କନକ ବ୍ୟୁରୋ : ଦୀର୍ଘଦିନ ହେଲା ଗାଜା ଉପରେ ଆକ୍ରମଣ କରୁଛି ଇସ୍ରାଏଲ । ହମାସର ମୂଳପୋଛ ପାଇଁ ଘନଘନ ଆକ୍ରମଣ ସାଙ୍ଗକୁ ଗାଜାଷ୍ଟ୍ରିପକୁ ସମ୍ପୂର୍ଣ୍ଣ ଦଖଲ କରିବା ପାଇଁ ଆଗକୁ ବଢୁଛି ଆଇଡିଏଫ୍ । ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ସଂଘର୍ଷରେ ହଜାର ହଜାର ନିରୀହ ଲୋକଙ୍କ ଜୀବନ ଯାଉଛି । ଏବେ ଏହି ଯୁଦ୍ଧ ରୋକିବାକୁ ଆଗେଇ ଆସିଛି ଆମେରିକା । ସୋମବାର ୱାସିଂଟନରେ ବସିଥିଲା ଡୋନାଲ୍ଡ ଟ୍ରମ୍ପ ଓ ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ବୈଠକ । ଯେଉଁଥିରେ ବାହାରିଛି  ୨୧ ସୂତ୍ରୀ ଯୋଜନା ।

Advertisment

ଆମେରିକା ମଧ୍ୟସ୍ଥତା କରି ହମାସ ଓ  ଇସ୍ରାଏଲ ନିକଟରେ କିଛି ସର୍ତ୍ତ ରଖିଛି । ଯଦି ଉଭୟ ପକ୍ଷ ପ୍ରସ୍ତାବ ଗ୍ରହଣ କରନ୍ତି, ତେବେ ଗାଜାରେ ଯୁଦ୍ଧ ବିରତି ହେବ । କିନ୍ତୁ ହମାସ ଯଦି ନମାନେ, ତେବେ ଇସ୍ରାଏଲ ସହ ମିଶି ହମାସକୁ ମୂଳପୋଛ କରିବାକୁ କହିଛି ଆମେରିକା । ମିଳିଥିବା ସୂଚନା ଅନୁସାରେ ଆମେରିକାର ପ୍ରସ୍ତାବ ଉପରେ ଇସ୍ରାଏଲ ସହମତି ପ୍ରକାଶ କରିବା ସହ ହମାସକୁ ଦିଆଯାଇଛି ୭୨ ଘଣ୍ଟାର ସମୟ । 

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବରେ କ’ଣ ରହିଛି? 

  • ତୁରନ୍ତ ଯୁଦ୍ଧବିରତି
  •  ୭୨ ଘଣ୍ଟାରେ ବନ୍ଧକଙ୍କୁ ମୁକ୍ତ କରିବା
  •  ଗାଜାରେ ବନ୍ଦୀ ଥିବା ଇସ୍ରାଏଲ ନାଗରିକଙ୍କୁ ମୁକ୍ତ କରିବା
  •  ଅସ୍ତ୍ରଶସ୍ତ୍ର ସହ ହମାସର ଆତ୍ମସମର୍ପଣ
  • ଗାଜାରେ ଅନ୍ତର୍ଜାତୀୟ ସୁରକ୍ଷା ବାହିନୀ ମୁତୟନ
  •  ପରବର୍ତ୍ତୀ କ୍ଷମତା ପାଲେଷ୍ଟାଇନ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର

ଆମେରିକା ଏକଥା ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ପ୍ରସ୍ତାବ ଗ୍ରହଣ ହେବା ପରେ, ଗାଜା ଷ୍ଟ୍ରିପକୁ ସମ୍ପୂର୍ଣ୍ଣ ସହାୟତା ତୁରନ୍ତ ପଠାଯିବ ।  ସେପଟେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି । ମୋଦୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଗାଜା ବିବାଦର ଅନ୍ତ ପାଇଁ ଟ୍ରମ୍ପଙ୍କ ବ୍ୟାପକ ଯୋଜନାକୁ ସ୍ୱାଗତ କରୁଛୁ । ଏହା ପାଲେଷ୍ଟାଇନ ଏବଂ ଇସ୍ରାଏଲ ଲୋକଙ୍କ ପାଇଁ ଶୁଭଙ୍କର । ଦୀର୍ଘକାଳୀନ ଏବଂ ସ୍ଥାୟୀ ଶାନ୍ତି, ସୁରକ୍ଷା ଏବଂ ବିକାଶ ପାଇଁ ଏକ ସକାରାତ୍ମକ ପଦକ୍ଷେପ ।