କନକ ବ୍ୟୁରୋ : ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ସମ୍ପ୍ରତି ଆମେରିକା ଓ ପଶ୍ଚିମ ସାମରିକ ମେଣ୍ଟ ନାଟୋର କାର୍ଯ୍ୟକାରିତାକୁ ନେଉ କଡ଼ା ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ନାଟୋରେ ନିଷ୍ପତ୍ତି ନେବା ପ୍ରକ୍ରିୟା ସ୍ୱାଧୀନ ନୁହେଁ। ଏହାର ଅଧିକାଂଶ ନିଷ୍ପତ୍ତି ଆମେରିକାର ପ୍ରଭାବରେ ନିଆଯାଇଥାଏ। ନାଟୋରେ ଆମେରିକାର ଦାଦାଗିରି ଚାଲିଛି।  ଅପରପକ୍ଷରେ ଲାଭରୋଭ ବ୍ରିକ୍ସ ଓ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଭଳି ଗୋଷ୍ଠୀଗୁଡ଼ିକୁ ଅଧିକ ଗଣତାନ୍ତ୍ରିକ ଓ ସହମତି-ଭିତ୍ତିକ ଭାବରେ ବର୍ଣ୍ଣନା କରିଛନ୍ତି। 

Advertisment

ଏକ ରୁଷୀୟ ୟୁଟ୍ୟୁବ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଲାଭରୋଭ କହିଛନ୍ତି, ଅନ୍ତର୍ଜାତୀୟ ଚୁକ୍ତିନାମାଗୁଡ଼ିକୁ ପ୍ରାୟତଃ ବିଶ୍ୱବ୍ୟାପୀ ସଂଖ୍ୟାଗରିଷ୍ଠତା ବୋଲି କହୁଥିବା ଦେଶଗୁଡ଼ିକ ପାଳନ କରନ୍ତି। ତାଙ୍କ ଅନୁସାରେ,ବ୍ରିକ୍ସ, ଏସ୍‌ସିଓ ଏବଂ ସିଏସ୍‌ଟିଓ ଭଳି  ସଂଗଠନଗୁଡ଼ିକରେ ଅଧିକାଂଶ ନିଷ୍ପତ୍ତି ସହମତି ଦ୍ୱାରା ନିଆଯାଇଥାଏ। ସେ କହିଛନ୍ତି, ଏହି ଫୋରମ୍‌ଗୁଡ଼ିକରେ କୌଣସି ଏକକ ଦେଶର ପ୍ରାଧାନ୍ୟରେ ନାହିଁ, ବରଂ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆଲୋଚନା ଓ ସହମତିକୁ ପ୍ରାଥମିକତା ଦିଆଯାଇଥାଏ ।

ନାଟୋକୁ କଡ଼ା ସମାଲୋଚନା

ଲାଭରୋଭ ନାଟୋକୁ ସମାଲୋଚନା କରି କହିଛନ୍ତି, ନାଟୋରେ ନିଷ୍ପତ୍ତି ନେବା ସହଜ କାରଣ ଆମେରିକାର ଶେଷ ମତ ଅଛି। ସେ ବ୍ୟଙ୍ଗାତ୍ମକ ଭାବରେ ମନ୍ତବ୍ୟ ଦେଇଛନ୍ତି, ନାଟୋରେ, ଆମେରିକା କୁହେ, ଚୁପ୍ ରୁହ। ଏଥିରୁ ସ୍ପଷ୍ଟ ଜଣାପଡୁଛି  ବ୍ୟବସ୍ଥା କିପରି କାମ କରିଥାଏ।  ଅନ୍ୟ ନାଟୋ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମୁକ୍ତ ଭାବରେ ସେମାନଙ୍କର ମତାମତ ପ୍ରକାଶ କରିବାରେ ସୀମିତ ।

ସେ ୟୁରୋପୀୟ ସଂଘ (ଇୟୁ)କୁ ଟାର୍ଗେଟ କରି ସେ କହିଛନ୍ତି,  ବ୍ରସେଲ୍ସର  ନିବାଚିତ ହୋଇନଥିବା ଅମଲାତନ୍ତ୍ରୀ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିର୍ବାଚିତ ସରକାରଙ୍କୁ କ''''ଣ କରିବାକୁ ହେବ, କାହା ସହିତ ବ୍ୟବସାୟ କରିବେ ଓ କାହା ସହିତ ବ୍ୟବସାୟ କରିବେ ନାହିଁ ତାହା ନିର୍ଦ୍ଦେଶ ଦେଇଥାନ୍ତି।  ଏହି ପ୍ରସଙ୍ଗରେ ଲାଭରୋଭ୍ ହଙ୍ଗେରୀର ଉଦାହରଣ ଦେଇ କହିଛନ୍ତି,ସେଠାରେ ନେତାମାନେ ଖୋଲାଖୋଲି ଭାବରେ ବ୍ରସେଲ୍ସର ସାମ୍ପ୍ରତିକ ନୀତିଗୁଡ଼ିକୁ ସମାଲୋଚନା କରିଛନ୍ତି।

ଇୟୁକୁ ନେଇ  ଅସନ୍ତୁଷ୍ଟ  ହଙ୍ଗେରୀ ପ୍ରଧାନମନ୍ତ୍ରୀ

ଡିସେମ୍ବର ୨୦୨୫ରେ, ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକ୍ଟର ଅରବାନ୍ ୟୁରୋପୀୟ ସଂଘର୍ଷକୁ ଦୀର୍ଘ କରିବା ପାଇଁ ଆଇନଗତ ପ୍ରକ୍ରିୟାକୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ୟୁରୋପୀୟ ସଂଘରେ  ଆଇନର ଶାସନ ଏବେ  ବ୍ରୁସେଲ୍ସର ଏକଛତ୍ରବାଦରେ ପରିଣତ ହୋଇଛି । ଲାଭରୋଭ ରୁଷୀୟ ତୈଳ କମ୍ପାନିଗୁଡ଼ିକ ଉପରେ କଟକଣା ଲଗାଇ ଆମେରିକା  ଭୁଲ୍ କାର୍ଯ୍ୟ କରିଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଆମେରିକା ଭାରତ ସମେତ ଅନ୍ୟ ବ୍ରିକ୍ସ ଦେଶମାନଙ୍କ ସହିତ ରୁଷର ବାଣିଜ୍ୟ, ନିବେଶ ଓ ସାମରିକ-ବୈଷୟିକ ସହଯୋଗକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ।