କନକ ବ୍ୟୁରୋ : ବୁଧବାର ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସମ୍ୱିଧାନ ସଂଶୋଧନ ବିଲ୍‌-୨୦୨୫ ଆଗତ କରିବା ବେଳେ ପ୍ରବଳ ବିରୋଧ ହୋଇଥିଲା । ପ୍ରବଳ ବିରୋଧ କରିବା ପରେ ବିଲ୍‌ର କପିକୁ ଚିରି ଫିଙ୍ଗିଥିଲେ ବିରୋଧୀ ଦଳର ସଦସ୍ୟ । କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଆଡ଼କୁ ଫିଙ୍ଗିବା ବେଳେ ସଂସଦ ଟିଭି କ୍ୟାମେରାରେ କଏଦ ହୋଇଥିଲା ସେହି ଦୃଶ୍ୟ । ଦାଗୀ ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ୱିଧାନରେ ୧୩୦ ତମ ସଂଶୋଧନ କରିବାକୁ ଚାହୁଛନ୍ତି ମୋଦୀ ସରକାର। ଏଥିପାଇଁ ଲୋକସଭାରେ ଆଗତ ହୋଇଥିବା ବିଧେୟକକୁ ପ୍ରବଳ ବିରୋଧ ପରେ ଜେପିସିକୁ ପଠାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି । ନଜର ପକାନ୍ତୁ ବିଲ୍‌ରେ ଥିବା ପ୍ରାବଧାନ ଉପରେ। 

Advertisment

ସମ୍ୱିଧାନ ସଂଶୋଧନ ବିଲ୍‌ରେ ଅଛି କ’ଣ? 
୩୦ ଦିନ ଜେଲ୍‌ରେ ରହିଲେ ହରାଇବାକୁ ପଡ଼ିବ ମନ୍ତ୍ରୀ ପଦ
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ପଦ ହରାଇବାକୁ ପଡ଼ିବ
ନେତାଙ୍କୁ ପଦରୁ ବହିଷ୍କାର ପାଇଁ ସମ୍ବିଧାନରେ ନାହିଁ କୌଣସି ବ୍ୟବସ୍ଥା
ସଙ୍ଗିନ ଆପରାଧିକ ମାମଲା ଥିଲେ ବି ପଦରେ ରହୁଥିଲେ ନେତା
ନୂଆ ବିଲ୍‌ରେ ମନ୍ତ୍ରୀଙ୍କୁ ପଦରୁ ହଟାଇବାକୁ ରହିଛି ପ୍ରାବଧାନ
ଏଥିପାଇଁ ସମ୍ବିଧାନର ଧାରା ୭୫ରେ ସଂଶୋଧନ ଆବଶ୍ୟକ 

ଏଥିସହ ଜମ୍ମୁ-କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍‌ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍‌ ମଧ୍ୟ ଲୋକସଭାରେ ଆଗତ ହୋଇଛି । ହେଲେ ଆରମ୍ଭରୁ ତିନିଟି ଯାକ ବିଲ୍‌କୁ ବିରୋଧ କରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ ସଦସ୍ୟ। ବିବାଦୀୟ ବିଲ୍‌କୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବା ପାଇଁ ସରକାରଙ୍କ ପ୍ରସ୍ତାବ ସତ୍ତ୍ବେ ବିରୋଧୀଙ୍କ ହଙ୍ଗାମା ଜାରି ରହିଥିଲା । କୁହାଯାଉଛି ୨୦୨୩ରେ ତାମିଲନାଡ଼ୁରେ ଡିଏମ୍‌କେ ସରକାରରେ ମନ୍ତ୍ରୀ ଥିବା ଭି ସେନ୍ଥିଲ ବାଲାଜୀଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଆସିଥିଲା। ଗିରଫଦାରୀ ପରେ ରାଜ୍ୟପାଳ ତାଙ୍କୁ ପଦରୁ ହଟାଇ ଦେଇଥିଲେ । ସୁପ୍ରିମକୋର୍ଟରୁ ଜାମିନ ପରେ ତାଙ୍କୁ ପୁଣି ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ । ତେଣୁ ଏଭଳି ଦାଗୀ ନେତାଙ୍କ ପ୍ରଭାବ କମାଇବାକୁ କେନ୍ଦ୍ର ସରକାର ନୂଆ ବିଧେୟକ ଆଣୁଛନ୍ତି । ଫଳରେ ଜେଲ୍‌ରେ ଥାଇ ନେତା ଆଉ ରାଜ୍ୟ କିମ୍ୱା ଦେଶ ଚଳାଇ ପାରିବେ ନାହିଁ ।