେ ଅନେକ ରାଷ୍ଟ୍ର ବିଭିନ୍ନ ଦିଗରେ ଭାରତ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଆମେରିକା ମଧ୍ୟ ୨୦୦ରୁ ଅଧିକ ଭାରତୀୟ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଥିଲା । 


ସେବେ ଲାଗିଥିବା ପ୍ରତିବନ୍ଧକ ଏବେ ବି ଅଛି ?

ପରମାଣୁ ପରୀକ୍ଷା କରିବା ପରେ ଭାରତ ଉପରେ ଅନେକ ଦେଶ ଲଗାଇଥିଲେ ପ୍ରତିବନ୍ଧକ । କିନ୍ତୁ ଧୀରେ ଧୀରେ ଏହା ହଟିଥିଲା । ଆମେରିକା ମଧ୍ୟ ଅନେକ ସଂସ୍ଥାରୁ ପ୍ରତିବନ୍ଧକ ହଟାଇଦେଇଥିଲା । ପରବର୍ତ୍ତୀ ସମୟରେ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀ କାଳରେ ଆମେରିକା  ସହ ଭାରତର ଏକ ପରମାଣୁ ଚୁକ୍ତି ହୋଇଥିଲା । କିନ୍ତୁ ଏହି ଚୁକ୍ତିର କିଛି ସର୍ତ୍ତରେ ରାଜି ନଥିଲା ଭାରତ । ମାର୍ଚ୍ଚ ୨୦୦୬ରେ ହୋଇଥିବା ଏହି ଚୁକ୍ତି ଠିକ୍‌ରେ କାର୍ଯ୍ୟକାରୀ ହୋଇପାରିନଥିଲା । ୧୯୯୮ରେ ଲଗାଯାଇଥିବା ପ୍ରତିବନ୍ଧକ ଗୁଡ଼ିକରେ ମୁଖ୍ୟତଃ ଭାଭା ପରମାଣୁ କେନ୍ଦ୍ର, ଇନ୍ଦିରା ଗାନ୍ଧୀ ପରମାଣୁ କେନ୍ଦ୍ର ସହ ଅନେକ ଅନୁଷ୍ଠାନ ଉପରେ ଲଗାଯାଇଥିଲା ପ୍ରତିବନ୍ଧକ । 

ବାଇଡେନ୍‌ ନେଲେ ବଡ଼ ନିଷ୍ପତ୍ତି

ବର୍ତ୍ତମାନର ଆମେରିକା ରାଷ୍ଟପତି ଅଛନ୍ତି ଜୋ ବାଇଡେନ୍ । ଆସନ୍ତା ୨୦ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏହାପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ କୁହାଯାଇଛି କି, ପୂର୍ବରୁ ଲଗାଯାଇଥିବା ପ୍ରତିବନ୍ଧକ ହଟାଇବାକୁ ଆମେରିକା ନିଷ୍ପତ୍ତି ନେଇଛି । ଯାହାଦ୍ବାରା ଆଗାମୀ ଦିନରେ ଆମେରିକା-ଭାରତ ପରମାଣୁ କ୍ଷେତ୍ରରେ ମିଳିତ ଭାବରେ କାମ କରିବେ ।

 
କେତେ ଫାଇଦା ପାଇବ ଭାରତ ?

ପରମାଣୁ ପ୍ରତିବନ୍ଧକ ଭାରତ ଉପରୁ ହଟିଲେ ଆମେରିକାର ବିଭିନ୍ନ ପରମାଣୁ କମ୍ପାନୀ ଭାରତର ପରମାଣୁ ସଂସ୍ଥା ସହ ମିଳିତ ଭାବରେ କାମ କରିବେ । ଏହାଦ୍ବାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମେରିକାର ସହଯୋଗ ପାଇପାରିବ ଭାରତ । 


ପରମାଣୁ ପ୍ରତିବନ୍ଧକ ଉଠାଇବାକୁ କାହିଁକି ଚାହୁଁଛି ଆମେରିକା

୨୦ ବର୍ଷ ପରେ ଭାରତ ଉପରେ ଲାଗିଥିବା ପରମାଣୁ ପ୍ରତିବନ୍ଧକ ହଟାଇବାକୁ ଚେଷ୍ଟା କରୁଛି ଆମେରିକା । ଏହାପଛରେ ଅନେକ କାରଣ ରହିଛି । କାରଣ ଆମେରିକା ଭଲରେ ଜାଣିଛି କି ପରମାଣୁ କ୍ଷେତ୍ରରେ ଭାରତ ଅନେକ ବିକାଶ କରୁଛି । ତେଣୁ ଭାରତ ସହ ମିଳିତ ଭାବରେ କାମ କଲେ ଏଥିରେ ଆମେରିକା ହିଁ ଲାଭବାନ ହେବ । ଶକ୍ତିଠୁ ଆରମ୍ଭ କରି ଅନ୍ତରୀକ୍ଷ କ୍ଷେତ୍ରରେ ଦୁଇ ଦେଶ ମିଶି କାମ କରିବା ଅଧିକ ପ୍ରଭାବଶାଳୀ ହେବ । ଖାଲି ଏତିକି ନୁହେଁ ଭାରତରେ ବଡ଼ ନିବେଶ କରୁଛି ଆମେରିକା । ଗତ ୧୦ ବର୍ଷ ଭିତରେ ଉଭୟ ଦେଶର ସମ୍ପର୍କରେ ବଡ଼ ସୁଧାର ଆସିଛି । ଆମେରିକାରେ ଭାରତୀୟ ନିବେଶକଙ୍କ ଦ୍ବାରା ୪ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି ।

ଆମେରିକା ଭଲରେ ଜାଣିଛି କି, ପରମାଣୁ କ୍ଷେତ୍ରରେ ବଡ଼ ବଜାର ହେଉଛି ଭାରତ । ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବି ଭାରତ ଲଗାତାର ଆଗକୁ ଯାଉଛି । ତେଣୁ ଭାରତ ସହ ମିଶି କାମ କଲେ ଆମେରିକାର ହିଁ ଫାଇଦା ହେବ । ସେଇଥି ଲାଗି ତ ୨୦ ବର୍ଷର ପ୍ରତିବନ୍ଧକ ହଟାଇବାକୁ ଉଦ୍ୟମ କରିଛି ଆମେରିକା । ମୋଟ୍‌ ଉପରେ ଆମେରିକା-ଭାରତ ଉପରେ ଲଗାଇଥିବା ପ୍ରତିବନ୍ଧକ କେବେ ହଟାଉଛି ସେନେଇ ତୀକ୍ଷ୍ମ ନଜର ରଖିଛି ଚୀନ ।