କନକ ବ୍ୟୁରୋ : ଆମେରିକାରେ ପୁଣି ଏକ ନୂଆ ବିବାଦ ଦେଖାଦେଇପାରେ । ରିପବ୍ଲିକାନ ସିନେଟର ଲିଣ୍ଡେସ୍ ଗ୍ରାହମ କହିଛନ୍ତି କି, ଆମେରିକା ସିନେଟରେ ଏକ ପ୍ରସ୍ତାବିତ ବିଧେୟକ ଆସିଛି, ଯେଉଁ ବିଧେୟକକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମର୍ଥନ କରିଛନ୍ତି । ଏହି ବିଲରେ କୁହାଯାଇଛି କି, ଯେଉଁ ଦେଶମାନେ ଋଷ ସହ ବ୍ୟବସାୟୀକ ସଂପର୍କ ଜାରି ରଖିଛନ୍ତି ସେସବୁ ଦେଶ ଉପରେ ଆମେରିକା ୫ଶହ ପ୍ରତିଶତ ଟାରିଫ୍ ଲଗାଇପାରେ । ଏହି ଦେଶମାନଙ୍କ ତାଲିକାରେ ଭାରତ ଓ ଚୀନ ମଧ୍ୟ ରହିଛି ।
ଏବିସି ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଲିଣ୍ଡେସ ଗ୍ରାହମ କହିଛନ୍ତି, ଯେଉଁ ଦେଶମାନେ ଋଷ ସହ ବ୍ୟବସାୟୀକ ସଂପର୍କ ରଖିଛନ୍ତି ଓ ୟୁକ୍ରେନକୁ କୌଣସି ସହାୟତା ଯୋଗାଉନାହାଁନ୍ତି ସେସବୁ ଦେଶ ଉପରେ ଆମେରିକା ୫ଶହ ପ୍ରତିଶତ ଟାରିଫ୍ ଲଗାଇପାରେ । ଅନ୍ୟପଟେ ଭାରତ ଓ ଚୀନ ଋଷ ଠାରୁ ପାଖାପାଖି ୭୦ ପ୍ରତିଶତ ତୈଳ କିଣୁଛନ୍ତି ।
ଏହି ବିଲ୍ ଅଗଷ୍ଟ ମାସରେ ଆମେରିକା ସିନେଟରେ ଉପସ୍ଥାପିତ ହୋଇପାରେ । ଯଦି ଏହି ବିଲ୍ ପାରିତ ହେବ ତେବେ ସବୁଠାରୁ ଅଧିକ ପ୍ରଭାବ ଭାରତ ଉପରେ ପଡିବ । କାରଣ ଭାରତ ଋଷ ଠାରୁ ସର୍ବାଧିକ ଶସ୍ତା ତୈଳ କିଣୁଛି । ଏହା ପୂର୍ବରୁ ଭାରତ ମୁଖ୍ୟତ ମଧ୍ୟପ୍ରଚ୍ୟା ଦେଶମାନଙ୍କରୁ ତୈଳ କିଣିଥାଏ । ହେଲେ ୨୦୨୨ (ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ) ରୁ ଭାରତ ବିଶେଷ କରି ଋଷ ଠାରୁ କଚ୍ଚା ତେଲ କିଣୁଛି ।
ଯଦି ଆମେରିକା ସିନେଟରେ ଏହି ବିଲ୍ ପାରିତ ହୁଏ ତେବେ କେବଳ ତେଲ ନୁହେଁ ବରଂ ଏହାର ପ୍ରଭାବ ଭାରତ ତିଆରି କରୁଥିବା ଔଷଧ, ଟେକ୍ସଟାଇଲ, ଓ ଆଇଟି ସେବା ଉପରେ ପଡିପାରେ ।