କନକ ବ୍ୟୁରୋ: ଚୌଦ୍ୱାର ଜେଲ୍ରୁ ଭୁବନେଶ୍ୱର ଝାରପଡ଼ା ଜେଲ୍କୁ ସ୍ଥାନାନ୍ତର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ରାଣା । ଜେଲ୍ ସୁରକ୍ଷାକୁ ନଜରରେ ରଖି ତାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ କିଭଳି ଚୌଦ୍ବାର ଜେଲ୍ରୁ ଫେରାର ହୋଇଥିଲେ ମଧୁକାନ୍ତ ରାଣା ଓ ରାଜା ସାହାଣୀ ସେ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ମଧୁକାନ୍ତକୁ ରିମାଣ୍ଡରେ ନେଇ ସେ ସବୁ ତଥ୍ୟ ଉଗାଳିଛି ପୁଲିସ ।
୧୫ ଦିନ ପୂର୍ବରୁ ସ୍ଥିର ହୋଇଥିଲା ତାରିଖ
ଦଶହରାରେ ଖସିବାକୁ କରିଥିଲେ ଯୋଜନା
ଜେଲ୍ ଭିତରେ ଧୂମ୍ଧାମରେ ପାଳନ ହୁଏ ଦୁର୍ଗାପୂଜା। ତେଣୁ ଏହି ଦିନ ଜେଲରୁ ଖସିବାକୁ ପୂର୍ବରୁ ସ୍ଥିର କରିଥିଲେ ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ରଣା ଓ ରାଜା ସାହାଣୀ । ଜଣେ କର୍ମଚାରୀଠାରୁ ପାଇଥିବା ଆରିକୁ ଉଭୟ ପରସ୍ପର ଭିତରେ ବଦଳାଇ ସେଲ୍ କାଟୁଥିଲେ । ଲୁହା ରଡ୍ର କଟା ଚିହ୍ନକୁ ଲୁଚାଇବାକୁ ମଶାବତିର ଗୁଣ୍ଡ ଓ ଚିନିକୁ ମିଶାଇ ଅଠା କରି ମାରୁଥିଲେ । ସେଲ୍ ସମ୍ମୁଖ ସିସିଟିଭିକୁ ମଧୁକାନ୍ତ କାନ୍ଥ ଉପରକୁ ମୋଡ଼ିଦେଇଥିଲା । ଦଶହରା ଦିନ ଅର୍ଥାତ୍ ଅକ୍ଟୋବର ୨ ତାରିଖ ମଧ୍ୟରାତ୍ରି । ନିଘୋଡ଼ ନିଦରେ ଶୋଇଥାନ୍ତି ସାଥୀ କଏଦୀ । ସେଲ୍ କାଟି ବାହାରି ଆସିଲେ ରାଜା ଓ ମଧୁକାନ୍ତ । ଜେଲ୍ର ଇନର୍ ପାଚେରି ଉଚ୍ଚତା କମ୍ ଥିବାରୁ ତାକୁ ସହଜରେ ଡେଇଁଗଲେ । ଏହାପରେ ବାହାର ପାଚେରି ଉପରକୁ କମ୍ବଳ-ପ୍ୟାଣ୍ଟରେ ତିଆରି ଦଉଡ଼ି ପକାଇ ପ୍ରଥମେ ମଧୁକାନ୍ତ ଓ ପରେ ରାଜା ଆରପଟକୁ ଡେଇଁଥିଲେ ।
ଉଭୟଙ୍କୁ ଧରିବା ଲାଗି ୭ଟି ରାଜ୍ୟ, ୮ ହଜାର କିଲୋମିଟର ପୁଲିସ ଘୂରି ବୁଲିବା ସହ ଏଥିଲାଗି ସ୍ପେସାଲ ୨୬ ଟିମ୍ ଗଠନ କରିଥିଲା । ଉତ୍ତର ପ୍ରଦେଶ ବୃନ୍ଦାବନ ଆଶ୍ରମରେ ରହି ମଧୁକାନ୍ତ କାମ କରୁଥିବା ଜଣା ପଡ଼ିବା ପରେ ତାକୁ ଗିରଫ କରାଯାଇଥିଲା । ଜେଲ୍ରୁ ଫେରାର ପରେ ଦୁଇ ଅପରାଧୀ ନିଜ ନାଁ ବଦଳାଇ ଭିନ୍ନ ନାଁରେ ଟିକେଟ୍ କରି ଟ୍ରେନ୍ରେ ଚମ୍ପଟ ମାରିଥିଲେ । ଏହାପରେ ଦୁହେଁ ଅଲଗା ହୋଇ ଯାଇଥିଲେ । କେବେ ବି ମୋବାଇଲ ଫୋନ୍ ବ୍ୟବହାର କରୁନଥିଲେ। ଅନ୍ୟ ଲୋକଙ୍କ ମୋବାଇଲ ଫୋନ୍ରେ କଥା ହେଉଥିଲେ । ଏସବୁ ତଥ୍ୟକୁ ଏକାଠି ପୁଲିସ ଫେରାର ଥିବା ଅନ୍ୟତମ ଅପରାଧୀ ରାଜା ସାହାଣୀକୁ ଧରିବା ପାଇଁ ପ୍ଲାନ୍ ପ୍ରସ୍ତୁତ କରୁଛି । ଫେରାର ରାଜା ସାହାଣୀ ଓଡ଼ିଶା ପୁଲିସ ପାଇଁ ଏବେ ମୋଷ୍ଟ ୱାଣ୍ଟେଡ । ରାଜ୍ୟ ବାହାର ପୁଲିସ ବି ଖୋଜୁଛି ରାଜାକୁ । ସେ କେବେ ଧରାପଡ଼ିବ ତାହା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ।
Follow Us