କନକ ବ୍ୟୁରୋ: ସରକାର ୧୨ ଏନ୍ଏସି ନେଇ ପ୍ରକ୍ରିୟା ଆରମ୍ଭ କଲେ । ହେଲେ ଏହା ଅନ୍ୟ ଅଂଚଳରେ ଅସନ୍ତୋଷକୁ ବଢ଼ାଇଛି । ଏନଏସି ଦାବିରେ ବୋରିଗୁମ୍ମା, ବେଗୁନିଆ ଓ ଜୟପାଟଣାରେ ବନ୍ଦ ପାଳନ କରାଯାଇଛି । କିଛି ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରାଜନୈତିକ ଦଳ ଓ ସଙ୍ଗଠନ ।
ଉପାନ୍ତରୁ ଉପକୂଳ । ଇଏ ହେଉଛି ଏନ୍ଏସି ମାନ୍ୟତା ଦାବିରେ ବିଭିନ୍ନ ସ୍ଥାନରେ ବନ୍ଦପାଳନ, ପ୍ରତିବାଦ ଓ ବିକ୍ଷୋଭ। ରାଜ୍ୟରେ ୧୨ ଏନ୍ଏସି ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ପରେ ତେଜିଛି ଅସନ୍ତୋଷ । ଏନ୍ଏସି ଦାବିରେ ବେଗୁନିଆରେ ବିଜେଡି ପକ୍ଷରୁ ଆଜି ବନ୍ଦ ପାଳନ କରାଯାଇଛି । କଳାହାଣ୍ଡି ଜୟପାଟଣାରେ ବି ୬ ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେଡି । ସେହିଭଳି ବୋରିଗୁମ୍ମାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରି ଆନ୍ଦୋଳନ କରିଛି ସଚେତନ ନାଗରିକ ମଞ୍ଚ । ଆନ୍ଦୋଳନ ଯୋଗୁଁ ଅଖ, ଚକ ସବୁ ବନ୍ଦ ରହିଥିଲା ।
ଏନ୍ଏସି ଦାବିରେ ବିଭିନ୍ନ ସହରରେ ବନ୍ଦପାଳନ ହେଉଥିବା ବେଳେ ଆଉ କିଛି ସ୍ଥାନରେ କୁହୁଳିଛି ଅସନ୍ତୋଷ । ଯାଜପୁର ଜିଲ୍ଲା ଚଣ୍ଡିଖୋଲକୁ ଏନ୍ଏସିରୁ ବାଦ ଦେବା ପ୍ରତିବାଦରେ ବଡ଼ଚଣା ବିଜୁ ଜନତା ଦଳ ପକ୍ଷରୁ ଆଜି ପ୍ରତିବାଦ କରଯାଇଛି। ରାଜ୍ୟ ସରକାର ଯଦି ଆସନ୍ତା ପନ୍ଦର ଦିନ ମଧ୍ୟରେ ଦାବିକୁ ବିଚାର ନ କରନ୍ତି ତାହାହେଲେ ମୁଖ୍ୟମନ୍ତ୍ରୀ ସମେତ କୌଣସି ମନ୍ତ୍ରୀଙ୍କୁ ଚଣ୍ଡିଖୋଲରେ ପୂରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛି ଦଳ । ରାଜକନିକା ଓ ଆଳିକୁ ଏନ୍ଏସି ଘୋଷଣା କରାଯାଇନଥିବାରୁ ଶତାଧିକ କଂଗ୍ରେସ କର୍ମୀ ଏକ ବିରାଟ ଶୋଭାଯାତ୍ରା କରି କନିକା ତହସିଲ ଓ ଆଳି ତହସିଲ କାର୍ଯ୍ୟାଳୟ ପରିସରରେ ଏକ ପ୍ରତିବାଦ ସଭା କରି ସରକାରଙ୍କ ଉପରେ ଗର୍ଜିଛନ୍ତି । ଏନ୍ଏସି ଦାବି ନେଇ ସାରା ରାଜ୍ୟରେ ଆନ୍ଦୋଳନ ସରକାରଙ୍କ ମୁଣ୍ଡବ୍ୟଥା ବଢ଼ାଇଛି ।