କନକ ବ୍ୟୁରୋ : ସଠିକ ଚିକିତ୍ସା ନପାଇ ଅକାଳରେ ଗର୍ଭାବତୀଙ୍କ ଜୀବନ ଚାଲି ଯାଉଥିଲା । ନିଜ ଗାଁର ଲୋକ ବିଭିନ୍ନ ଦୁରାରୋଗରେ ପୀଡିତ ହୋଇ ମୃତ୍ୟୁ ମୁଖରେ ପଡୁଥିଲେ । ଯାହା ତାଙ୍କୁ ଖୁବ୍ ବ୍ୟଥିତ କରୁଥିଲା । ସେଥପାଇଁ ସେ ସଂକଳ୍ପ ନେଇଥିଲେ, ଚିକିତ୍ସା ଅବହେଳାରୁ ଯେମିତି କାହାରି ଜୀବନ ନଯାଏ, ସେଦିଗରେ କାମ କରିବେ । ମାସେ କି ବର୍ଷେ ନୁହେଁ, ୨୦୦୫ରୁ ନିରବଛିନ୍ନ ଭାବେ ସେବା ଯୋଗାଇବାରେ ସଫଳ ହୋଇଛନ୍ତି । କର୍ତ୍ତବ୍ୟନିଷ୍ଠ କର୍ମ ପାଇଁ ତାଙ୍କୁ କୁହାଯାଉଛି ଉପାନ୍ତର ନାଇଟଙ୍ଗଲ ।
ଝରିଗାଁ ବ୍ଲକ ବୁଟିସର୍ଗି ଗାଁର ଡାଲିମ୍ବ ଭତ୍ରା । ଆଶା କର୍ମୀ ଭାବେ କାମ କରନ୍ତି । ଗାଁରେ କେହି ଯେମିତି ରୋଗରେ ପଡିବେନି ସେ ଦିଗରେ ଦିନ ରାତି ଏକ କରୁଛନ୍ତି । ଅନବରତ କାମରେ ଲାଗିଥାନ୍ତି ଡାଲିମ୍ୱ । ନିଜ ପରିବାର କଥା ବି ଭୁଲିଯାଆନ୍ତି । ଡାକ୍ତରୀ ଚିକିତ୍ସା ଉପରୁ ଭରସା ତୁଟେଇ ଦେଇଥିବା ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରନ୍ତି ସେ । ଯେଉଁମାନେ ଡାକ୍ତରଖାନା ଯିବାକୁ ଅରାଜି ହୁଅନ୍ତି ସେମାନଙ୍କୁ ବୁଝାସୁଝା କରି ସନ୍ତାନ ପ୍ରସବ କରାଇଥାନ୍ତି ହସ୍ପିଟାଲରେ । ଖାଲି ଏତିକି ନୁହେଁ ଗାଁକୁ ମ୍ୟାଲେରିଆ ଓ ଯକ୍ଷ୍ମାମୁକ୍ତ କରିବାରେ ତାଙ୍କହ ରହିଛି ଏକ ପ୍ରମୁଖ ଭୂମିକା ।
ଦୀର୍ଘ ୧୯ ବର୍ଷ ଧରି ଏମତି ଗାଁ ଲୋକଙ୍କ ସେବା କରିଚାଲିଛନ୍ତି ଡାଳିମ୍ୱ । ପ୍ରଥମେ ପ୍ରଥମେ ଡାଲିମ୍ୱକୁ ଲୋକଙ୍କ ବିଶ୍ୱାସ ଜିଣିବା ଖୁବ କଷ୍ଟକର ବି ହେଉଥିଲା, ଗାଁ ଲୋକଙ୍କର ଡାକ୍ତରଙ୍କ ଉପରେ ଭରସା କମ ଗୁଣିଗାରେଡି ଉପରେ ବିଶ୍ୱାସ ବେଶୀ ଥିଲା । ହେଲେ ସେ ଧାରଣା ବଦଳାଇ ଥିଲେ ଡାଲିମ୍ୱ । ଏଥିପାଇଁ ଘର ଘର ବୁଲି ଲୋକଙ୍କୁ ସଚେତନ କରାଇଥିଲେ ସେ ।
ନିଜ କଥା, ପରିବାର କଥା ପଛ, ଆଗ ଗାଁ ଲୋକଙ୍କ ସେବା, ଏହା ଥିଲା ତାଙ୍କ ଜୀବନର ମୂଳ ଲକ୍ଷ୍ୟ । ତାଙ୍କ ଏହି ଉଦ୍ୟମକୁ ସମ୍ମାନ ଜଣାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମ୍ମାନିତ କରାଯାଇଛି । ରାଜ୍ୟପାଳଙ୍କ ଠାରୁ ମଧ୍ୟ ସେ ପୁରସ୍କୃତ ହୋଇଛନ୍ତି ।