କନକ ବ୍ୟୁରୋ : ପହଲଗାମରେ ଆତଙ୍କୀ ଆକ୍ରମଣ ଓ ଏହାର ଜବାବରେ ଭାରତର ଅପରେସନ ସିନ୍ଦୂର ପରେ ଆମେରିକାର ଡିଫେନ୍ସ ଗୁଇନ୍ଦା ଏଜେନ୍ସି ଡିଆଇଏର ଏକ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ ଭାରତ ଚୀନକୁ ନିଜର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲି ଦର୍ଶାଯାଇଛି ।
ଏହି ରିପୋର୍ଟରେ କୁହାଯାଇଛି କି, ଭାରତ ସୁରକ୍ଷା ଦୃଷ୍ଟିରୁ ଚୀନ୍ ପରେ ପାକିସ୍ତାନକୁ ନେଇ ଚିନ୍ତା କରୁଛି । ଏହାସହ ରିପୋର୍ଟ କୁହୁଛି କି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନା ବଳକୁ ନେଇ ନିଜେ ଜଣେ ବିଶ୍ୱସ୍ତରୀୟ ନେତା ବୋଲି ନିଜକୁ ଦେଖୁଛନ୍ତି ।
ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟ ମୁତାବକ ସବୁଠାରୁ ସାଂଘାତିକ ତଥ୍ୟ ହେଉଛି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବା ପରେ ଚୀନ୍ ଏବେ ତାର ସେନା ପିପୁଲ୍ସ ଲିବରେସନ ଆର୍ମିକୁ ଭାରତର ପଡୋଶୀ ଦେଶ ମ୍ୟାଁମାର, ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ଦେଶରେ ସ୍ଥାପନ କରିବାକୁ ଯୋଜନା କରୁଛି । ଯଦି ଚୀନ୍ ଏଭଳି କରିବାରେ ସଫଳ ହୁଏ ତେବେ ଏହା ଭାରତର ସେନା ପାଇଁ ବଡ଼ ବିପଦ । କାରଣ ଏସବୁ ଦେଶ ସ୍ଥଳ ପଥରେ ନହେଲେ ବି ଜଳପଥରେ ଭାରତର ଅତି ନିକଟତର ।
ରିପୋର୍ଟ କହୁଛି କି, ଏହାକୁ ଷ୍ଟିଙ୍ଗ ଅଫ୍ ପଲ୍ସ ରଣନୀତି କୁହାଯାଉଛି । ଏହି କ୍ରମରେ ଚୀନ୍ ହିନ୍ଦ୍ ମହାସାଗରରେ ନିଜର ପ୍ରଭାବ ବିସ୍ତାର କରିବାକୁ ଚାହୁଛି । ଏହା ଭାରତର ସୁରକ୍ଷା ସ୍ଥିତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ ।
ରିପୋର୍ଟ ମୁତାବକ ୨୦୨୪ ଅକ୍ଟୋବର ମାସରେ ଭାରତ ଓ ଚୀନ୍ ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଓସିର ଦୁଇ ବିବାଦୀୟ ଅଞ୍ଚଳରୁ ସେନାକୁ ପଛକୁ ଫେରାଇ ନେଇଥିଲେ । ହେଲେ ସୀମା ବିବାଦ କମିବାର ନାଁ ନେଉନି । ଅନ୍ୟପଟେ ଚୀନ ଏବେ ଲଦାଖ ସହ ଅରୁଣାଚଳ ପ୍ରଦେଶରେ ନିଜର ସୈନ୍ୟବଳ ବୃଦ୍ଧି କରିବାରେ ଲାଗିଛି । ଏହାସହ ପାକିସ୍ତାନ ବି ଭାରତ ସହ ପରମାଣୁ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଥିବା କଥା ରିପୋର୍ଟରେ କୁହାଯାଇଛି । ପାକିସ୍ତାନ ଧିରେ ଧିରେ ନିଜର ପରମାଣୁ ବୋମା ସଂଖ୍ୟା ବୃଦ୍ଧି କରୁଥିବା ରିପୋର୍ଟରେ ପ୍ରକାଶ ପାଇଛି ।