କନକ ବ୍ୟୁରୋ: ଭାରତରୁ ଆମଦାନୀ ହେଉଥିବା ବିଭିନ୍ନ ସାମଗ୍ରୀ ଉପରେ ଆମେରିକା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛି, ଯାହାଫଳରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ତିକ୍ତତା ବୃଦ୍ଧି ପାଇଛି । ଏହି ନୂଆ ଶୁଳ୍କ ଅଗଷ୍ଟ ୨୭ ତାରିଖରୁ ଲାଗୁ ହେବ । 

Advertisment

ଆମେରିକାର ଗୃହ ସୁରକ୍ଷା ବିଭାଗ (Department of Homeland Security) ପକ୍ଷରୁ କଷ୍ଟମ୍ସ ଏବଂ ସୀମା ସୁରକ୍ଷା (CBP) ଦ୍ୱାରା ଜାରି କରାଯାଇଥିବା ଏକ ସାର୍ବଜନୀନ ବିଜ୍ଞପ୍ତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଦେଶକୁ ଲାଗୁ କରାଯାଇଥିବା ସ୍ପଷ୍ଟ କରାଯାଇଛି । ଏହି ଆଦେଶ ଅଗଷ୍ଟ ୬ ତାରିଖରେ ସ୍ୱାକ୍ଷରିତ ହୋଇଥିଲା । ଏହି ଆଦେଶରେ ରୁଷ୍ ଫେଡେରେସନରୁ ସୃଷ୍ଟି ହେଉଥିବା ବିପଦର ମୁକାବିଲା ପାଇଁ ଆମେରିକୀୟ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଋଷ ସହିତ ଭାରତର ନିରନ୍ତର ବାଣିଜ୍ୟ, ବିଶେଷକରି ଋଷିଆ ତୈଳ କ୍ରୟକୁ ନେଇ ଏହି ଶୁଳ୍କ ଲଗାଯାଇଥିବା କୁହାଯାଇଛି ।

ଏହି ବର୍ଦ୍ଧିତ ଶୁଳ୍କ ପରେ ଭାରତୀୟ ସାମଗ୍ରୀ ଉପରେ ମୋଟ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇବ । ବିଜ୍ଞପ୍ତି ଅନୁଯାୟୀ, ଏହି ଶୁଳ୍କ ଏକ ବ୍ୟାପକ ଶ୍ରେଣୀର ଭାରତୀୟ ଉତ୍ପାଦ ଉପରେ ଲାଗୁ ହେବ ଏବଂ ନିର୍ଦ୍ଧାରିତ ସମୟସୀମା ପରେ ଆମେରିକାରେ ପହଞ୍ଚୁଥିବା ସମସ୍ତ ସାମଗ୍ରୀ ଉପରେ ଏହା ଲାଗୁ ହେବ । 

ରାଷ୍ଟ୍ରପତି ଟ୍ରମ୍ପ୍ ସଙ୍କେତ ଦେଇଛନ୍ତି ଯେ ଯଦି କୂଟନୈତିକ ସ୍ତରରେ କୌଣସି ସମାଧାନ ନ ହୁଏ, ତେବେ ଋଷ ସହିତ ବାଣିଜ୍ୟ କରୁଥିବା ଅନ୍ୟ ଦେଶମାନଙ୍କ ବିରୁଦ୍ଧରେ ମଧ୍ୟ ଅଧିକ ଅର୍ଥନୈତିକ ପଦକ୍ଷେପ ନିଆଯାଇପାରେ କିମ୍ବା ମସ୍କୋ ଉପରେ ଅତିରିକ୍ତ ପ୍ରତିବନ୍ଧକ ଲଗାଯାଇପାରେ । ସେ ଆଗାମୀ ସପ୍ତାହରେ ଏହାର ଗୁରୁତର ପରିଣାମ ହେବ ବୋଲି ଚେତାବନୀ ଦେଇଛନ୍ତି । ଏପର୍ଯ୍ୟନ୍ତ, ରୁଷ୍‌ଠାରୁ ତେଲ କିଣୁଥିବା ଅନ୍ୟତମ ପ୍ରମୁଖ ଦେଶ ଯେପରିକି ଚୀନ ଉପରେ ଆମେରିକା ଏପରି କୌଣସି ପଦକ୍ଷେପ ନେଇନାହିଁ । ଏହି ପଦକ୍ଷେପ ପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ଟ୍ରମ୍ପ ପ୍ରଶାସନ ଋଷ ସହିତ ଶକ୍ତି କାରବାରକୁ ନେଇ ଭାରତ ଉପରେ  ଦଣ୍ଡ ସ୍ୱରୂପ ୨୫ ପ୍ରତିଶତ ଶୁଳ୍କ ବୃଦ୍ଧି କରିଥିଲା । 

ଭାରତୀୟ ଅଧିକାରୀମାନେ ଏହି ଶୁଳ୍କକୁ "ଅନ୍ୟାୟ, ଅଯୌକ୍ତିକ ଏବଂ ଅହେତୁକ" ବୋଲି କହି ଏହାର ଦୃଢ଼ ନିନ୍ଦା କରିଛନ୍ତି । କୂଟନୈତିକ ଆଲୋଚନା ମାଧ୍ୟମରେ ଏହି ଶୁଳ୍କ ହଟାଇ ଦିଆଯାଇପାରିବ ବୋଲି ଆଶା ପ୍ରକାଶ କରିବା ସହ ସେମାନେ ଭାରତର ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ପ୍ରତିବଦ୍ଧତା ଦୋହରାଇଛନ୍ତି । ସେପଟେ ମୋଟ ଶୁଳ୍କକୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଭାରତ ସରକାର "ଅତ୍ୟନ୍ତ ଦୁର୍ଭାଗ୍ୟଜନକ" ବୋଲି କହିଛନ୍ତି । 

ୱାଶିଂଟନର ଏହି ଅର୍ଥନୈତିକ ଚାପର ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ କହିଛନ୍ତି ଯେ ତାଙ୍କ ସରକାର ଏହି ଆହ୍ୱାନର ମୁକାବିଲା କରିବେ । ଅହମ୍ମଦାବାଦରେ ଏକ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି, "ଯେତେ ଚାପ ଆସିଲେ ମଧ୍ୟ, ଆମେ ଏହାକୁ ସହ୍ୟ କରିବା ପାଇଁ ଆମର ଶକ୍ତି ବୃଦ୍ଧି କରିଚାଲିବୁ । ଆଜି, ଆତ୍ମନିର୍ଭର ଭାରତ ଅଭିଯାନକୁ ଗୁଜରାଟରୁ ବହୁତ ଶକ୍ତି ମିଳୁଛି ଏବଂ ଏହା ପଛରେ ଦୁଇ ଦଶନ୍ଧିର କଠିନ ପରିଶ୍ରମ ରହିଛି ।"