କନକ ବ୍ୟୁରୋ : ଗତ ମାସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଭଳି ବିଶ୍ୱର ଅନେକ ଦେଶ ଉପରେ ଟାରିଫ୍ ଲଗାଇଲେ ତାହା ସାରା ବିଶ୍ୱକୁ ଚମକାଇଦେଲା । ଚୀନକୁ ବର୍ବାଦ କରିବାକୁ କହି ଟ୍ରମ୍ପ ଚୀନ ଉପରେ ୧୪୫ ପ୍ରତିଶତ ଟାରିଫ୍ ଲଗାଇଥିଲେ । ଏହାକୁ ଦେଖି ସାରା ବିଶ୍ୱ ଚିନ୍ତା କଲା କି ଆମେରିକା ଚୀନର ସମସ୍ତ ବ୍ୟବସାୟକୁ ବର୍ବାଦ କରିଦେବ । ଏନେଇ ଟ୍ରମ୍ପ ମଧ୍ୟ ତାଙ୍କ ଭାଷଣରେ ଚୀନକୁ ବର୍ବାଦ କରିଦେବା କଥା କହିଥିଲେ । ହେଲେ ଅଚାନକ୍ ଟ୍ରମ୍ପଙ୍କ ମନ ବଦଳିଯାଇଛି । ଏବେ ଟାରିଫ୍ ଲଗାଇ ଚୀନକୁ ବର୍ବାଦ କରିବା ପରିବର୍ତ୍ତେ ଚୀନ ସହ ବ୍ୟବସାୟକୁ ବ୍ୟାପକ କରିବାକୁ ଜୋର ଦେଇଛନ୍ତି । ଏହାସହ ଏବେ ୧୪୫ ପ୍ରତିଶତ ଟାରିଫରୁ ୧୧୫ ପ୍ରତିଶତ ଟାରିଫ୍ ପ୍ରତ୍ୟାହାର କରିନେଇଛି ଆମେରିକା । ଅର୍ଥାତ ଏବେ ଚୀନ ଉପରେ ମାତ୍ର ୩୦ ପ୍ରତିଶତ ଟାରିଫ୍ ଲଗାଇବ ଆମେରିକା । ଏଥିରୁ ସ୍ପଷ୍ଟ ହେଲା କି ଟ୍ରମ୍ପଙ୍କୁ କେବଳ ବ୍ୟବସାୟରେ ମତଲବ, ବାକି ସବୁ ରାଜନୀତି ।
ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଗତମାସରେ ଚୀନ ଉପରେ ଆମେରିକା ୧୪୫ ପ୍ରତିଶତ ଟାରିଫ୍ ଲଗାଇଥିଲା । ଏବେ ଏହାକୁ ହ୍ରାସ କରି ଆମେରିକା ୩୦ ପ୍ରତିଶତ କରିଛି । ଏହାସହ ଆମେରିକା ଉପରେ ଚୀନ ଲଗାଇଥିବା ୧୨୫ ପ୍ରତିଶତ ଟାରିଫ୍ ହ୍ରାସ କରି ମାତ୍ର ୧୦ ପ୍ରତିଶତ ଲଗାଇବ ବୋଲି ଘୋଷଣା କରିଛି ।
ଆମେରିକା ଓ ଚୀନ ଉଭୟ ଉଭୟ ଦେଶ ଉପରେ ଅତିରିକ୍ତ ଟାରିଫ ଲଗାଇବାରୁ ଉଭୟ ଦେଶ ମଧ୍ୟରେ ୬୦୦ ଆରବ ଡଲାର ବ୍ୟବସାୟ ବନ୍ଦ ହୋଇଯାଇଥିଲା । ଏହାଫଳରେ ସପ୍ଲାଏ ଚେନ୍ ପ୍ରଭାବିତ ହେବା ସହ ଅନେକ କମ୍ପାନୀ କର୍ମଚାରୀ ଛଟେଇ ଆରମ୍ଭ କରିଦେଇଥିଲେ । ଏହାକୁ ନେଇ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ଚାପ ପଡିଥିଲା ।
ଏହାକୁ ନେଇ ୱାସିଂଟନର ସେଣ୍ଟର ଫର ଷ୍ଟାଟେଜିକ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜର ବିଶେଷଜ୍ଞ ସ୍କର୍ଟ କେନେଡି କହିଛନ୍ତି କି, ଟାରିଫକୁ ନେଇ ଆମେରିକା ପଛକୁ ଫେରିଛି ଓ ଚୀନ ଆଗରେ ପରାଜୟ ସ୍ୱୀକାର କରିଛି । ସେପଟେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ଜେନେଭାରେ ଚୀନ ଓ ଆମେରିକା ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ଆମେରିକା ଟ୍ରେଜେରୀ ସଚିବ ସ୍କର୍ଟ ବେସେଣ୍ଟ ଓ ଚୀନ ଅଧିକାରୀ ଟାରିଫ୍ ନେଇ ଏକ ସମାଧାନ ଚୁକ୍ତିର ଅନ୍ତିମ ରୂପ ଦେଇଛନ୍ତି । ବେସେଣ୍ଟ କହିଛନ୍ତି କି, ଦୁଇପକ୍ଷ ଆର୍ଥିକ କପଲିଙ୍ଗ ଚାହୁଁନଥିବାରୁ ଏଭଳି କରାଯାଇଛି । ଆମେ ଉଭୟ ଦେଶ ସନ୍ତୁଳିତ ବ୍ୟବସାୟ ଚାହୁଁଛୁ ତେଣୁ ଏହାକୁ ନେଇ ଉଭୟ ଦେଶ ପ୍ରତିବଦ୍ଧିତ । ଏହି ନୂଆ ଚୁକ୍ତି ମୁତାବକ ଉଭୟ ଦେଶ ଏକ ନୂଆ ଆର୍ଥିକ ସମ୍ବାଦ ମଞ୍ଚ ଆରମ୍ଭ କରିବାକୁ ଯାଉଛୁ । ଏହି ଆର୍ଥିକ ଚୁକ୍ତି କେତେ ଦିନ ପର୍ଯ୍ୟନ୍ତ ଚାଲିବ କେବଳ ତାହା ଦେଖିବାକୁ ବାକି ରହିଲା ।