କନକ ବ୍ୟୁରୋ : ଇସ୍ରାଏଲ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧବିରତି, ଏପଟେ ଥମୁନି ରୁଷ-ୟୁକ୍ରେନ ଲଢେଇ। ଏସବୁ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ରୋକିବାକୁ ସେ ଆଗ୍ରହୀ ଅଛନ୍ତି। କିନ୍ତୁ ରୁଷ ରାଷ୍ଟ୍ରପତି ପୁଟିନ ଏନେଇ କିଛି ସ୍ପଷ୍ଟ କରୁନଥିବା ବେଳେ ତାଙ୍କ ଉପରେ ବିଶ୍ବାସ ନଥିବା ଟ୍ରମ୍ପ କହିଛନ୍ତି। ନିର୍ବାଚନ ଜିତିବା ପରେ ନିଜର ପ୍ରତିକ୍ରିୟାରେ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଉପରେ ଜୋର ଦେଇଥିଲେ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତିଙ୍କ ଏହି ବୟାନକୁ ରୁଷ ପକ୍ଷରୁ ମଧ୍ୟ ସ୍ବାଗତ କରାଯାଇଥିଲା। ପୁଟିନ ମଧ୍ୟ ଟ୍ରମ୍ପଙ୍କୁ ଭେଟିବା ନେଇ ସଙ୍କେତ ଦେଇଥିଲେ। ତେବେ ଏପର୍ୟ୍ୟନ୍ତ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ହେବା ନେଇ ଦୁଇଦେଶ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ। ସେପଟେ ୟୁକ୍ରେନ ବିନା ପୁଟିନଙ୍କ ସହ ଟ୍ରମ୍ପଙ୍କ ଆଲୋଚନା ଆମକୁ ଅଣଦେଖା ସଦୃଶ ହେବ ବୋଲି ଜେଲେନସ୍କି କହିଛନ୍ତି।