କନକ ବ୍ୟୁରୋ : ଟାରିଫକୁ ନେଇ ଗୋଟିଏ ପଟେ ଆମେରିକା, ଅନ୍ୟପଟେ ଭାରତ ଓ ବିରୋଧ କରୁଥିବା ଅନ୍ୟାନ୍ୟ ଦେଶ ।  ଏହା ମଧ୍ୟରେ ଭାରତ ଓ ଚୀନ ଉପରେ ଅଧିକ ଟାରିଫ ଲାଗୁ ପାଇଁ ୟୁରୋପୀୟ ସଂଘ ପରେ ଜି-ସେଭେନ ଦେଶଙ୍କୁ ଉସୁକାଉଛି ଆମେରିକା । ନୂଆଦିଲ୍ଲୀ ଓ ବେଜିଂ ଉପରେ ୫୦ % ପରେ ଆହୁରି ଅଧିକ ରପ୍ତାନି ଶୁଳ୍କ ଲଗାଇବାକୁ ଚାପ ପକାଉଥିବା ସୂଚନା ମିଳିଛି । ଆଜି କାନାଡ଼ା, ଫ୍ରାନ୍ସ, ଜାପାନ, ଇଟାଲୀ, ବ୍ରିଟେନ, ଜମାନୀ ସହ ଆମେରିକା କରିବ ଭର୍ଚୁଆଲ ବୈଠକ ।

Advertisment

ସେପଟେ  ସର୍ଜିଓ ଗୋରଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି । ନୂଆଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ  ସର୍ଜିଓ ଗୋର୍ କହିଛନ୍ତି ଯେ ଆମେରିକା ଚାହୁଛି, ଭାରତୀୟ ବଜାର ଆମେରିକୀୟ ଅଶୋଧିତ ତୈଳ, ପେଟ୍ରୋଲିୟମ୍ ଉତ୍ପାଦ ଓ ତରଳ ପ୍ରାକୃତିକ ଗ୍ୟାସ୍ ପାଇଁ ଖୋଲା ରହୁ । ଦୁଇ ଦେଶ ଶକ୍ତି କ୍ଷେତ୍ରରେ ଏକ ବଡ଼ ସହଭାଗିତା ଦେଖୁଛନ୍ତି ଓ ବାଣିଜ୍ୟିକ ଚୁକ୍ତି ବହୁତ ଦୂରରେ ନାହିଁ । ବାଣିଜ୍ୟ ବ୍ୟାପାର ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । କିନ୍ତୁ ରୁଷଠାରୁ ଭାରତ ତୈଳ କିଣିବା ବନ୍ଦ କରିବା ଏକ କଷ୍ଟକର ବ୍ୟାପାର ।  ଏଥିସହ ସେ ଏକଥାକୁ ମଧ୍ୟ ଇଙ୍ଗିତ କରିଛନ୍ତି ମନ ବଦଳାଇ କ୍ବାଡ୍‌ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି । ଏସସିଓ ସମ୍ମିଳନୀରେ ଭାରତ, ଚୀନ ଓ ରୁଷକୁ ଗୋଟିଏ ମଞ୍ଚରେ ଏକାଠି ଦେଖିବା ପରେ ଭାରତ ଗସ୍ତ ବାତିଲ ନେଇ ସୂଚନା ମିଳିଥିଲା ।

ସେପଟେ ଆମେରିକାର ଏଭଳି ଟାରିଫକୁ ନେଇ ମୁହଁ ଖୋଲିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ସେ  ଆମେରିକାର ନାମ ନ ନେଇ ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି ଯେ ଭାରତ ଉପରେ ଶୁଳ୍କ ଲଗାଯାଇଥିଲା କାରଣ ସେମାନେ ଭୟ କରନ୍ତି ଯେ ଯଦି ଭାରତ ଶକ୍ତିଶାଳୀ ହୁଏ ତେବେ ସେମାନଙ୍କର କଣ ହେବ। ମୋହନ ଭାଗବତ ଶୁକ୍ରବାର ନାଗପୁରରେ ଏକ ବ୍ରହ୍ମାକୁମାରୀ କାର୍ଯ୍ୟକ୍ରମରେ  ଭାଷଣ ଦେଇ ଏହା କହିଥିଲେ। ଆରଏସଏସ ମୁଖ୍ୟ କହିଛନ୍ତି ଯେ କିଛି ଦେଶ ଭାରତର ପ୍ରଗତିକୁ ଭୟ କରନ୍ତି । ସେଥିପାଇଁ ସେମାନେ ଏହା ଉପରେ ଆର୍ଥିକ ଚାପ ପକାଇବା ଭଳି ପଦକ୍ଷେପ ନିଅନ୍ତି। ଏପରି ପଦକ୍ଷେପ କେବଳ ସ୍ୱାର୍ଥପର ଚିନ୍ତାଧାରାର ପରିଣାମ। ଭାଗବତ କହିଛନ୍ତି ଯେ ଯଦି ଆମ ଭିତରେ କୌଣସି ଶତ୍ରୁ ନାହିଁ, ତେବେ ବାହାରେ କେହି ଆମର ଶତ୍ରୁ ନୁହଁନ୍ତି ।