କନକ ବ୍ୟୁରୋ : ଇସ୍ରାଏଲ ସହ ଯୁଦ୍ଧ ଭିତରେ ଇରାନର ହାତ ଛାଡ଼ୁଛନ୍ତି କି ସହଯୋଗୀ ? ଇସ୍ରାଏଲ ଓ ଇରାନ ପରମ ଶତୃ ରାଷ୍ଟ୍ର । ଇସ୍ରାଏଲ ବିରୋଧରେ ଲଗାତର ଭାବେ ଇରାନ ଛାୟା ଯୁଦ୍ଧ ଚଳାଇ ଆସୁଥିଲା । ଏଥିପାଇଁ ପଡ଼ୋଶୀ ଦେଶମାନଙ୍କରେ ବିଭିନ୍ନ ସାମରିକ ସଂଗଠନକୁ ଅସ୍ତ୍ରଶସ୍ତ୍ର ଓ ତାଲିମ ଯୋଗାଇ ଆସୁଥିଲା ଇରାନ । ଲେବାନନର ହିଜବୁଲ୍ଲା, ପାଲେଷ୍ଟାଇନର ହମାସ, ୟେମେନର ହୁତି ପରି ସଂଗଠନକୁ ବର୍ଷ ବର୍ଷ ଧରି ସବୁ ପ୍ରକାର ପ୍ରୋତ୍ସାହନ ଯୋଗାଇଆସୁଥିଲା ଇରାନ । ଏହି ସଂଗଠନ ଇସ୍ରାଏଲ ବିରୋଧରେ କାର୍ଯ୍ୟକଳାପ ଜାରି ରଖିଥିଲେ । ଏପରିକି ହମାସ୍ ବିରୋଧରେ ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିବା ପରେ ହିଜବୁଲ୍ଲା ଓ ହୁତି ସକ୍ରିୟ ହୋଇ ଉଠିଥିଲେ । ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲେ। ହେଲେ ଇସ୍ରାଏଲ ଏହାର ପାଲଟା ଜବାବ ଦେଇ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏପରିକି ହିଜବୁଲ୍ଲାର ସର୍ବୋଚ୍ଚ ନେତା ଇସ୍ରାଏଲ ଆକ୍ରମଣରେ ନିହତ ହୋଇଥିଲେ । ହେଲେ ଏବେ ଯେତେବେଳେ ଇରାନ ଓ ଇସ୍ରାଏଲ ଯୁଦ୍ଧ ଲଢ଼ୁଛନ୍ତି, ସେତେବେଳେ ଏହି ସହଯୋଗୀ ମାନେ ଏକଦମ୍ ନିରବ ରହିଥିବା ଦେଖିବାକୁ ମିଳୁଛି ।
ନିରବ ଇରାନ୍ ସହଯୋଗୀ
- ଇରାନ ଯୁଦ୍ଧ ଲଢ଼ୁଥିବା ବେଳେ ନିରବ ରହିଛି ହିଜବୁଲ୍ଲା
- ଯୁଦ୍ଧ ଆରମ୍ଭ ପରଠୁ ହିଜବୁଲ୍ଲା ଇସ୍ରାଏଲ ଉପରେ ଗୋଟିଏ ହେଲେ ରକେଟ୍ ମାଡ଼ କରିନାହିଁ
- ଆଗରୁ ବାରମ୍ବାର ଇସ୍ରାଏଲ ଉପରକୁ ରକେଟ୍ ମାଡ଼ କରୁଥିଲା ହିଜବୁଲ୍ଲା
- ଇସ୍ରାଏଲର ବାରମ୍ବାର ଆକ୍ରମଣରେ ହିଜବୁଲ୍ଲାର ମେରୁଦଣ୍ଡ ଭାଙ୍ଗିପଡ଼ିଛି
- ହିଜବୁଲ୍ଲାର ସର୍ବୋଚ୍ଚ ନେତା ହସନ ନସରଲ୍ଲା ଇସ୍ରାଏଲ ଆକ୍ରମଣରେ ନିହତ ହୋଇଥିଲେ
- ସେବେଠୁ ଏକପ୍ରକାର ନିରବ ହୋଇଯାଇଛି ଲେବାନନର ଏହି ସାମରିକ ସଂଗଠନ
- ଓମାନର ହୁତି ସଂଗଠନ ବି ନିରବ ରହିଛି
- ଇରାନ ସମର୍ଥନରେ ଇସ୍ରାଏଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ
- ଇରାନର ଅନ୍ୟ ସହଯୋଗୀ ହମାସ୍ ଏବେ ନିଜେ ଯୁଦ୍ଧ ଲଢ଼ୁଛି
- ହମାସ୍ ଉପରେ ଆକ୍ରମଣ କରି ପ୍ରଚଣ୍ଡ କ୍ଷତି ପହଞ୍ଚାଇସାରିଛି ଇସ୍ରାଏଲ
- ଫଳରେ ଏବେ ଇରାନ ନିଜର ଛାୟା ସଂଗଠନ ବିନା ଏକାକୀ ଯୁଦ୍ଧ ଲଢ଼ୁଛି
- ଇରାନକୁ ଚୀନ୍ ଓ ରୁଷ୍ କୂଟନୈତିକ ସହଯୋଗ କରୁଛନ୍ତି
- ଅଥଚ ଏହି ଦୁଇ ରାଷ୍ଟ୍ର ଇରାନକୁ କୌଣସି ପ୍ରକାର ସାମରିକ ସହାୟତା ଯୋଗାଇବାର ସମ୍ଭାବନା କମ୍