କନକ ବ୍ୟୁରୋ: ଆମେରିକାରେ ସଟ୍ଡାଉନ୍ । ସମସ୍ତ ସରକାରୀ କାର୍ଯ୍ୟ ଠପ୍ । ୨୦୧୯ ପରେ ଏହା ପ୍ରଥମ ସରକାରୀ ସଟ୍ଡାଉନ୍ । ଫଣ୍ଡିଂ ବିଲ୍ ପାସ୍ ନହୋଇ ପାରିବାରୁ ସଟ୍ଡାଉନ୍ ହେଲା ସରକାରୀ ବ୍ୟବସ୍ଥା । ମଙ୍ଗଳବାର ରାତିରେ ଫଣ୍ଡିଂ ବିଲ୍ ଉପରେ ହୋଇଥିଲା ଭୋଟିଂ । ସିନେଟ୍ରେ ବିଲ୍ ପାସ୍ କରିବାରେ ବିଫଳ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।
୨୦ଲକ୍ଷ କର୍ମଚାରୀ ହନ୍ତସନ୍ତ
ପ୍ରାୟ ୭ ବର୍ଷ ପରେ ପ୍ରଥମ ଥର ଆମେରିକା ସରକାରରେ ଅଚଳାବସ୍ଥା ଦେଖିବାକୁ ମିଳିଛି । ସଟ୍ଡାଉନ୍ ହେବା ଦ୍ବାରା ଆମେରିକା ସରକାରଙ୍କ ପାଖରେ ଖର୍ଚ୍ଚ କରିବାକୁ ଅର୍ଥ ନାହିଁ । ସଟ୍ଡାଉନ୍ ଲାଗୁ ପରେ ସରକାରୀ କାମ ଠପ୍ ହେବାସହ ୨୦ଲକ୍ଷ କର୍ମଚାରୀଙ୍କ ଦରମା ବନ୍ଦ କରିଛନ୍ତି ଟ୍ରମ୍ପ ପ୍ରଶାସନ । ଏଭଳି ସମସ୍ୟାର ମୂଳ କାରଣ ହେଉଛି
-ସିନେଟ୍ରେ ସରକାରୀ ଖର୍ଚ୍ଚ ଅନୁମୋଦନ ବିଲ୍ ପାରିତ ହୋଇପାରିନି
-ବିଲ୍ ପାରିତ କରିବାରେ ଟ୍ରମ୍ପ ସରକାର ବିଫଳ
-ସରକାରୀ ଖର୍ଚ୍ଚ ପାଇଁ ଆବଶ୍ୟକୀୟ ପାଣ୍ଠିକୁ ମଞ୍ଜୁରୀ ମିଳିନି
-୭ ବର୍ଷ ପରେ ଆମେରିକା ସରକାରୀ କାର୍ଯ୍ୟାଳୟ ଠପ୍
-ରାଷ୍ଟ୍ରପତି ଟ୍ରମ୍ପ କେନ୍ଦ୍ରୀୟ କର୍ମଚାରୀଙ୍କୁ ଛଟେଇ ଧମକ ଦେଇଛନ୍ତି
- ବିନା ଦରମାରେ କର୍ମଚାରୀଙ୍କୁ କାମ କରିବାକୁ ପଡ଼ିପାରେ
-ଆମେରିକାରେ ନୂଆ ଆର୍ଥିକ ବର୍ଷ ଅକ୍ଟୋବର ୧ରୁ ଆରମ୍ଭ ହୋଇଥାଏ
-ଏହାର ଦିନକ ପୂର୍ବରୁ ପ୍ରାଶାସନିକ ଖର୍ଚ୍ଚ ବିଲ୍ ପାସ୍ ହୋଇଥାଏ
-କିନ୍ତୁ ଏଥର ଟ୍ରମ୍ପ ପ୍ରଶାସନ ଖର୍ଚ୍ଚ ବିଲ୍ ପାର କରିପାରି ନାହାନ୍ତି
ଟ୍ରମ୍ପ ପ୍ରଶାସନର ପ୍ରଥମ ସଟ୍ଡାଉନ ନୁହେଁ । ୨୦୧୮ରେ ୩୫ ଦିନ ଧରି ସଟ୍ଡାଉନ୍ ସ୍ଥିତି ଦେଖିବାକୁ ମିଳିଥିଲା । ଏହା ଆମେରିକା ଇତିହାସରେ ସବୁଠାରୁ ଲମ୍ବା ସଟ୍ଡାଉନ୍ ରହିଥିଲା । ୧୯୮୧ ପରଠୁ ଆମେରିକାରେ ପ୍ରାୟ ୨୨ ଥର ଏପରି ସ୍ଥିତି ଦେଖିବାକୁ ମିଳିଛି । ଅଧିକାଂଶ ସଟ୍ଡାଉନ୍ କେବଳ ଗୋଟିଏ ଦିନ ପରେ ହଟି ଯାଇଥାଏ । ଏଥରକ ସଟ୍ଡାଉନ୍ କେତେ ଦିନ ଜାରି ରହୁଛି, ତା’ଉପରେ ସମସ୍ତଙ୍କ ନଜର ରହିଛି ।