କନକ ବ୍ୟୁରୋ : ଓସାମା ବିନ୍ ଲାଡେନ୍, ଅଲ-ଜବାହିର ଓ ଅବୁ ବକର ଅଲ ବଗଦାଦୀ । ଏମାନେ କିଏ ହୁଏତ କହିବାକୁ ପଡିବ ନାହିଁ । ଏମାନେ ସେମାନଙ୍କ ସମୟରେ ଜଣେ ଜଣେ ସବୁଠୁ ବଡ଼ ଆତଙ୍କବାଦୀଙ୍କ ସର୍ଦ୍ଦାର ଥିଲେ । ସେ ଅଲକାଏଦା ମୁଖ୍ୟ ଲାଡେନ ହେଉ କି ତା'ର ଉତରାଧିକାରୀ ଅଲ-ଜବାହିର କିମ୍ବା ଆଇଏସଆଇଏସର ସବୁଠାରୁ ଦୁର୍ଦ୍ଦାନ୍ତ ଚେହେରା ଅବୁ ବକର ଅଲ୍ ବଗଦାଦୀ, ଏମାନଙ୍କର ଗୋଟିଏ ଲକ୍ଷ୍ୟ ହେଉଛି ବିଶ୍ୱରେ ଅଶାନ୍ତି ସୃଷ୍ଟି କରିବା । ଏମାନେ ସମସ୍ତେ ଆମେରିକା ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ଆତଙ୍କବାଦୀ । ଆବଶ୍ୟକ ବେଳେ ଆମେରିକା ଏମାନଙ୍କୁ ବ୍ୟବହାର କରିଛି ଓ ଆବଶ୍ୟକ ମେଣ୍ଟିଗଲେ ଏମାନଙ୍କୁ ହତ୍ୟା କରିଛି । 

Advertisment

ଏବେ ଆସିବା ସେହି ଚିତ୍ର ଉପରକୁ ଯାହାକୁ ଦେଖି ଏବେ ସାରା ବିଶ୍ୱ ଚକିତ ହୋଇପଡିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କିଏ ବା ନଜାଣେ । କିଛିଦିନ ହେବ ଭାରତ ସହ ସାରା ବିଶ୍ୱରେ ଟ୍ରମ୍ପଙ୍କ ଚର୍ଚ୍ଚା ହେଉଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ଯୁଦ୍ଧ ଭିତରେ ଟ୍ରମ୍ପ୍ ନିଜ ତରଫରୁ ଅସ୍ତ୍ରବିରତି ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ । ଏହି ଫଟୋରେ ଆମେରିକା ରାଷ୍ଟ୍ରପତିଙ୍କ ହାତ ସହ ଯିଏ ହାତ ମିଳାଉଛନ୍ତି ତାଙ୍କୁ ହୁଏତ୍ ଲୋକେ ଜାଣି ନଥିବେ । ଏହି ଲୋକକୁ ଆମେରିକା ନିଜେ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା । କେବଳ ଆତଙ୍କବାଦୀ ବୋଲି ଘୋଷଣା କରିନଥିଲା, ଏହି ଲୋକକୁ ଧରିବା ପାଇଁ ୧ କୋଟି ଡଲାରର ପୁରସ୍କାର ରାଶି ଘୋଷଣା ମଧ୍ୟ କରିଥିଲା । 

ଏବେ ଆପଣ ଚିନ୍ତାରେ ପଡିଥିବେ କି ଆମେରିକା ଯାହାକୁ ଆତଙ୍କବାଦୀ ଘୋଷଣା କରିବା ସହ ମୁଣ୍ଡ ଉପରେ ୧ କୋଟି ଡଲାରର ପୁରସ୍କାର ରାଶି ଘୋଷଣା କରିଥିଲା ତାହା ସହ କିଭଳି ଆମେରିକାର ରାଷ୍ଟ୍ରପତି ହାତ ମିଳାଉଛନ୍ତି । ଏବେ ବୁଝନ୍ତୁ ଏହା ହିଁ ଆମେରିକା । ନିଜ ସ୍ୱାର୍ଥ ପାଇଁ ଯୁଦ୍ଧ କରେ ଓ ନିଜ ସ୍ୱାର୍ଥ ପାଇଁ ଅସ୍ତ୍ରବିରତି ଘୋଷଣା କରେ । ଏହାସହ ନିଜ ସ୍ୱାର୍ଥ ପାଇଁ ଆତଙ୍କବାଦୀଙ୍କ ସହ ହାତ ମିଳାଇଥାଏ । ସବୁଠୁ ବଡ଼ କଥା ହେଉଛି ମେ' ୧୪ ତାରିଖରେ ଆମେରିକା ରାଷ୍ଟ୍ରପତି ଯେଉଁ ଲୋକ ସହ ହାତ ମିଳାଉଛନ୍ତି ସେ ଆତଙ୍କବାଦୀରୁ ଗୋଟିଏ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ହୋଇସାରିଛନ୍ତି । ଅର୍ଥାତ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅହମ୍ମଦ ହୁସେନ ଅଲ୍ ଶରା ଏବେ ସିରିଆର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଅଛନ୍ତି । ସାରା ଦୁନିଆ ତାଙ୍କୁ ଅବୁ ମହମ୍ମଦ ଅଲ୍ ଜୁଲାନୀ ଭାବେ ଜାଣିଛନ୍ତି । 

ଡିସେମ୍ବର ୨୦୨୪ ରେ ସିରିଆରେ ୨୦ ବର୍ଷ ଧରି ରାଜୁତି କରୁଥିବା ରାଷ୍ଟ୍ରପତି ବଶର ଅଲ୍ ଅସଦ ସିରିଆ ଛାଡି ଋଷ ପଳାଇବା ପରେ ଜୁଲାନୀ ସିରିଆର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଅଛନ୍ତି । ସିରିଆ ଗୃହଯୁଦ୍ଧରେ ଜୁଲାନୀ ସିଧାସଳଖ ବାଗଦାଦୀ ଓ ଜବାହିର ସହ ସମ୍ପର୍କରେ ଥିଲେ । ଜୁଲାନୀ ଆତଙ୍କୀ ସଂଗଠନକୁ ସେନା ଓ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଅଭିଯୋଗରେ ଆମେରିକା ତାଙ୍କୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା । ଏହାସହ ବିଭିନ୍ନ ଆତଙ୍କୀ ସଂଗଠନକୁ ରାଜନୈତିକ ଓ ସୈନ୍ୟ ସମର୍ଥନ ଦେବା ଅଭିଯୋଗରେ ୧୯୭୯ରେ ଆମେରିକା ସିରିଆ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଥିଲା । ସେବେଠାରୁ ପ୍ରତିବନ୍ଧକ ଜାରି ଥିଲା । 

ହେଲେ ଏବେ ଯେଭଳି ଭାବେ ଡୋନାଲ୍ଡ ଟ୍ରମ୍ପ୍ ସିିରିଆ ରାଷ୍ଟ୍ରପତିଙ୍କ ସହ ହାତ ମିଳାଇଲେ ତାହାକୁ ନେଇ ଇସ୍ରାଏଲ ଖୁସି ନାହିଁ । କୁହାଯାଉଛି କି, ସିରିଆରେ ଏକ ବିଶ୍ୱ ଆତଙ୍କବାଦ ସରକାରକୁ ମାନ୍ୟତା ଦେବା ଉପରେ ସାଉଦିଆରବ, ଓ ତୁର୍କୀର ହାତ ରହିଛି ।