କନକ ବ୍ୟୁରୋ: ବିଶ୍ୱ ରାଜନୀତି ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନମାନି ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ଆରମ୍ଭ ହୋଇଛି । ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭର କରୁଥିବା ବିଶ୍ୱର ସେହି ଦେଶଗୁଡ଼ିକର ଅର୍ଥନୀତିକୁ ଆମେରିକା ଶୁକ୍ଳ ମାଧ୍ୟମରେ ଟାର୍ଗେଟ କରିବା ଆରମ୍ଭ କରିଛି । ଏବେ ଟ୍ରମ୍ପ୍ ଯାହା ଘୋଷଣା କରିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଭେନେଜୁଏଲା ଠାରୁ ଅଶୋଧିତ ତୈଳ କିଣୁଥିବା ବିଶ୍ୱର ଦେଶଗୁଡ଼ିକୁ ଟ୍ରମ୍ପ ସ୍ପଷ୍ଟ ସଙ୍କେତ ଦେଇଛନ୍ତି, ସେମାନଙ୍କ ଉପରେ ୨୫ ପ୍ରତିଶତ ଟିକସ ଲାଗିବ। ଏହି ଘୋଷଣା ଭାରତ ଓ ଚୀନ ଭଳି ଦେଶ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏହାର ଏକ କାରଣ ହେଉଛି, ଉଭୟ ଦେଶ ଭେନେଜୁଏଲାରୁ ବିପୁଳ ପରିମାଣର ଅଶୋଧିତ ତୈଳ କିଣୁଛନ୍ତି। ଏବେ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ପରେ ଭାରତର ଅର୍ଥନୀତି ଉପରେ ବଡ଼ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଭେନେଜୁଏଲାର ଅଶୋଧିତ ତୈଳ ଆମଦାନୀ ଉପରେ ଆମେରିକା ରାଷ୍ଟ୍ରପତି ଶୁଳ୍କ ଲାଗୁ କରିବାକୁ ଘୋଷଣା କରିବା ପରଠାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଛି । ଏହି ପରିସଂଖ୍ୟାନ ବିଷୟରେ କହିବାକୁ ଗଲେ ଉପସାଗରୀୟ ଦେଶଗୁଡ଼ିକର ଅଶୋଧିତ ତୈଳ ବ୍ୟାରେଲ ପିଛା ୭୩ ଡଲାର ଅତିକ୍ରମ କରିଛି । ସେହିପରି ଆମେରିକାରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୦ ଡଲାର ପାଖାପାଖି ପହଞ୍ଚିଛି ।
ବିଶେଷଜ୍ଞ କହିଛନ୍ତି, ଭେନେଜୁଏଲା ଭଳି ଦେଶର ତୈଳ ଆମଦାନୀ ଉପରେ ଏଭଳି ନିଷ୍ପତ୍ତି ନିଆଯାଇଛି ଯାହା ଦ୍ୱାରା ଆମେରିକୀୟ ତୈଳ ଯୋଗାଣ ସର୍ବାଧିକ ହୋଇପାରିବ । ଭେନେଜୁଏଲାରୁ ଗ୍ୟାସ୍ ଓ ତେଲ କିଣୁଥିବା ଦେଶମାନେ ଆମେରିକା ସହ ବାଣିଜ୍ୟ କଲେ ୨୫ ପ୍ରତିଶତ ଶୁଳ୍କ ଦେବେ ବୋଲି ଆମେରିକା ଘୋଷଣା କରିଛି । ପଦକ୍ଷେପ ଫଳରେ ଭେନେଜୁଏଲାର ଦୁଇ ବୃହତ୍ତମ ତୈଳ ଆମଦାନୀକାରୀ ଭାରତ ଏବଂ ଚୀନ୍ର ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲାଗୁ ହୋଇପାରେ । ଟ୍ରମ୍ପ କହିଛନ୍ତି ଯେ ଏହି "ଦ୍ବିତୀୟ ଶୁଳ୍କ" ଏପ୍ରିଲ ୨ ରୁ କାର୍ଯ୍ୟକାରୀ ହେବ । ଭେନେଜୁଏଲା ସହ ବ୍ୟବସାୟ କରୁଥିବା ଦେଶ ଉପରେ ଚାପ ପକାଇବା ପାଇଁ ଟ୍ରମ୍ପ ପ୍ରଶାସନ ବ୍ୟାପକ ରଣନୀତି କରୁଛନ୍ତି ।
ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ‘ଦ୍ବିତୀୟ ଶୁଳ୍କ’ର ପରିଣାମ ଭାରତକୁ ଭୋଗିବାକୁ ପଡ଼ିବ କି ? ଫାଇନାନ୍ସିଆଲ ଟାଇମ୍ସ ଅନୁଯାୟୀ, ଭେନେଜୁଏଲା ଗତବର୍ଷ ଦୈନିକ ୬,୬୦,୦ ବ୍ୟାରେଲ ଅଶୋଧିତ ତୈଳ ରପ୍ତାନି କରିଥିଲା । ଯେଉଁଥିରେ ଭାରତ, ଚୀନ୍ ଏବଂ ସ୍ପେନ୍ ଶୀର୍ଷ କ୍ରେତା ହୋଇଥିଲେ । ଭେନେଜୁଏଲାରୁ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ଶୁଳ୍କ ଲାଗୁ କରିବାକୁ ବଜାରରେ ବଡ଼ ଧରଣର ଅସ୍ଥିରତା ସୃଷ୍ଟି କରିପାରେ । ୨୦୨୪ରେ ଭାରତ ଭେନେଜୁଏଲାର ପ୍ରାୟ ୨୨ ନିୟୁତ ବ୍ୟାରେଲ ତୈଳ ଆମଦାନୀ କରିଥିଲା, ଯାହା କି ଏହାର ମୋଟ ଅଶୋଧିତ ତୈଳ କ୍ରୟର ପ୍ରାୟ ୧.୫ ପ୍ରତିଶତ । ରିଲାଏନ୍ସ ହେଉଛି ଭେନେଜୁଏଲାର ସବୁଠାରୁ ବଡ଼ କ୍ରେତା । ଭାରତର ସର୍ବବୃହତ୍ ଘରୋଇ ବିଶୋଧନାଗାର ରିଲାଏନ୍ସ ୨୦୨୩ରେ ଭେନେଜୁଏଲା ତୈଳ ଆମଦାନୀ ପାଇଁ ଆମେରିକାର ଅନୁମୋଦନ ହାସଲ କରିଥିଲା ।