କନକ ବ୍ୟୁରୋ: ଅତି ନାଟକୀୟ ଘଟଣାକ୍ରମରେ ଜାତିସଂଘରେ ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଆସିଥିବା ପ୍ରସ୍ତାବରେ ଆମେରିକା କ୍ରେମଲିନକୁ ଭୋଟ ଦେଇଛି । ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାପରଠୁ ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ ଅନ୍ଧଭାବେ ସମର୍ଥନ କରିବା ସପକ୍ଷରେ ନାହାଁନ୍ତି । ସେପଟେ ରୁଷକୁ ବୁଝାଇ ଯୁଦ୍ଧ ବନ୍ଦ କରିବାକୁ ଟ୍ରମ୍ପ ଆହ୍ବାନ ଦେଇଛନ୍ତି ।
ଋଷ -ୟୁକ୍ରେନ ଯୁଦ୍ଧ ୩ବର୍ଷରେ ପ୍ରବେଶ କରିବା ସମୟରେ ଏହାକୁ ବନ୍ଦ କରିବାକୁ ନାଟୋ ମେଣ୍ଟ ଅର୍ନ୍ତଭୁକ୍ତ ବ୍ରିଟେନ ଓ ଫ୍ରାନ୍ସ ଏକ ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବରେ ରୁଷର ଭାଇପଣିଆକୁ ସମାଲୋଚନା କରିବା ସହିତ ୟୁକ୍ରେନରୁ କ୍ରେମଲିନ ସୈନ୍ୟ ପ୍ରତ୍ୟାହାର କରିବାକୁ ଉଲ୍ଲେଖ ଥିଲା । ମାତ୍ର ନିର୍ବାଚିତ ହେବାପରଠାରୁ ଋଷ ସମ୍ବନ୍ଧିତ ନିଜ ମତ ପରିବର୍ତ୍ତନ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ । ପ୍ରସ୍ତାବ ସପକ୍ଷରେ ୯୩ଟି ଭୋଟ ପଡ଼ିଥିଲା । ବିପକ୍ଷରେ ଆସିଥିଲା ୧୮ଟି ଭୋଟ । ଭାରତ ଓ ଚୀନ ସମେତ ୬୫ ଦେଶର ଭୋଟରୁ ନିଜକୁ ଦୂରେଇ ରଖିଥିଲେ ଆମେରିକା ସମେତ ଇସ୍ରାଏଲ, ଉତରକୋରିଆ ସମେତ ଅନ୍ୟ ୧୪ଟି ରାଷ୍ଟ୍ର ରୁଷକୁ ସମର୍ଥନ କରିଥିଲେ । ଋଷ --ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାପରଠାରୁ ପ୍ରଥମଥର ପାଇଁ ଆମେରିକା ଋଷ ସମର୍ଥନରେ ବାହାରିଛି ।
ଯୁଦ୍ଧ ପାଇଁ ଏକ ପାଖିଆ ହୋଇ ମସ୍କୋକୁ ଦାୟୀ କରାଯାଇପାରିବନି ବୋଲି ରାଷ୍ଟ୍ରପତି ଟ୍ରମ୍ପ ମତ ଦେଇଛନ୍ତି ।ଏପରିକି ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କିଙ୍କୁ ଏକଛତ୍ରବାଦୀ ବୋଲି ଟ୍ରମ୍ପ ଅଭିହିତ କରିଛନ୍ତି । ଗତ ୩ବର୍ଷ ଧରି ଋଷ -ୟୁକ୍ରେନ ଯୁଦ୍ଧରେ ଉଭୟ ଦେଶର ବ୍ୟାପକ ଧନଜୀବନ ହାନି ହୋଇଛି । ତତକାଳୀନ ବାଇଢେନ ସରକାର ଏହି ଯୁଦ୍ଧରେ ଜେଲେନସ୍କିକୁ ସମର୍ଥନ କରି ଅର୍ଥଶସ୍ତ୍ର ସହାୟତା ଦେଉଥିଲେ ମାତ୍ର ଟ୍ରମ୍ପ କ୍ଷମତାକୁ ଫେରିବା ପରେ ୟୁକ୍ରେନ ପ୍ରତି ଆମେରିକାର ମତିଗତି ବଦଳିବା ଆରମ୍ଭ ହୋଇଛି । ଯାହାକୁ ଦେଖି ଯୁଦ୍ଧ ବନ୍ଦ ଓ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ପଦରୁ ଓହରିଯିବାକୁ ପ୍ରସ୍ତୁତ ବୋଲି ଜେଲେନସ୍କି କିଛି ଦିନ ତଳେ ଘୋଷଣା କରିଥିଲେ ।