କନକ ବ୍ୟୁରୋ: ଆନ୍ଦୋଳନ ଛାତ୍ରଛାତ୍ରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲା ୟୁପିପିଏସସି । ସ୍ଥଗିତ ହେଲା PCS, RO ଓ ARO  ପରୀକ୍ଷା । ଆଶାୟୀ ପ୍ରାର୍ଥୀଙ୍କ ଧାରଣା ଓ ଅନଶନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଥିଲେ । ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ସହ ସମନ୍ୱୟ ରଖି ନିଷ୍ପତ୍ତି ନେବାକୁ ଲୋକ ସେବା ଆୟୋଗକୁ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ରିଭ୍ୟୁ ଅଧିକାରୀ ଏବଂ ଅତିରିକ୍ତ ରିଭ୍ୟୁ ଅଧିକାରୀ ପରୀକ୍ଷାକୁ ସ୍ଥଗିତ ରଖିଛି ଆୟୋଗ । ଏହା ସହିତ ପିସିଏସ୍ ପ୍ରାରମ୍ଭିକ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ପୂର୍ବ ପରି ଗୋଟିଏ ଦିନ ଓ ଗୋଟିଏ ଶିଫ୍ଟରେ କରାଯିବା ନେଇ ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ ଘୋଷଣା କରିଛି । ରିଭ୍ୟୁ ଅଧିକାରୀ  ଏବଂ ଅତିରିକ୍ତ ରିଭ୍ୟୁ ଅଧିକାରୀ ପରୀକ୍ଷା ପାଇଁ ଏକ କମିଟି ଗଠନ କରାଯିବ । ସମସ୍ତ ଦିଗ ଉପରେ ବିଚାର କରିବା ପରେ କମିଟି ଖୁବଶୀଘ୍ର ଏହାର ବିସ୍ତୃତ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିବ । ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ ପିସିଏସ୍ ପ୍ରିଲିମ୍ସ ୨୦୨୪ ଓ RO/ARO  ପ୍ରିଲିମ୍ ୨୦୨୩ ପରୀକ୍ଷାଗୁଡ଼ିକୁ ଦୁଇ ଦିନରେ ଦୁଇଟି ଶିଫ୍ଟରେ କରିବାକୁ ନିଷ୍ପତ୍ତି ନେଇଥିଲା । ପିସିଏସ୍ ପ୍ରାରମ୍ଭିକ ପରୀକ୍ଷା ଡିସେମ୍ବର ୭ ଓ ୮ରେ ଏବଂ RO/ARO ପ୍ରାରମ୍ଭିକ ପରୀକ୍ଷାକୁ ଡିସେମ୍ବର ୨୨ ଓ ୨୩ରେ କରିବା ପାଇଁ ନୋଟିସ ଜାରି କରିଥିଲା ଆୟୋଗ । ଏହାପରେ ଆନ୍ଦୋଳନକୁ ଓହ୍ଲାଇଥିଲେ ହଜାର ହଜାର ଆଶାୟୀ । ଏହି ତାରିଖ ଗୁଡ଼ିକ ଉପରେ ପୁଣିଥରେ ବିଚାର କରିବାକୁ ଦାବି କରିବା ସହ ପୂର୍ବଭଳି ଗୋଟିଏ ଦିନରେ ଗୋଟିଏ ଶିଫ୍ଟରେ ହିଁ ପରୀକ୍ଷା କରିବାକୁ ଦାବି ହୋଇଥିଲା । ଦୁଇଟି ଶିଫ୍ଟରେ ପରୀକ୍ଷା ହେଲେ ଏଥିରେ ସ୍ଵଚ୍ଛତା ରହିବନି ବୋଲି ଛାତ୍ରଛାତ୍ରୀ ଦାବି କରିଥିଲେ ।