-ଦେଶରେ ୧୫ତମ ସ୍ଥାନରେ
-ଜାତୀୟ କାରବାର ପ୍ରତି ଅବଦାନ ୧.୩୫%
କନକ ବ୍ୟୁରୋ: ଡିଜିଟାଲ୍ ପେମେଣ୍ଟ୍‌ କ୍ଷେତ୍ରରେ ଭାରତକୁ ବିଶ୍ବର ଅଗ୍ରଣୀ ଦେଶ ଭାବେ ସ୍ଥାପିତ କରିଥିବା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟର‌ଫେସ୍ (ୟୁପିଆଇ) ଗ୍ରହଣୀୟତା ସାରା ଦେଶରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଓଡ଼ିଶା‌ରେ ମଧ୍ୟ ଏହି ସେବା ବ୍ୟାପକ ଭାବେ ବ୍ୟବହୃତ ହେଉଛି । ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ତଥ୍ୟ ଅନୁସାରେ ଗତ ଜୁଲାଇରେ ଓଡ଼ିଶାରେ ୟୁପିଆଇରେ ୩୩, ୮୯୦ .୨୨ କୋଟି ଟଙ୍କାର କାରବାର ହୋଇଛି । ଲୋକମାନେ ୨୬.୩୭ କୋଟିରୁ ଅଧିକ ଥର ୟୁପିଆଇ ପେମେଣ୍ଟ କରିଛନ୍ତି ।

Advertisment

କିନ୍ତୁ ଜାତୀୟ ସ୍ତରରେ ୟୁପିଆଇ ଜରିଆରେ ହେଉଥିବା କାରବାର ପ୍ରତି ଓଡ଼ିଶାର ଅବଦାନ ଏତେ ଉତ୍ସାହଜନକ ନାହିଁ । ଜାତୀୟ କାରବାର ପ୍ରତି ଏହାର ଅବଦାନ ମାତ୍ର ୧.୩୫ ପ୍ରତିଶତ ରହିଛି । ସର୍ବାଧିକ ୟୁପିଆଇ ପେମେଣ୍ଟ୍‌ କରୁଥିବା ରାଜ୍ୟଗୁଡ଼ିକ ଭିତରେ ଓଡ଼ିଶା ୧୫ତମ ସ୍ଥାନରେ ରହିଛି । ପ୍ରଥମ ଦଶଟି ସ୍ଥାନରେ କ୍ରମାନ୍ବୟରେ ମହାରାଷ୍ଟ୍ର (୯.୧୯%), କର୍ଣ୍ଣାଟକ (୫.୭୬%), ଉତ୍ତରପ୍ରଦେଶ (୫.୨୬%), ତେଲେଙ୍ଗାନା (୫.୦୫%), ତାମିଲନାଡୁ (୪.୬୭%), ଆନ୍ଧ୍ରପ୍ରଦେଶ (୩.୭୩%), ରାଜସ୍ଥାନ (୩.୦୩%), ଗୁଜରାଟ (୨.୯୫%), ଦିଲ୍ଲୀ (୨.୩୫%) ଓ ପଶ୍ଚିମବଙ୍ଗ (୨.୪୮%) ରହିଛନ୍ତି । ମଧ୍ୟପ୍ରଦେଶ, ବିହାର, ହରିୟାଣା ଓ କେରଳର ପ୍ରଦର୍ଶନ ମଧ୍ୟ ଓଡ଼ିଶାଠାରୁ ଭଲ ରହିଛି । 

ସେହିପରି, ଷ୍ଟେଟ୍‌ ବ୍ୟାଙ୍କର ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଦେଶରେ ୟୁପିଆଇରେ ଦିନକୁ ହାରାହାରି ୯୦ ହଜାର କୋଟି ଟଙ୍କାର ପେମେଣ୍ଟ କରାଯାଉଛି । ଫଳ‌ରେ ଏହା ଡିଜିଟାଲ୍‌ ପେମେଣ୍ଟ ବ୍ୟବସ୍ଥାର ଅଭିନ୍ନ ଅଙ୍ଗରେ ପରିଣତ ହୋଇଛି । ଗତ ଜାନୁଆରି ତୁଳନାରେ ଜୁଲାଇରେ ଦୈନିକ କାରବାର ପରିମାଣ ବଢ଼ିଛି । ଜାନୁଆରିରେ ଦୈନିକ କାରବାର ୭୫,୭୪୩ କୋଟି ଟଙ୍କା ଥିଲା । ଜୁଲାଇରେ ତାହା ୮୦,୯୧୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅଗଷ୍ଟରେ ‌ଦୈନିକ କାରବାର ୯୦,୪୪୬ କୋଟି ଟଙ୍କା ରହିଛି । ସଉଦାପତ୍ର କିଣିବାଠାରୁ ଆରମ୍ଭ କରି ବଡ଼ ବଡ଼ ପେମେଣ୍ଟ କରିବା ପର୍ଯ୍ୟନ୍ତ, ବିଭିନ୍ନ କାମରେ ଲୋକମାନେ ୟୁପିଆଇ ବ୍ୟବହାର କରୁଛନ୍ତି । ୟୁପିଆଇରେ ଟଙ୍କା ପଠାଇବାରେ ଷ୍ଟେଟ୍‌ ବ୍ୟାଙ୍କ ଶୀର୍ଷ ସ୍ଥାନରେ ରହିଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଅଧିକ ଟଙ୍କା ପଠାଉଥିବା ବେ‌ଳେ ଘରୋଇ ବ୍ୟାଙ୍କଗୁଡ଼ିକ ଅଧିକ ଟଙ୍କା ଗ୍ରହଣ କରୁଛନ୍ତି । 

କେଉଁ ରାଜ୍ୟରେ କେତେ
ରାଜ୍ୟ    କାରବାର (କୋଟିରେ)
ମହାରାଷ୍ଟ୍ର    ୨,୩୦,୫୭୨
କର୍ଣ୍ଣାଟକ    ୧,୪୪,୬୦୫
ୟୁପି    ୧,୩୧,୮୮୫
ତେଲେଙ୍ଗାନା ୧,୨୬,୭୩୯
ତାମିଲନାଡୁ    ୧,୧୭,୦୯୦
ଓଡ଼ିଶା‌     ୩୩,୮୯୦