କନକ ବ୍ୟୁରୋ:  ବିଶ୍ବର ସବୁଠୁ ବଡ଼ ମାଲବାହୀ ବିମାନରେ ଆମେରିକାରୁ ଚେନ୍ନାଇ ଆସିଲା ବିଶାଳ ସାଟେଲାଇଟ୍‌। ୟୁକ୍ରେନ୍‌ର ଅଣ୍ଟୋନୋଭ୍-୧୨୪ କାର୍ଗୋ ବିମାନରେ ଆମେରିକୀୟ କମ୍ପାନି ଏଏଏସ୍‌ଟ୍ ସ୍ପେସ୍‌ମୋବାଇଲ୍‌ର ୬,୫୦୦ କିଲୋଗ୍ରାମ ବ୍ଲ୍ୟୁବର୍ଡ୍ ୬ ସାଟେଲାଇଟ୍‌କୁ ଚେନ୍ନାଇରେ ପହଞ୍ଚାଇଛି । ଏହି ସାଟେଲାଇଟ୍‌କୁ ଇସ୍ରୋ ଲଞ୍ଚ୍ କରିବ । ଏହା ସ୍ପେସ୍‌ରୁ ସରଳ ମୋବାଇଲ ଫୋନ୍‌କୁ ଇଣ୍ଟରନେଟ୍‌ ପ୍ରଦାନ କରିବାର ଅଭିନବ ପ୍ରକଳ୍ପର ଏକ ଅଂଶ । ଏହି ସାଟେଲାଇଟ୍‌କୁ ଚେନ୍ନାଇରୁ ଟ୍ରକ୍‌ ଦ୍ୱାରା ସତୀଶ୍ ଧୱନ୍ ସ୍ପେସ୍‌ ସେଣ୍ଟର୍‌ ଶ୍ରୀହରିକୋଟାକୁ ନିଆଯାଉଛି, ଯାହା ଚେନ୍ନାଇରୁ ୮୫ କିଲୋମିଟର ଦୂରରେ ଅବସ୍ଥିତ ।

Advertisment

ଡିସେମ୍ବର କିମ୍ବା ଜାନୁଆରିରେ ମହାକାଶକୁ ପଠାଇପାରେ ଇସ୍ରୋ । ୬,୫୦୦ କେଜି ଓଜନର ଏହି ଉପଗ୍ରହ ଭାରତୀୟ ରକେଟ୍ ଦ୍ୱାରା ବହନ କରାଯିବା ପାଇଁ ସବୁଠାରୁ ଓଜନଦାର ଉପଗ୍ରହ ହେବ । ଏହି ମିସନ ଇସ୍ରୋର ବ୍ୟାବସାୟିକ ଶାଖା ଏନଏସଆଇଏଲ୍‌ ଏବଂ ଟେକ୍ସାସ-ଭିତ୍ତିକ ଏଏସଟି ସ୍ପେସ୍‌ ମୋବାଇଲ ମଧ୍ୟରେ ବାଣିଜ୍ୟିକ ଚୁକ୍ତିର ଅଂଶ ଭାବରେ କାର୍ଯ୍ୟକାରୀ ହେଉଛି । ମିସନ୍‌ରେ ସାଟେଲାଇଟ୍‌କୁ ପୃଥିବୀରୁ ୫୫୦ କିଲୋମିଟର ଉପରେ ଲୋ-ଆର୍ଥ୍ ଅର୍ବିଟ୍‌ (ଏଲ୍‌ଇଓ)ରେ ସ୍ଥାପନ କରାଯିବ । ଏଏସ୍‌ଟି ସ୍ପେସ୍‌ମୋବାଇଲ୍‌ର ଏହି ପ୍ରକଳ୍ପ ସ୍ପେସ୍‌-ଆଧାରିତ ସେଲ୍ୟୁଲାର୍‌ ବ୍ରଡବ୍ୟାଣ୍ଡ୍‌ ନେଟୱର୍କ୍‌ ସ୍ଥାପନ କରିବ, ଯାହା ସାଧାରଣ ମୋବାଇଲ୍‌ ଫୋନ୍‌କୁ ସିଧାସଳଖ ସଂଯୋଗ କରିବ । ରିପୋର୍ଟ ଅନୁଯାୟୀ, ଏଏସଟି ପାଖରେ ବର୍ତ୍ତମାନ କକ୍ଷପଥରେ ପାଞ୍ଚଟି ପ୍ରଥମ ପିଢ଼ିର (ବ୍ଲକ୍-୧) ଉପଗ୍ରହ ଅଛି । ପ୍ରମୁଖ ବିଶ୍ୱ କ୍ଷେତ୍ରରେ ସେବା ପ୍ରଦାନ କରିବା ପାଇଁ ଏହି ଫାର୍ମ ୪୫-୬୦ଟି ଦ୍ୱିତୀୟ ପିଢ଼ିର (ବ୍ଲକ୍-୨) ଉପଗ୍ରହର ଏକ ବହନ ଉତକ୍ଷେପଣ କରିବାକୁ ଯୋଜନା କରୁଛି, ବୋଲି କୁହାଯାଇଛି ।