କନକ ବ୍ୟୁରୋ: ବାଲେଶ୍ବର ଫକୀର ମୋହନ କଲେଜରେ ଆଜି ଅଭାବନୀୟ ଘଟଣା ଘଟିଛି । ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସଂପୃକ୍ତ ଛାତ୍ରୀ ଏଜୁକେଶନ ବିଭାଗର ମୁଖ୍ୟଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ । ଆଜି ପ୍ରିନ୍ସିପାଲଙ୍କ ରୁମରୁ ବାହାରି ଅଚାନକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ ।
ବାଲେଶ୍ବରର ଫକୀର ମୋହନ କଲେଜରେ ଆଜି ଯେଉଁ ଅଭବାନୀୟ ଘଟଣା ଘଟିଛି. ତାହା ହୃଦୟବିଦାରକ । ନ୍ୟାୟ ମାଗି ବିଫଳ ହେବାରୁ କଲେଜ ସମ୍ମୁଖରେ ଧାରଣାରେ ବସିଥିବା ଛାତ୍ରୀ ନିଜ ଦେହରେ ନିଆଁ ଲଗାଇଦେଇଛନ୍ତି ଛାତ୍ରୀ । ତାଙ୍କ ଶରୀରର ୯୦ ଭାଗ ପୋଡିଯାଇଛି । ସମ୍ପୃକ୍ତ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଛାତ୍ର ବି ପୋଡିଯାଇଛନ୍ତି । ସମ୍ପୃକ୍ତ ଛାତ୍ରୀଙ୍କ ଅଭିଯୋଗ ହେଲା, ବି.ଏଡ ବିଭାଗର ମୁଖ୍ୟ ସମୀର ସାହୁ ତାଙ୍କୁ ନିର୍ଯାତନା ଦେଉଥିଲେ ।
- ଅଶାଳୀନ ବ୍ୟବହାର ସହ ଫାଇଦା ମାଗୁଥିଲେ
- ରାଜି ନହେବାରୁ ପରୀକ୍ଷା ଦେବାକୁ ଦିଆଯାଇନଥିଲା
- ଉପସ୍ଥିତି କମ୍ ଦର୍ଶାଇ ହଇରାଣ କରାଯାଉଥିଲା
ଏଥିଯୋଗୁଁ ମାନସିକ ଚାପରେ ଥିଲେ ଛାତ୍ରୀ ,ଯାହାର କରୁଣ ପରିଣତି ଆଜି ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଆତ୍ମହତ୍ୟା ଉଦ୍ୟମ କରିବା ଆଗରୁ ସମ୍ପୃକ୍ତ ଛାତ୍ରୀ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ କଲେଜ ଅଧ୍ୟକ୍ଷ ସଂପୃକ୍ତ ଛାତ୍ରୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ । ଆଉ ଅଧ୍ୟକ୍ଷ ରୁମରୁ ବାହାରି ନିଜ ଦେହରେ ନିଆଁ ଲଗାଇଦେଇଥିଲେ ସମ୍ପୃକ୍ତ ଛାତ୍ରୀ । ଅଭିଯୋଗ ପରେ ପୁଲିସ ଉପସ୍ଥିତିରେ ପଚରାଉଚରା ବି କରାଯାଇଥିଲା। ଏବେ ଦେଖନ୍ତୁ ଏହି ରିପୋର୍ଟକୁ । ଛାତ୍ରୀଙ୍କ ଅଭିଯୋଗର ତଦନ୍ତ ପାଇଁ ଫକୀର ମୋହନ କଲେଜ ପକ୍ଷରୁ ଏକ କମିଟି ଗଠନ କରାଯାଇଛି । ଛାତ୍ରଛାତ୍ରୀ , ଶିକ୍ଷକ ଓ ବିଭିନ୍ନ ବର୍ଗଙ୍କୁ ପଚରାଉଚରା ପରେ କମିଟି ରିପୋର୍ଟ ବି ଦେଇଛି । କିନ୍ତୁ ରିପୋର୍ଟରେ ଅଧ୍ୟାପକଙ୍କୁ କ୍ଲିନଚିଟ ଦିଆଯାଇଥିଲା । ଏହା ପରେ ଛାତ୍ରୀ କଲେଜ ଅଧ୍ୟକ୍ଷଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ ।
ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ସହଦେବଖୁଣ୍ଟା ଥାନା ପୁଲିସ ଅଟକ ରଖି ପଚରାଉଚରା କରୁଛି । ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଛାତ୍ରୀଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି । ପ୍ରଶ୍ନ ଉଠୁଛି,
- ଲିଖିତ ଅଭିଯୋଗ ସତ୍ତ୍ୱେ ତ୍ୱରିତ ପଦକ୍ଷେପ ନିଆଗଲା ନାହିଁ କାହିଁକି ?
- ଧାରଣା ଦେବା ଯାଏଁ ସ୍ଥିତି ଗଲା କାହିଁକି ?
- ଘଟଣା ପୂର୍ବରୁ ଛାତ୍ରୀଙ୍କୁ କ’ଣ କହିଥିଲେ ଅଧ୍ୟକ୍ଷ ?
ଆଗକୁ ଘଟଣା କେଉଁ ମୋଡ଼ ନେଉଛି ତା’ ଉପରେ ସମସ୍ତଙ୍କ ନଜର ।