କନକ ବ୍ୟୁରୋ : ହ୍ୱାଟ୍ସଆପ୍କୁ ନେଇ ବଡ଼ ପଦକ୍ଷେପ ନେଇଛି ଆମେରିକା । ଆମେରିକାର ନେତାମାନଙ୍କୁ ଏହି ମେସେଜିଂ ଆପ୍ ନିଜ ଫୋନ୍ରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ,ଆମେରିକାର ହାଉସ୍ ପ୍ରତିନିଧିଙ୍କୁ ସେମାନଙ୍କ ମୋବାଇଲରୁ ହ୍ୱାଟସଆପ୍ ହଟାଇବାକୁ ପରାମର୍ଶ ଦିଆଯାଇଛି । ଏହି ନିର୍ଦ୍ଦେଶ କେବଳ ସରକାରଙ୍କ ଦ୍ୱାରା ଜାରି କରାଯାଇଛି ।
ଗତ ସୋମବାର ଏକ ଅଫିସିଆଲ୍ ଅର୍ଡର ଜାରି କରାଯାଇଛି । ଯାହାକି ଇମେଲ୍ ମାଧ୍ୟମରେ ପ୍ରତ୍ୟେକ ପ୍ରତିନିଧିଙ୍କ ପାଖକୁ ପଠାଯାଇଛି । ଗୃହର ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କ ଅଧୀନରେ କାମ କରୁଥିବା ସାଇବର ସୁରକ୍ଷା କାର୍ଯ୍ୟାଳୟ କହିଛି ଯେ ହ୍ୱାଟସଆପ୍ ବିପଦରେ ଅଛି ଏବଂ ଡାଟା ଲିକ୍ ହେବାର ଆଶଙ୍କା ରହିଛି ।
ସାଇବର ଠକାମୀ ବିପଦକୁ ନେଇ ଆମେରିକା ବହୁତ ଚିନ୍ତାରେ ଅଛି । ତା’ର ଆଶଙ୍କା ଯେ ଆମେରିକାର ଗୃହ ପ୍ରତିନିଧି କିମ୍ବା ବରିଷ୍ଠ ଅଧିକାରୀଙ୍କ ଫୋନ୍ ହ୍ୟାକ୍ କରି ସରକାରୀ ତଥ୍ୟ ଉଲ୍ଲଂଘନ କରାଯାଇପାରିବ । ଏପରି ବିପଦରୁ ଏହାର ତଥ୍ୟ ଏବଂ ସରକାରୀ ଡକ୍ୟୁମେଣ୍ଟଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।