କନକ ବ୍ୟୁରୋ: ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଏଠାରେ ଟ୍ରେନ୍ ସିଟ୍କୁ ନେଇ ବିବାଦ ଆରମ୍ଭ ହେବାପରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଅନ୍ୟଜଣେ ଯାତ୍ରୀ । ଦୀପକ ନାମକ ବ୍ୟକ୍ତି ଦିଲ୍ଲୀ-ଶାମଲି ପାସେଞ୍ଜର ଟ୍ରେନ୍ରେ ବାଗପତ ଫେରୁଥିଲେ । ଏହି ସମୟରେ ଏକ ସିଟ୍କୁ ନେଇ ତାଙ୍କ ସହ କିଛି ଯାତ୍ରୀ ପାଟିତୁଣ୍ଡ କରିବା ଆରମ୍ଭ କରିଦେଇଥିଲେ । ପ୍ରଥମେ କଥା କଟାକଟି ପରେ ମାରପିଟ ପର୍ଯ୍ୟନ୍ତ କଥା ଯାଇଥିଲା । ଝଗଡ଼ା ଏତେ ବଢ଼ିଗଲା ଯେ, ଅଭିଯୁକ୍ତମାନେ ଜଣେ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି ।
ଦୀପକ ଯାଦବ ନାମକ ୩୯ ବର୍ଷୀୟ ବ୍ୟକ୍ତି ଦିଲ୍ଲୀରେ ଚାକିରି କରୁଥିଲେ । ଗତକାଲି(ରବିବାର) ସେ ଦିଲ୍ଲୀ-ଶାମଲି ପାସେଞ୍ଜର ଟ୍ରେନ୍ରେ ଘରକୁ ଫେରୁଥିଲେ । ବାଗପତ ଜିଲ୍ଲାର ଖେକଡ଼ା ଗାଁର ବାସିନ୍ଦା ଥିଲେ । ଘରକୁ ଫେରିବା ବାଟରେ ଚଳନ୍ତା ଟ୍ରେନ୍ରେ ଏକ ସିଟ୍କୁ ନେଇ ୫ ଜଣ ଯୁବକଙ୍କ ସହ ତାଙ୍କ ପାଟିତୁଣ୍ଡ ହୋଇଥିଲା । ଏହାପରେ ଦୀପକଙ୍କୁ ୫ ଅଭିଯୁକ୍ତ ପିଟିପିଟି ଗୁରୁତର ଅବସ୍ଥାରେ ବାଗପତ ଷ୍ଟେସନ ନିକଟରେ ଛାଡ଼ି ଚାଲି ଯାଇଥିଲେ । ନିକଟରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ଏହାପରେ ପୁଲିସ ବିଏନ୍ଏସ୍ ୧୦୩ ଓ ୧୯୧(୨) ଧାରାରେ ଏଫଆଇଆର୍ କରିଥିଲା । ତଦନ୍ତ ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ପୁଲିସର ସୂଚନା ମୁତାବକ ଦିଲ୍ଲୀ-ଶାମଲି ପାସେଞ୍ଜର ଟ୍ରେନ୍ଟି କକରପୁର ଓ ଖେକଡ଼ା ମଧ୍ୟରେ ଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଛି । ସେହି ସମୟରେ ହିଁ ଦୀପକଙ୍କର ୫ ଜଣ ଅଭିଯୁକ୍ତଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏହାପରେ ତାଙ୍କୁ ବେଲ୍ଟରେ ଆକ୍ରମଣ କରାଯାଇଥିଲା । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଦୀପକଙ୍କ ମୃତ୍ୟୁ ହୋଇଛି ।