କନକ ବ୍ୟୁରୋ: ଆମେରିକା ଟାର୍ଗେଟ୍‌ରେ ଚୀନ୍‌ । ଆମେରିକା ଚୀନ୍‌ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବା ପରେ ଏବେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣିଛି । ଏବେ କହିଛି, ଚୀନ୍‌ ଚାହୁଛି ପୂରା ବିଶ୍ବକୁ କଂଟ୍ରୋଲ କରିବା ପାଇଁ । ହେଲେ ଏହା ଆଦୌ ହେବାକୁ ଦିଆଯିବନି । ଚୀନ୍‌ କେବଳ ଆର୍ଥିକସ୍ତରରେ ବିଶ୍ବକୁ ନିଜ ଆୟତ୍ତରେ ନେବାକୁ ଚାହୁଛି ତାହା ନୁହେଁ ବରଂ ସାମରିକ କ୍ଷେତ୍ରରେ ବି ନେତୃତ୍ବ ନେବାକୁ ଚୀନ୍‌ ପ୍ଲାନ୍‌ କରୁଛି । ଯାହା ବିଶ୍ବ ପାଇଁ ବଡ଼ ବିପଦ ହୋଇପାରେ ବୋଲି ଟ୍ରମ୍ପ କହିଛନ୍ତି ।

Advertisment

ଟ୍ରମ୍ପଙ୍କ ସାଂଘାତିକ ଖୁଲାସା
କହିଲେ,ଚୀନ୍‌ ଚାହେ ପୂରା ବିଶ୍ବକୁ କଂଟ୍ରୋଲ କରିବା ପାଇଁ
ଆମେ ଏହାକୁ କରାଇଦେବୁନି
ବିଶ୍ବରେ ଋଣ ଜାଲ ବିଛାଉଛି ଚୀନ୍‌
ଅର୍ଥନୈତିକ ସହାୟତା ନାଁରେ ବର୍ବାଦ କରୁଛି

ଚୀନ୍‌ ଆର୍ଥିକସ୍ତରରେ ମଜବୁତ ଥିବାରୁ ଅନେକ ଦେଶଙ୍କୁ ଆର୍ଥିକ ସହାୟତା ଦେଉଛି । ଏହା ବଦଳରେ ଚୀନ୍‌ ଅନେକ ଟଙ୍କା ଲାଭ କରୁଛି । ସ୍ଥିତି ଏମିତି ହେଉଛି ଯେ ଋଣ ପ୍ରତିବଦଳରେ ଚୀନ୍‌ ମୋଟା ଅଙ୍କର ସୁଧ ପାଉଛି । ଯାହାଦ୍ବାରା ବିନା କୌଣସି ପରିଶ୍ରମରେ ନିଜର ଅର୍ଥନୀତିକୁ ମଜବୁତ କରୁଛି । ଏମିତି ହେଲେ ଧୀରେ ଧୀରେ ଅନେକ ଦେଶ ଚୀନ୍‌ କଥା ମାନିବାକୁ ବାଧ୍ୟ ହେବେ । ତେଣୁ ବେଳ ଥାଉଥାଉ ସମସ୍ତଙ୍କୁ ସାବଧାବ ହେବାକୁ ପଡ଼ିବ ବୋଲି ଟ୍ରମ୍ପ କହିଛନ୍ତି । ଏହାର ଏକ ବଡ଼ ଉଦାହରଣ ହେଉଛି "ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍" ବା BRI । ଯାହା ମାଧ୍ୟମରେ ଚୀନ୍ ଏସିଆ, ଆଫ୍ରିକା ଏବଂ ୟୁରୋପର ଅନେକ ଦେଶରେ ଭିତ୍ତିଭୂମି ପ୍ରକଳ୍ପରେ ପୁଞ୍ଜି ବିନିଯୋଗ କରୁଛି । ଯାହାଦ୍ବାରା ଅନେକ ଦେଶକୁ ନିଜ ଆୟତ୍ତକୁ ନେବାକୁ ଚକ୍ରାନ୍ତ କରୁଛନ୍ତି ଜିନ୍‌ପିଙ୍ଗ । 

କରୋନା ପାଇଁ ଚୀନ୍‌ ଦାୟୀ

ଚୀନ୍‌କୁ ଟାର୍ଗେଟ୍‌ କରି ଟ୍ରମ୍ପ କହିଛନ୍ତି, ପୂରା ବିଶ୍ବ ଦେଖିଲା କରୋନାର ଭୟାଭୟତା । ନିଜ ଭୁଲ୍‌ ପାଇଁ ପୂରା ବିଶ୍ବରେ କରୋନା ବିସ୍ତାର କଲା ଚୀନ୍‌ । ଲକ୍‌ଡାଉନ୍‌ଠୁ ଆରମ୍ଭ କରି ସଟ୍‌ଡାଉନ ପର୍ଯ୍ୟନ୍ତ ସମସ୍ୟାରେ ଘାଣ୍ଟି ହେଲା ପୂରା ବିଶ୍ବ । ତେଣୁ ଚୀନ୍‌ ବିଶ୍ବ ପାଇଁ ବଡ଼ ବିପଦ ବୋଲି ଟ୍ରମ୍ପ କହିଛନ୍ତି । ସେପଟେ, ସାମରିକ କ୍ଷେତ୍ରରେ ଚୀନର ବଢ଼ୁଥିବା ଶକ୍ତି ଉପରେ ମଧ୍ୟ ଟ୍ରମ୍ପ ଆଲୋକପାତ କରିଛନ୍ତି । ଦକ୍ଷିଣ ଚୀନ୍ ସାଗରରେ ଚୀନର ସାମରିକ ଉପସ୍ଥିତି ଏବଂ ସେଠାରେ କୃତ୍ରିମ ଦ୍ୱୀପ ନିର୍ମାଣକୁ ସେ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି କହିଛନ୍ତି । ସେ ଚୀନର ସାମରିକ ଆଧୁନିକୀକରଣ କାର୍ଯ୍ୟକ୍ରମ ଉପରେ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଏହା ଆମେରିକା ତଥା ଏହାର ସହଯୋଗୀ ରାଷ୍ଟ୍ରମାନଙ୍କ ପାଇଁ ଏକ ବଡ଼ ବିପଦ ବୋଲି କହିଛନ୍ତି । ଟ୍ରମ୍ପଙ୍କ ଅନୁଯାୟୀ, ଚୀନର ଲକ୍ଷ୍ୟ ହେଉଛି ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆମେରିକାର ପ୍ରଭାବକୁ ହ୍ରାସ କରିବା ଏବଂ ଶେଷରେ ନିଜେ ସେହି ଅଞ୍ଚଳର ଏକଚ୍ଛତ୍ର ଶାସକ ହେବ । 

କଥାହେଲା, ଚୀନ୍‌ ଉପରେ ଏବେ ଆମେରିକା ଖପ୍ପା । ଆଉ ଟ୍ରମ୍ପ ଯେଉଁପରି ନିଶାନା କରୁଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତତାପୂର୍ଣ୍ଣ ରହିବ ।