କନକ ବ୍ୟୁରୋ: ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ସାମନାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ବୋର୍ଡର ସଭାପତିଙ୍କ ଠାରୁ ଆରମ୍ଭ କରି ଏକାଧିକ କର୍ମଚାରୀ ବର୍ଷ ବର୍ଷ ଧରି ପ୍ରଶ୍ନପତ୍ର ଚୋରି କଥା ଜାଣିଥିଲେ । କିନ୍ତୁ ନିଜ ନିଜର ପକେଟ ଗରମ କରି ଚୁପ ରହୁଥିଲେ । ତେଣୁ ଉପସଭାପତି ବନ୍ଧା ହେବା ପରେ ଆଗକୁ କାହା ପାଳି ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । 

Advertisment

ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ କ୍ରାଇମବ୍ରାଞ୍ଚ ବାନ୍ଧିବା ପରେ ସଭାପତିଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସବୁ ନିୟମକୁ ଜଳାଞ୍ଜଳି ଦେଇ ବୋର୍ଡ ଉପସଭାପତିଙ୍କ ପ୍ରଶ୍ନପତ୍ର ଦାୟିତ୍ବ ଦେବା ସନ୍ଦେହକୁ ବଢ଼ାଇ ଦେଇଛି। ଚର୍ଚ୍ଚା ହେଉଛି ପ୍ରଶ୍ନପତ୍ର କେଳେଙ୍କାରୀ ସହ ଟଙ୍କା କାରବାର କଥା ଜାଣିଥିଲେ ବୋର୍ଡ ସଭାପତି। କିନ୍ତୁ ବୋର୍ଡ ଉପସଭାପତିଙ୍କୁ ଦାୟିତ୍ବ ଦେଇ ସବୁ କେଳେଙ୍କାରୀ କରିବାକୁ ଛାଡି ଦେଇଥିଲେ । ଆଉ ଯେତେବେଳେ ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ହାଟରେ ପଡି ଦାଣ୍ଡରେ ଗଡିଲା ସେତେବେଳେ କ୍ରାଇମବ୍ରାଂଚକୁ ଚିଠି ଲେଖିଲେ। ଚଟୁ ଆମିଷ ବେଣ୍ଟ ନିରାମିଷ ନ୍ୟାୟରେ ନିଜକୁ ସ୍ବଛ ଦେଖାଇବାକୁ ଉଦ୍ୟମ କରିଥିଲେ ବାବୁ।  
 

କ୍ରାଇମବ୍ରାଞ୍ଚ ଓଟିଇଟି ମାମଲାରେ ଦୁଇ ଅଭିଯୁକ୍ତ ଜିତନ ମହାରଣା ଏବଂ ବିଜୟ ମିଶ୍ର କୁ ରିମାଣ୍ଡ ରେ ଆଣିଥିବାରୁ ବୋର୍ଡ ସଭାପତିଙ୍କ ପ୍ରତି ବିପଦ ଘନେଇଛି। ରିମାଣ୍ଡରେ ଥିବା ଅଭିଯୁକ୍ତଙ୍କୁ ପଚରାଉଚୁରା ପରେ ସଭାପତିଙ୍କ ଚୁପ ରହିବା ପଛରେ ଗୁମର ଫିଟିବ । ଗିରଫ ଅଭିଯୁକ୍ତମାନଙ୍କ ଆର୍ଥିକ କାରବାର ଯାଂଚ ଚାଲିଥିବାରୁ ପ୍ରଶ୍ନପତ୍ର ଚୋରି କରି କେତେ ଟଙ୍କା ଆଦାୟ ହୋଇଥିଲା?  ଆଦାୟ ଟଙ୍କାରେ କାହାର ଭାଗ କେତେ? କାହା ପାଖକୁ କେତେ ଯାଇଛି ? ଏସବୁ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ଅନ୍ୟପଟେ ବୋର୍ଡ ଅଧିନରେ ପାଠ ପଢ଼ୁଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଚିନ୍ତା ବଢ଼ିଛି। ପ୍ରତିବର୍ଷ ବୋର୍ଡ ଅଧିନରେ ଲକ୍ଷାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାରୁ ସେମାନେ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। 

ଜିତନ ଓ ବିୟଜଙ୍କ ଜେରା ପରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ମଧ୍ୟ ରିମାଣ୍ଡରେ ଆଣିପାରେ  କ୍ରାଇମବ୍ରାଂଚ। ହେଲେ ବୋର୍ଡ ସଭାପତିଙ୍କ ଭୂମିକାକୁ ନେଇ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ନଜର ରହିଛି ।