କନକ ବ୍ୟୁରୋ: ଆଜିକାଲି ଆମେ ସମସ୍ତେ ୟୁପିଆଇ ଟ୍ରାନଜାକ୍ସନ କରୁଛନ୍ତି । କାରଣ ଦୋକାନରେ କ୍ୟାସ ଦେଇ ଜିନିଷ କିଣିବା ଅପେକ୍ଷା ଅନଲାଇନ୍ ପେମେଣ୍ଟ କଲେ କିଛି ଝିନଝଟ ନଥାଏ କି ଏଟିଏମ୍ ସାମ୍ନାରେ ଲାଇନ୍ ଦେଇ ଟଙ୍କା ଉଠାଇବାର ଚିନ୍ତା ବି ନଥାଏ । ଖାସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ଅନଲାଇନ୍ ନେଣଦେଣ ଅଧିକ ପରିମାଣରେ ହେଉଛି । ଏମିତିରେ ବିଶ୍ବରେ ଅନଲାଇନ୍ ପେମେଣ୍ଟ କରୁଥିବା ଦେଶରେ ଭାରତ ଅନ୍ୟତମ । କିନ୍ତୁ ଏହି ୟୁପିଆଇ ପେମେଣ୍ଟକୁ ନେଇ ନିୟମରେ ପରିବର୍ତ୍ତନ ହେଉଥିବା କାରଣରୁ ଏହା ଆପଣଙ୍କର ଜାଣିବା ନିହାତି ଦରକାର । ନହେଲେ ଅସୁବିଧାରେ ପଡ଼ିପାରନ୍ତି ଆପଣ ।
୨୦୨୫, ଜାନୁଆରୀ ୧ ତାରିଖରୁ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଖାସ କରି ୟୁପିଆଇରେ ପରିବର୍ତ୍ତନ ହେବାକୁ ଯାଉଥିବାରୁ ଚିନ୍ତାରେ ବ୍ୟବହାରକାରୀ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୟୁପିଆଇ ୧୨୩ ପେ’ ଟ୍ରାନଜାକ୍ସନ ଲିମିଟରେ ପରିବର୍ତ୍ତନ କରାଯିବ । ଯେଉଁଥିରେ ଲୋକମାନେ ୟୁପିଆଇ ୧୨୩ ପେ’କୁ ବ୍ୟବହାର କରି ୫ ହଜାର ଜାଗାରେ ୧୦ ହଜାର ଟଙ୍କାର କାରବାର ଅତି ସହଜରେ ଆପଣ କରିପାରିବେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ୟୁପିଆଇ ୧୨୩ପେ’ରେ ଆପଣମାନେ ବିନା ଇଣ୍ଟରନେଟ୍ରେ ବି ନେଣଦେଣ କରିପାରିବେ ।
ଅନଲାଇନ୍ରେ ଟଙ୍କା ନେଣଦେଣ କରିବା ବେଳେ ସାଧାରଣ ଲୋକ ଅନେକ ଅସୁବିଧାର ସାମ୍ନା କରନ୍ତି । ତେଣୁ କେମିତି ସହଜରେ ଟଙ୍କା ନେଣଦେଣ ହେବ ସେନେଇ ରିଜର୍ଭ ବ୍ୟାଙ୍କ ଅନେକ ପ୍ରକାର ନୂଆ ବ୍ୟବସ୍ଥା ଆପଣାଉଛି । ସେଇଥି ଲାଗି ତ ୟୁପିଆଇ ୧୨୩ ପେ’ର ବ୍ୟବସ୍ଥା କରାଯାଇଛି । ଯାହାକୁ ପାଇଁ ୟୁଜର୍ସଙ୍କୁ ୪ଟି ଅପଶନ ଦିଆଯିବ । ଯେଉଁଥିରେ ଆଇଭିଆର୍ ନମ୍ବର, ମିଷ୍ଟ କଲ୍ସ, ଓଇଏମ୍-ଏମବେଡେଡ୍ ଆପ୍ ଏବଂ ସାଉଣ୍ଡ ବେସ୍ଡ ଟେକ୍ନୋଲୋଜିର ବ୍ୟବହାର କରାଯାଏ । ତେବେ ଏହି ନୂଆ ନିୟମ ଜାନୁଆରୀ ୧ ତାରିଖରୁ ଲାଗୁ ହେବ । ୟୁପିଆର ଜରିଆରେ ପେମେଣ୍ଟ କରିବାକୁ ଯାଉଥିଲେ ଓଟିପି ମଧ୍ୟ ମାଗିବ ବୋଲି କୁହାଯାଇଛି ।
ମୋଟ୍ ଉପରେ, ଅନଲାଇନ୍ ନେଣଦେଣ ବେଳେ ଆମକୁ ସହଜ ହୋଇଥାଏ ଏଥିରେ କୌଣସି ଦ୍ବିମତ ନାହିଁ । ହେଲେ ଅନେକ ସମୟରେ ଦେଖାଯାଉଛି କି ଅନଲାଇନ୍ରେ ଟଙ୍କା ନେଣଦେଣ ବେଳେ ଠକାମୀର ବି ଶିକାର ହେବାକୁ ପଡ଼ିଥାଏ । ଯାହାକୁ ନେଇ ବାରମ୍ୱାର ଅଭିଯୋଗ ହୋଇଛି । ତେଣୁ ଟ୍ରାନଜାକ୍ସନ ବେଳେ କେମିତି ବିନା କୌଣସି ଅସୁବିଧାରେ ଗ୍ରାହକମାନେ ସୁବିଧା ପାଇବେ ସେନେଇ ରିଜର୍ଭ ବ୍ୟାଙ୍କ ସବୁପ୍ରକାର ବ୍ୟବସ୍ଥା କରାଯାଉଛି । ତେବେ ନୂଆ ନିୟମ ଲାଗୁ ହେବା ପରେ ଏଥିରେ ଆଉ କି ଫିଚର୍ସ ଲାଗୁ ହେଉଛି ତାହାକୁ ଅପେକ୍ଷା।