କନକ ବ୍ୟୁରୋ: ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ କ୍ରାଇମବ୍ରାଞ୍ଚର ଚାଲିଛି ଖୋଳତାଡ । ଗତକାଲି ଦୁଇ ଛାତ୍ରୀଙ୍କ ବୟାନକୁ ନେଇ ଆଜି ତଦନ୍ତ ଆଗକୁ ବଢିଛି । ଗତକାଲି ଦୁଇ ଛାତ୍ରୀଙ୍କ ବୟାନ ରେକର୍ଡ କରିଥିଲେ । ଯାହାକୁ ଆଧାର କରି ତଦନ୍ତ ଆଗକୁ ବଢିଛି । ସେସପଟେ ଆଜି ଉତ୍କଳ ବିଶ୍ବବିଦ୍ୟାଳୟରେ କଂଗ୍ରେସ କରିଛି ସ୍ମୃତି ସଭା ।
ଫକୀରମୋହନ କଲେଜରେ ଛାତ୍ରୀ କେଉଁ ପରିସ୍ଥିତିରେ ଆତ୍ମାହୁତି ଦେଲେ, ତାର କାରଣ ଖୋଜିବା ପାଇଁ ବାଲେଶ୍ବରରେ କ୍ରାଇମବ୍ରାଂଚର ଖୋଳତାଡ ଜାରି ରହିଛି । ଆଜି କଲେଜର ମୁଖ୍ୟ କ୍ୟାମ୍ପସରେ ଗୋଟିଏ ଟିମ ଓ ଇଷ୍ଟ କ୍ୟାମ୍ପସରେ ଆଉ ଏକ ଟିମ ଖୋଳତାଡ କରିଛି । ଏଜୁକେସନ ବିଭାଗକୁ ଯାଇ ପଚରାଉଚରା କରିଛି ତଦନ୍ତକାରୀ ଦଳ । ବୁଧବାରଦିନ କଲେଜର ଦୁଇ ଛାତ୍ରୀଙ୍କ ବିଏନଏସ ଧାରା ୧୮୩ରେ ବୟାନ ରେକର୍ଡ କରାଯାଇଥିଲା । ଏହି ଦୁଇ ଛାତ୍ରୀ ଘଟଣା ବେଳେ ଉପସ୍ଥିତ ଥିବା ଅନୁମାନ କରାଯାଉଛି । ତେଣୁ ସେମାନଙ୍କ ବୟାନ ଗୁରୁତ୍ବପୂର୍ଣ୍ଣ ବୋଲି ଜଣାପଡିଛି । ଆଉ ସେମାନଙ୍କ ଠାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବା ପରେ ଏହାକୁ ଆଧାର କରି ଆଜି ଦୁଇଟି ଟିମ ତଦନ୍ତ କରୁଛି ।
ବାଲେଶ୍ବର ପଡିତାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ପୈତୃକ ଗାଁ ପଳାସିଆରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସମ୍ପର୍କୀୟ, ସାଙ୍ଗସାଥୀ ଓ ରାଜନେତା । ଏପଟେ ସ୍ମୃତି ସଭାର ଆୟୋଜନ କରି ଶ୍ରଦ୍ଧାଞ୍ଜଳି ଦେବା ସହ ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛି କଂଗ୍ରେସ । ତେବେ ପୀଡିତାଙ୍କ ପାଇଁ ବାଣୀବିହାରରେ ଲାଗିଥିବା ପୋଷ୍ଟରକୁ ନେଇ ରାଜନୀତି ତେଜିଛି । ଏବିଭିପିର ପୋଷ୍ଟର ସୁରକ୍ଷିତ ଥିବାବେଳେ କଂଗ୍ରେସର ପୋଷ୍ଟରକୁ କିଏ ଚିରିଲା, ତାକୁ ନେଇ ତାତିଛନ୍ତି ଛାତ୍ର ।