କନକ ବ୍ୟୁରୋ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ପ୍ରାୟ ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ଶେଷ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଲଗାତର ପ୍ରୟାସ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପୁଣି ଫୋନରେ କଥା ହୋଇଛନ୍ତି ଟ୍ରମ୍ପ । ଏହି ଆଲୋଚନା ଶାନ୍ତି ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ଟ୍ରମ୍ପ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଟ୍ରମ୍ପ ନିଜ ଟୁଇଟର ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ ପୁତିନଙ୍କ ସହ ତାଙ୍କର ଆଲୋଚନା ବହୁତ ସକାରାତ୍ମକ ଥିଲା । ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବା ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି। ଆହୁରି ମଧ୍ୟ ବ୍ୟବସାୟିକ ସମ୍ପର୍କର ଭବିଷ୍ୟତକୁ ସୁଦୃଢ଼ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଛି ।
ପୁଟିନ ସମସ୍ତ ବିଷୟକୁ ଗମ୍ଭୀରତାର ସହ ଶୁଣିଛନ୍ତି ଏବଂ ଖୁବ୍ ଶୀଘ୍ର ସେ ସାକ୍ଷାତ କରିବେ ବୋଲି କହିଛନ୍ତି । ଆଲୋଚନା ସମୟରେ ପୁଟିନ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ଆମେରିକାର ଭୂମିକାକୁ ପ୍ରଶଂସା କରିଥିଲେ । ପୁଟିନ ସେମାନଙ୍କୁ କହିଥିଲେ ଯେ ଶହ ଶହ ବର୍ଷ ଧରି କେହି ଏହା କରିପାରି ନାହାନ୍ତି ଏବଂ ଆମେରିକା ଏହା କରିଛି । ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରକ୍ରିୟା ଆରମ୍ଭ ହେଲେ ରୁଷ-ୟୁକ୍ରେନ ବିବାଦର ଅବସାନ ଘଟିବ ବୋଲି ଟ୍ରମ୍ପ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
କଥାବାର୍ତ୍ତା ସମୟରେ ରାଷ୍ଟ୍ରପତି ପୁଟିନ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କ ସାମାଜିକ କାର୍ଯ୍ୟରେ ସାମିଲ ହେବା ନେଇ ପ୍ରଶଂସା କରିଥିଲେ । ଆସନ୍ତା ସପ୍ତାହରେ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ଦୁଇ ନେତା ରାଜି ହୋଇଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହାର ନେତୃତ୍ୱ ନେବେ । ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଛି ।